ନୂଆଦିଲ୍ଲୀ: କେଉଁମାନେ କୋରୋନା ଭ୍ୟାକ୍ସିନ ନେବା ଉଚିତ୍ ଏବଂ ଅନୁଚିତ୍ ସେନେଇ ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ୍ ଏକ ଫ୍ୟାକ୍ଟ-ସିଟ୍ ପ୍ରସ୍ତୁତ କରିଛି । ସୋମବାର ଭାରତ ବାୟୋଟେକ୍ ଫ୍ୟାକ୍ଟ-ସିଟ୍ ଦେଇ ଦେଶବାସୀଙ୍କୁ ଭ୍ୟାକ୍ସିନ ନେବା ସମୟରେ କେତେକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ।
ସଂସ୍ଥାର ଗାଇଡ ଲାଇନ ଅନୁଯାୟୀ ଯେଉଁମାନଙ୍କର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଅଛି କିମ୍ବା ଆଲର୍ଜୀ ଅଛି ସେମାନେ ଭ୍ୟାକ୍ସିନ ନେବା ଅନୁଚିତ୍ । ସେହିପରି ଟିକା ଗ୍ରହଣ ସମୟରେ ଯେଉଁମାନେ ଜ୍ବରରେ ପୀଡିତ, ଋତୁସ୍ରାବରେ ଅନିୟମିତତା, ରକ୍ତ ପତଳା ଅଛି, ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଛନ୍ତି ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା ଥିବ, ସେହି ବ୍ୟକ୍ତିଙ୍କୁ ଟିକାଦେବା ଅନୁଚିତ୍ । ଏହାପୂର୍ବରୁ ସରକାରଙ୍କ ତଥ୍ୟ ଅନୁଯାୟୀ ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ସେମାନେ ଟିକା ନେଇପାରିବେ, ମାତ୍ର ସେମାନଙ୍କ ଶରୀରରେ ଟିକା କମ୍ ପ୍ରଭାବଶାଳୀ ହେବ ।
ତେବେ ଯେଉଁମାନଙ୍କ ଶରୀରରେ ଅତ୍ୟଧିକ ଆଲର୍ଜି ଥିବ ସେମାନଙ୍କୁ କୋରୋନା ଟିକା ନେବାକୁ ବାରଣ କରିଛି ବାୟୋଟେକ ସଂସ୍ଥା । ଯଦି ସେମାନଙ୍କ ଶରୀରରେ ଟିକା କାମ ନ କରେ ତାହେଲେ ସେମାନଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ସହ ମୁହଁ ଏବଂ ଗଳା ଫୁଲିଯିବ, ଦ୍ରୁତ ହୃଦସ୍ପନ୍ଦନ, ଶରୀରରେ ଘା, ମୁଣ୍ଡ ବୁଲାଇବା ଏବଂ ଦୁର୍ବଳତା ଲାଗିବ । ସେହିପରି ପାର୍ଶ୍ବ ପ୍ରତିକ୍ରିୟା ତାଲିକାରେ ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଜ୍ବର, ଅସୁସ୍ଥତା, ଦୁର୍ବଳତା ଏବଂ ବାନ୍ତି ରହିଛି ।
ବାୟୋଟେକ ସଂସ୍ଥାର ସୂଚନା ଅନୁଯାୟୀ କୋରୋନା ଟିକା ମାତ୍ରାଧିକ ଆଲର୍ଜି ସୃଷ୍ଟି କରିପାରେ । ତେଣୁ ଟିକା ନେଉଥିବା ଲୋକଙ୍କୁ ଟିକା ନେବା କେନ୍ଦ୍ରରେ 30 ମିନିଟ ରହିବାକୁ କୁହାଯାଇଛି । ଯଦି 30 ମିନିଟ ପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାନଯାଏ ତାହେଲେ ବ୍ୟକ୍ତି ଜଣକ ଘରକୁ ଯାଇପାରିବେ । ସେହିପରି ଦ୍ବିତୀୟ ଡୋଜ ନେବାର ତିନି ମାସ ପର୍ଯ୍ୟନ୍ତ ଡକ୍ଟରଙ୍କ ଅବଜରଭେସନରେ ରହିବେ ଟିକା ଗ୍ରହଣକାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ