ନୂଆଦିଲ୍ଲୀ: ବିଭିନ୍ନ କୃଷକ ସଂଗଠନ ଏବଂ ବିରୋଧୀ ଦଳ ପକ୍ଷରୁ ତୀବ୍ର ସମାଲୋଚନା ମଧ୍ୟରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ଦୁଇଟି ବିବାଦୀୟ ବିଲ୍ - କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ବିଲ୍ ଏବଂ ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ବିଲ୍, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଗୋଟିଏ ସଂଶୋଧନ ଯୋଗୁଁ କୃଷକଙ୍କ ରୋଜଗାର କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ପ୍ରସଙ୍ଗ ପୁଣି ଥରେ ଆଲୋଚନା ପରିସରକୁ ଆସିଛି ।
ଏହି ବିଲ୍ଗୁଡ଼ିକ ଯୋଗୁଁ କୃଷିଜାତ ସାମଗ୍ରୀର ଅନ୍ତଃରାଜ୍ୟ ବାଣିଜ୍ୟ ନିର୍ବିଘ୍ନରେ ସଂପାଦିତ ହେବ ଏବଂ ଏହା ଫଳରେ କୃଷକମାନେ ସେମାନଙ୍କ ଉତ୍ପାଦର ଅଧିକ ମୂଲ୍ୟ ପାଇପାରିବେ ବୋଲି ସରକାର କହୁଥିବା ବେଳେ ସମାଲୋଚକମାନେ ଅଭିଯୋଗ କରନ୍ତି ଯେ, ଏହି ନୂତନ ବିଲ୍ କେବଳ ବଡ଼ ବଡ଼ କମ୍ପାନୀ ପାଇଁ ସହାୟକ ହେବ ଏବଂ ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅସୁବିଧାରେ ପଡ଼ିବେ ।
ଏହି ପୃଷ୍ଠଭୂମିରେ କୃଷି ବିଲ୍ ସଂପର୍କରେ ଇନ୍ଦିରା ଗାନ୍ଧି ବିକାଶ ଗବେଷଣା ପ୍ରତିଷ୍ଠାନ (IGIDR)ର ନିର୍ଦ୍ଦେଶକ ଏବଂ କୁଳପତି ପ୍ରଫେସର ମହେନ୍ଦ୍ର ଦେବଙ୍କ ସହ ଇଟିଭି ଭାରତ ବାର୍ତ୍ତାଳାପ କରିଥିଲା । ପୂର୍ବରୁ, କୃଷିଜାତ ଦ୍ରବ୍ୟ ସମୂହର ନ୍ୟୂନତମ ସମର୍ଥନ ମୂଲ୍ୟ ସଂପର୍କରେ ସରକାରଙ୍କୁ ସୁପାରିସ କରୁଥିବା କୃଷି ବ୍ୟୟ ଓ ମୂଲ୍ୟ କମିଶନ (CACP)ର ଅଧ୍ୟକ୍ଷ ରୂପେ ପ୍ରଫେସର ଦେବ ଦାୟିତ୍ବ ତୁଲାଇଥିଲେ ।
ସଂପାଦିତ ଉଦ୍ଧୃତାଂଶ
ବଡ଼ ବଡ଼ କମ୍ପାନୀ ସହ ଚୁକ୍ତିନାମା ସଂପାଦନ କରିବା ସମୟରେ କ୍ଷୁଦ୍ର ଚାଷୀମାନଙ୍କ ପକ୍ଷରେ ମୂଲଚାଲ କରିବା ସମ୍ଭବ ହେବ କି ? ଉଭୟ ପକ୍ଷ ପାଇଁ ସମାନ ଧରଣର ଆଲୋଚନା କ୍ଷେତ୍ର ଉପଲବ୍ଧ ହେବ କି ?
ଚୁକ୍ତିଭିତ୍ତିକ କୃଷି (ଆଇନ) ବଡ଼ ବଡ଼ କମ୍ପାନୀ ପାଇଁ ସହାୟକ ହେବ । ଏକଥା ଆଂଶିକ ଭାବେ ସତ୍ୟ ଯେ, ସେମାନଙ୍କ ପାଖରେ ମୂଲଚାଲ କରିବାର କ୍ଷମତା ଥିବାରୁ ଚୁକ୍ତିନାମା ସେମାନଙ୍କ ସପକ୍ଷରେ ହିଁ ରହିବ । ବିଭିନ୍ନ କୃଷକ ଉତ୍ପାଦନକାରୀ ସଂଗଠନ (FPO) ବଡ଼ ବଡ଼ କମ୍ପାନୀ ସହିତ ମୂଲଚାଲ କରି ବ୍ୟବସାୟ କରିପାରିବେ । ଚୁକ୍ତିଭିତ୍ତିକ ଚାଷ କ୍ଷେତ୍ରରେ ପରିଲକ୍ଷିତ ବିଷମତାକୁ ଏକ ବ୍ୟବସ୍ଥିତ ଢଙ୍ଗରେ ସମାନତାରେ ପରିଣତ କରିବାକୁ ହେବ ।
ବର୍ତ୍ତମାନ ସମୟରେ ଯଦି କୌଣସି ସାମଗ୍ରୀର ବଜାର ମୂଲ୍ୟ ହ୍ରାସ ପାଉଛି, ତେବେ କମ୍ପାନୀ ଚୁକ୍ତି ଉଲ୍ଲଂଘନ କରି ବାହାର ସ୍ଥାନରୁ ସାମଗ୍ରୀ କିଣୁଛି । ସେହିଭଳି ଯଦି ଦର ବଢୁଛି, ତେବେ କୃଷକମାନେ ଚୁକ୍ତିର ସର୍ତ୍ତ ପାଳନ କରୁନାହାନ୍ତି । ଏହି ଆଭିମୁଖ୍ୟ ବଦଳିବା ଉଚିତ । ବିଲ୍ ଅନୁସାରେ, ଯଦି କୃଷକ ଓ କମ୍ପାନୀ ମଧ୍ୟରେ କୌଣସି ବିବାଦ ଦେଖାଦିଏ, ତେବେ ଜିଲ୍ଲାପାଳମାନେ ଏହାର ସମାଧାନ କରିବା ଉଚିତ । ସେମାନଙ୍କ ମଧ୍ୟରୁ କେତେକ ଧନୀ କମ୍ପାନୀ ସପକ୍ଷରେ ରହିପାରନ୍ତି । କୃଷକମାନଙ୍କ ଶୋଷଣ ବନ୍ଦ କରିବା ଲାଗି ନିୟମ ରହିବା ଉଚିତ ।
ମଧ୍ୟସ୍ଥଙ୍କୁ ବାଦ ଦେଇ କୃଷକ ଓ କ୍ରେତାଙ୍କ ମଧ୍ୟରେ ସିଧାସଳଖ ବ୍ୟବସାୟର ସମ୍ଭାବନା ଅଛି କି ?
ବର୍ତ୍ତମାନର ଦୃଶ୍ୟପଟ୍ଟରେ କୃଷି ଉତ୍ପାଦ ବଜାର କମିଟି (ଏପିଏମ୍ସି) ପରିଚାଳିତ ବଜାରରୁ ଏବଂ ଏହା ବାହାରୁ ମଧ୍ୟସ୍ଥମାନଙ୍କୁ ବାଦ ଦେଇ ହେବନାହିଁ । ବିଶେଷତଃ ଏପିଏମ୍ସି ପରିଚାଳିତ ବଜାର ବାହାରେ ସେମାନଙ୍କୁ ବାଦ ଦେଇ ବ୍ୟବସାୟ କରିବା କଷ୍ଟକର । ବଡ଼ ବଡ଼ କମ୍ପାନୀଗୁଡ଼ିକ ବହୁସଂଖ୍ୟକ କ୍ଷୁଦ୍ର ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଏକାଠି କରି ବ୍ୟବସାୟ କରିପାରିବେ ନାହିଁ । ଏହା ସହିତ ସେମାନେ ‘ବଜାର ସଂଯୋଗୀକରଣ’ ନାମରେ ପରିଚିତ ଏକ ବ୍ୟବସ୍ଥା ଅନୁସରଣ କରନ୍ତି । ଏହି ବ୍ୟବସ୍ଥାରେ ମଧ୍ୟସ୍ଥମାନେ ଚାଷ ପୂର୍ବରୁ ଚାଷୀଙ୍କୁ ଋଣ ଦିଅନ୍ତି ଏବଂ ଏହା ଦ୍ବାରା ଚାଷୀ କେବଳ ସେହି ମଧ୍ୟସ୍ଥମାନଙ୍କୁ ହିଁ ଉତ୍ପାଦ ବିକ୍ରି କରନ୍ତି । ଆଗକୁ ଏହି ବ୍ୟବସ୍ଥା ହୁଏତ ଜାରି ରହିପାରେ ।