ମୁମ୍ବାଇ: ଶରଦ ପାୱାରଙ୍କ ନେତୃତ୍ବାଧିନ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଏନସିପି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନାକୁ ସହଯୋଗ କରିବ । ସୂତ୍ର ଅନୁସାରେ ଶିବସେନା-ଏନସିପି ମିଳିତ ସରକାର ଗଠନ କରିବେ ଏବଂ ଏହି ମେଣ୍ଟକୁ କଂଗ୍ରେସ ବାହ୍ୟ ସମର୍ଥନ ଯୋଗାଇବ । ସାଂପ୍ରତିକ ସ୍ଥିତିକୁ ଦେଖି କଂଗ୍ରେସ-ଏନସିପି ଶିବସେନାକୁ ସମର୍ଥନ କରିବା ଉଚ୍ଚିତ ମଣୁଛନ୍ତି । ଆଉ ଏହି ସମ୍ଭାବନ ସୋମବାର ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହେବ । ଯଦି ସମସ୍ତ ସର୍ତ୍ତ ଓ ଆଲୋଚନା ସଫଳ ହୁଏ ଆସନ୍ତା ଶୁକ୍ରବାର ସୁଦ୍ଧା ଶିବସେନା ନେତୃତ୍ବରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ।
ଏକ ନାଟକୀୟ ଘଟଣାକ୍ରମେ ଆଜି କଂଗ୍ରେସର ସମସ୍ତ ବିଧାୟକ ଶିବସେନାକୁ ସମର୍ଥନ ପାଇଁ ସୋନିଆଙ୍କୁ ଫୋନ କରି ଜଣାଇବେ । ପରେ ଚିଠି ଲେଖି ବିଧାୟକ ମାନେ ଦାବିକୁ ଆହୁରି ସୁଦୃଢ କରିବେ । ଏଠାରେ ସୂଚନା ଥାଉ କି ଘୋଡା ବେପାର ଭୟରେ କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ରାଜସ୍ଥାନର ଏକ ହୋଟେଲରେ ରଖିଛି । ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ମଙ୍ଗଳବାର ଦିନ ଏନସିପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଶରଦ ପାୱାର ଶିବସେନାକୁ ସମର୍ଥନ ପ୍ରସଙ୍ଗରେ ଦଳର ସମସ୍ତ ନବ ନିର୍ବାଚିତ ବିଧାୟକଙ୍କ ମତ ନେବେ ।