ବେଙ୍ଗାଲୁରୁ: ବନ୍ଧୁତା ଓ ଭଲପାଇବା କେବଳ ମଣିଷ-ମଣିଷ ଭିତରେ ନ ଥାଏ। ଦୁନିଆରେ ସମ୍ପର୍କଠାରୁ ବଡ ଆଉ କିଛି ନାହିଁ । ସେ ରକ୍ତର ହେଉ ବା ଭାବନାର । ସମ୍ପର୍କର ଡୋରିରେ ଆମେ ସମସ୍ତେ ପରସ୍ପର ସହିତ ବାନ୍ଧି ହୋଇ ରହିଛେ । ତେବେ ଏହି ସବୁ ଭିତରେ ପଶୁ ସହିତ ମଣିଷର ସମ୍ପର୍କକୁ ନେଇ ଆମ ଇତିହାସରେ ବହୁତ କିଛି ଉଦାହରଣ ରହିଛି । ସେ କୁକୁର ହେଉ ବା ବିଲେଇ କିମ୍ବା କୌଣସି ପକ୍ଷୀ । ଏହି ନିବିଡ ସମ୍ପର୍କ ଯୋଗୁଁ ପରସ୍ପର ପରସ୍ପରର ବନ୍ଧୁତା ଭିତରେ ଆବଦ୍ଧ ହୋଇଯାଇଥାନ୍ତି । ମଣିଷ କଥା କହି ପାରୁ ଥିବାବେଳେ ନିରୀହ ଜୀବ କଥା କହିପାରିନଥାଏ। ଏହା ସତ୍ତ୍ବେ ବି ସେ ମଣିଷକୁ ଭଲ ପାଇ ବସିଥାଏ। ମଣିଷର ସ୍ନେହ-ଶ୍ରଦ୍ଧାରେ ସେ ତାର ଦେଶକୁ ବି ଯିବା ଭୁଲି ଯାଇଥାଏ। ଚାଲନ୍ତୁ ଜାଣିବା ଏକ ବିଦେଶୀ ପକ୍ଷୀ ଓ ମଣିଷର ନିବିଡ ବନ୍ଧୁତା ସମ୍ପର୍କରେ.....
ହର୍ନବିଲ ହେଉଛି ଏକ ବିଦେଶ ପକ୍ଷୀ। ଏହି ପକ୍ଷୀ ଗୁଡିକ ସାଧାରଣତଃ ଏସିଆ ଓ ଏହାର ଆଖପାଖ ଦେଶରେ ଦେଖାଯାଆନ୍ତି । ଏହାସହିତ ଏହି ପକ୍ଷୀ ବହୁ ବିରଳ ମଧ୍ୟ। ଏହା ଏକ ପ୍ରଜାତିର ହୋଇଥାଆନ୍ତି । ବିଭିନ୍ନ ରଙ୍ଗର ହର୍ନବିଲ ପକ୍ଷୀ ଦେଖିବାକୁ ମିଳିଥାନ୍ତି। ଏହି ପକ୍ଷୀ ଦେଖିବାକୁ ବହୁତ ବଡ। ତାର ଥଣ୍ଟା ମଧ୍ୟ ବହୁତ ବଡ ହୋଇଥାଏ। ଏହାର ଡେଣା ବହୁତ ବଡ ହୋଇଥିବାରୁ ଏହା ଉଡିଲେ ଖୁବ୍ ସୁନ୍ଦର ଲାଗିଥାଏ। ଏହା ସାଧାରଣତଃ ଆଦ୍ର ଜଙ୍ଗଲ ଗୁଡିକରେ ଦେଖା ଯାଇଥାଏ। ଏହାର ବେକ ଏବଂ ଲାଞ୍ଜ ଧଳା ହୋଇଥିବାବେଳେ ମୁହଁ ଆଉ ଡେଣା କଳା ହୋଇଥାଏ। ପ୍ରତ୍ୟେକ ଡେଣାରେ 2ଟି ଲେଖାଏଁ ଧଳା ଗାର ରହିଥାଏ। ଏହି ପକ୍ଷୀ ଭାରତରେ ଖୁବ୍ କମ୍ ଦେଖାଯାଆନ୍ତି ।
କରୱାର ଜିଲ୍ଲାର ହୋନାକରି ଗାଁରେ ବାସ କରୁଥିବା କ୍ରିଷ୍ଣାନନ୍ଦ ସେଟ୍ଟୀଙ୍କ ଘରକୁ ହର୍ନବିଲ ଦିନକୁ 3 ଥର ଆସିଥାଏ। ମଣିଷଙ୍କ ଭଳି ସେ ମଧ୍ୟ ସିଡ୍ୟୁଲ କରି ସେଟ୍ଟୀଙ୍କ ଘରକୁ ଆସୁଥିବା ଭଳି ମନେ ହୁଏ। ସେଟ୍ଟୀ ଏବଂ ତାଙ୍କ ପରିବାରଲୋକ ହର୍ନବିଲଙ୍କୁ ଖୁବ୍ ଖୁସିରେ ଖାଇବାକୁ ଦେଇଥାନ୍ତି । ହର୍ନବିଲ ମଧ୍ୟ ଖାଦ୍ୟ ଆଶାରେ ତାଙ୍କ ଘରକୁ ପ୍ରତ୍ୟହ ଆସୁଥାଏ। ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ ଯେମିତି କି ବାଜରା, ମିଠା, ରୁଟି, ଗହମ ଆଦି ଖାଇବାକୁ ଦେଇଥାନ୍ତି। କ୍ରିଷ୍ଣା ସେଟ୍ଟୀଙ୍କ ପୁଅ ଓ ତାଙ୍କ ସ୍ତ୍ରୀ ହର୍ନବିଲକୁ ହାତରେ ଖାଇବାକୁ ଦେଇଥାନ୍ତି। ସେ ମଧ୍ୟ ଲମ୍ବା ଥଣ୍ଟରେ ତାଙ୍କ ହାତରୁ ବଡ ଆଗ୍ରହ ସହକାରେ ଖାଦ୍ୟ ଖାଇଥାଏ। ଏହା ଦେଖି କ୍ରିଷ୍ଣା ଓ ତାଙ୍କ ପରିବାର ଲୋକ ବଡ ଖୁସି ହୋଇଥାଆନ୍ତି । ଏହାସହ ସେଟ୍ଟୀଙ୍କ 2 ପୁଅ ମଧ୍ୟ ହର୍ନବିଲର ଲମ୍ବା ଓ ଟାଣ ଥଣ୍ଟକୁ ନ ଡରି କଦଳୀ, ପାଉଁରୁଟି ଖୁଆଇଥାଆନ୍ତି ।