ଦୁଃଖୀ ଗରିବଙ୍କ ବନ୍ଧୁ ଥିଲେ ବାପୁ । ଅସ୍ପୁର୍ଶତା ଓ ବର୍ଣ୍ଣବୈଷମ ବିରୋଧରେ ସେ ଉଠାଇଥିଲେ ସ୍ବର । ଅନ୍ୟାୟ ଓ ହିଂସାର ପ୍ରତିବାଦ ସ୍ବରୁପ ଇଂରେଜ ସରକାରଙ୍କଠାରୁ ସେ ସବୁ କ୍ଷେତ୍ରରେ ସହଯୋଗ ପ୍ରତ୍ୟାହାର କରିଥିଲେ ।
ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଦୋହଲିପଡିଥିଲା ବ୍ରିଟିଶ ସାମ୍ରାଜ୍ୟ । ତାଙ୍କ ବଳିଦାନ ପାଇଁ ଭାରତ ପରାଧୀନରୁ ମୁକ୍ତି ପାଇଛି । ହେଲେ ଆଜି ଏହି ମହାମାନବୀୟ ମହାପୁରୁଷଙ୍କ ସ୍ମୃତି ସ୍ଥଳକୁ ଭୁଲି ଯାଇଛନ୍ତି ସରକାର । ରକ୍ଷଣାବେକ୍ଷଣା ଅଭାବରୁ ଅବହେଳିତ ଅବସ୍ଥାରେ ରହିଛି ଭୋପାଳର 2 ଐତିହାସିକ ସ୍ଥାନ । ଭଗ୍ନଅବସ୍ଥାରେ ବାପୁଙ୍କ ଏହି ବିଶ୍ରାମ ସ୍ଥଳ । ଧୂଳି ଅଳନ୍ଧୁରେ ପୋତି ହୋଇପଡିଛି ବାପୁ ରହିଥିବା ଭବନଟି । ଯେଉଁ ବେନଞ୍ଜୀର ମୈଦାନରେ ବାପୁ ସାଧାରଣ ସଭାକୁ ସମ୍ବୋଧିତ କରି ଅସହଯୋଗ ଆନ୍ଦୋଳନର ବହ୍ନିକୁ ବ୍ୟାପକ କରିଥିଲେ ସେଇ ମୈଦାନ ଆଜି ସାହାରା ଖୋଜୁଛି । ନାଳ, ନର୍ଦ୍ଦମାର ପଚାସଢା ପାଣିରେ ବୁଡିରହିଛି ଏହି ଐତିହାସିକ ମୈଦାନ ।
ଗୋରା ସରକାରକୁ ଥରହର କରିରଖିଥିବା ଗାନ୍ଧୀଙ୍କ ପ୍ରଥମ ଜନ ଆନ୍ଦୋଳନରେ, ଭୋପାଳ ନିଭାଇଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ଏହି ଆନ୍ଦୋଳନର ମୁଖ୍ୟ ସୁତ୍ରଧର ଥିଲେ ଗାନ୍ଧୀ। ଇଂରେଜ ଅନୁଷ୍ଠାନ ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ ଥିଲା ଏହି ଅସହଯୋଗର ମୂଳନୀତି। ‘କାଟି ଖାଓ କୁଟି ପିନ୍ଧ’ । ଗାନ୍ଧୀଙ୍କ ଏହି ଗୋଟିଏ ଆହ୍ବାନରେ ନିଜକୁ ସାମିଲ କରି ଦେଶପ୍ରେମର ବହ୍ନିରେ ଝାସ ଦେଇଥିଲେ ଶହ ଶହ ସଂଗ୍ରାମୀ । ଏହି ଗୋଟିଏ ଡାକରରେ ଭୋପାଳ ନବାବ ଆଗେଇ ଆସିଥିଲେ ।