ପାଟନା: ବାଜି ସାରିଛି ବିହାର ନିର୍ବାଚନ ବିଗୁଲ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଦାଖଲ ସରିଛି ପ୍ରାର୍ଥିପତ୍ର । ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଚାରିଆଡେ ସଭାସମିତି ସାଙ୍ଗକୁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ପ୍ରାର୍ଥୀଙ୍କ ପାଇଁ ରାଲି କରିବାକୁ ମୈଦାନକୁ ଓହ୍ଲାଇବେ । ତେବେ ତାଙ୍କ ରାଲିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ପକ୍ଷରୁ ଏଲଇଡିର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।
ବିହାର ନିର୍ବାଚନ ପାଇଁ ବିଜେପିର ବିହାର ନିର୍ବାଚନ ଦାୟିତ୍ବରେ ଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ଣ୍ଣାବିସ୍ ଏହା କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବୋଧ ଗୟାର ଏକ ସଭାରେ ସେ ଏପରି କହିଛନ୍ତି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କରିବାକୁ ଥିବା ରାଲିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏପରି ପ୍ରୟାସ କରାଯାଇଥିବା ସେ ଜଣାଇଛନ୍ତି । ଆମେ ଗୋଟିଏ ବିଧାନସଭା କ୍ଷେତ୍ରର ପାଞ୍ଚଟି ଗାଁକୁ ନେଇ ଏକ ସଭା କରିବୁ, ଯେଉଁଠି ଏଲଇଡି ଲଗାଯିବ । ଫଳରେ ଆମେ ଗୋଟିଏ ସମୟରେ 100ଟି ସଭା କରିପାରିବୁ ବୋଲି ସେ କହିଛନ୍ତି ।