ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ । ଏବେ ଠାରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି । ଆଜି(ରବିବାର) ଦଳର ପୂର୍ବତନ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହା ବିହାରରେ ରାଲି କରିବେ । ତେବେ ଏହି ରାଲି ସମ୍ପୂର୍ଣ୍ଣ ଭର୍ଚୁଆଲ ରହିବ ।
ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ଭର୍ଚୁଆଲ ରାଲି ମାଧ୍ୟମରେ ‘ବିହାର ଜନସମ୍ବାଦକୁ’ ସମ୍ବୋଧିତ କରିବେ । କୋରୋନା ସଂକ୍ରମଣ ପାଇଁ ଏହି ରାଲିକୁ ସମ୍ପୂର୍ଣ୍ଣ ଅନଲାଇନ କରାଯାଇଛି । ଏହି ରାଲିରେ ଅମିତ ଶାହାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ ।
ବିହାରରେ ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଶାହାଙ୍କ ଏହି ଅନଲାଇନ ରାଲି ନିର୍ବାଚନ ପ୍ରଚାର ପ୍ରସାରର ଆରମ୍ଭ ବୋଲି କୁହାଯାଇଛି । ସେପଟେ ବିହାରର ରାଷ୍ଟ୍ରୀୟ ଜନତା ଦଳ ନିର୍ବାଚନ ପ୍ରକ୍ରିୟା କିଛି ଦିନ ଆଗରୁ ଆରମ୍ଭ କରି ଦେଇଛନ୍ତି । ସେହିପରି ତେଜସ୍ବୀ ଯାଦବ ମଧ୍ୟ ବସ ମାଧ୍ୟମରେ ରାଲି କରିଥିଲେ । ବିଜେପି କିନ୍ତୁ ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି ।