ନୂଆଦିଲ୍ଲୀ:ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟୀକା କୋଭାକ୍ସିନକୁ ଜୁରୁରୀକାଳୀନ ଅନୁମତି ମିଳିବା ପରେ ବିସ୍ତୃତ ସୂଚନା ଦେଇଛନ୍ତି କମ୍ପାନୀ ଏମଡି କ୍ରିଷ୍ଣା ଇଲା । ସେ କହିଛନ୍ତି, ବିଶ୍ବର ଏକମାତ୍ର କମ୍ପାନୀ ଭାବେ ବିଏସଲ-3 ଉତ୍ପାଦନ କ୍ଷମତା ହାସଲ କରିବାରେ ଆମେ ସଫଳ ହୋଇପାରିଛୁ । ଏହା ଏକ ଗର୍ବର ବିଷୟ । ଏପରିକି ଏହି କ୍ଷମତା ଆମେରିକା ପାଖରେ ମଧ୍ୟ ଉପଲବ୍ଧ ନାହିଁ । ତେଣୁ ଆମେ ବର୍ତ୍ତମାନ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ । ତେବେ ଆମକୁ (ଭାରତୀୟ କମ୍ପାନୀ) ବଦନାମ କରାଯିବାକୁ ଅପଚେଷ୍ଟା ଚାଲିଛି । ହୀନ ଉଦ୍ଦେଶ୍ୟରେ ଆମ ଟୀକାର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବର୍ତ୍ତମାନ ସଂସ୍ଥା ପାଖରେ 20 ମିଲିୟନ ଡୋଜ ମହଜୁଦ ଥିବା ବେଳେ ଆସନ୍ତା କିଛି ମାସ ମଧ୍ୟରେ ଆମେ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରି 700 ମିଲିୟନ ଡୋଜ ଉତ୍ପାଦନ କରିବା ପାଇଁ ଚେଷ୍ଟା ଚାଲିଥିବା ସେ ସୂଚନା ଦେଇଛନ୍ତି । ହାଇଦ୍ରାବାଦରେ 3 ଟି କେନ୍ଦ୍ରରେ ଓ ବେଙ୍ଗାଲୁରୁରେ ଗୋଟିଏ କେନ୍ଦ୍ରରେ ଏହାର ଉତ୍ପାଦନ କ୍ଷମତା ବଢାଇବା ପାଇଁ ଯୋଜନା ରଖାଯାଇଥିବା କଥା ସେ କହିଛନ୍ତି । ସେହିପରି ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନର ଅନୁମୋଦନ ହେଉଛି ଭାରତରେ ଆତ୍ମନିର୍ଭରତା ଉପରେ ବଡ ପଦକ୍ଷପ । ବୈଜ୍ଞାନିକଙ୍କ ସାମର୍ଥ୍ୟର ଏହା ଏକ ବୃହତ ମାଇଲଖୁଣ୍ଟ ବୋଲି ଦର୍ଶାଇଛନ୍ତି କ୍ରିଷ୍ଣା ।