ଭୋପାଳ: ଝିମିଟି ଖେଳରୁ ମହାଭାରତ ଘଟିବା ଭଳି ଘରୋଇ ଲୁଡୁ ଖେଳ ବର୍ତ୍ତମାନ କୋର୍ଟରେ ପହଞ୍ଚିଛି । ଭୋପାଳ ଅଧିବାସୀ 24 ବର୍ଷର ଜଣେ ଝିଅ ଲୁଡୁ ଖେଳରେ ବାପାଙ୍କଠାରୁ ବାରମ୍ବାର ହାରିବା ପରେ ବିରକ୍ତିଭାବ ପ୍ରକାଶ କରି ଘରୋଇ କୋର୍ଟରେ ପହଞ୍ଚି ବାପାଙ୍କ ବିରୋଧରେ ଅଭିଯୋଗ ଆଣିଛି ।
ତାଲାବନ୍ଦ ସମୟରେ ମଧ୍ୟପ୍ରଦେଶ ଭୋପାଳରେ ଜଣେ ଝିଅ ନିଜ ଭାଇ ଭଉଣୀ ଓ ବାପାଙ୍କ ସହ ଲୁଡୁ ଖେଳିବା ବେଳେ ବାପାଙ୍କଠାରୁ ବାରମ୍ବାର ହାରିଥିଲେ । ଝିଅର ଲୁ଼ଡୁ ଦାନକୁ ବାପା ଖେଳ ମଧ୍ୟରେ 7ଥର ମାରିଥିଲେ । ଏଥିରେ ଝିଅଟି ବିରକ୍ତିଭାବ ପ୍ରକାଶ କରିଥିଲା । "ମୁଁ ମୋ ବାପାଙ୍କୁ ବହୁତ ବିଶ୍ବାସ କରେ ଓ କେବେ ତାଙ୍କଠାରୁ ଏହା ଆଶା କରିନଥିଲି । ବାପା ମୋତେ ବହୁତ ଭଲ ପା'ନ୍ତି, ଏଣୁ ସେ ମୋ ଲୁଡୁ ଦାନକୁ ମାରିବା ଉଚିତ ନ ଥିଲା । ବାପା ମୋ ଦାନକୁ 7ଥର ମାରିବା ପରେ ତାଙ୍କ ପାଇଁ ମୋ ମନରେ ବିରକ୍ତିଭାବ ଅଧିକ ବଢିଥିଲା । " ବୋଲି କୋର୍ଟରେ ଝିଅ କହିଥିଲା । ଏହା ଦ୍ବାରା ତା' ବାପାଙ୍କ ଉପରେ ତା'ର ବିଶ୍ବାସ ଭାଙ୍ଗିଯାଇଛି କହି କୋର୍ଟରେ ଅଭିଯୋଗ କରିଥିଲା ।