ଓଡିଶା

odisha

By

Published : Feb 19, 2019, 10:58 AM IST

ETV Bharat / bharat

ଯୋଡି ହେଉଛି ଏନଡିଏ, ଶିବସେନା ପରେ ଏଆଇଡିଏମକେ ଉପରେ ନଜର

ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳକୁ ଏନଡିଏରେ ସାମିଲ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ମହାରାଷ୍ଟ୍ରର ଶିବସେନା ପରେ ତାମିଲନାଡୁର ଏଆଇଡିଏମକେ ଏନଡିଏରେ ସାମିଲ ହେବ ବୋଲି ଜଣାପଡିଛି । ତାମିଲନାଡୁରେ କଂଗ୍ରେସ ମଧ୍ୟ ବିରୋଧୀ ଡିଏମକେ ସହ ମେଣ୍ଟ କରିଛି । ଯାହାକୁ ନେଇ ଏବେ ଦକ୍ଷିଣ ରାଜନୀତିରେ ସସପେନ୍ସ ଦେଖାଦେଇଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ସହ ଲୋକସଭା ନିର୍ବାଚନ ପାଇଁ ଡିଲ୍ ହେଲା ବୁଝାମଣା । ଏବେ ତାମିଲନାଡୁ ଉପରେ ବିଜେପିର ନଜର । ଏଥିପାଇଁ ଆଜି ତାମିଲନାଡୁ ଗସ୍ତ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଦଳ ପ୍ରଭାରୀ ପୀୟୁଷ ଗୋଏଲ । ନିର୍ବାଚନ ବେଳେ ଏନଡିଏରେ ଏଆଇଡିଏମକେ ଓ ରାଜ୍ୟର ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ମିଶାଇବା ପାଇଁ ବିଜେପି ଯୋଜନା କରିଛି । ଏହି ଗସ୍ତ ବେଳେ ଆସନ ବୁଝାମଣା ମଧ୍ୟ ହେବ ବୋଲି ଜଣାପଡିଛି ।

ସୂଚନା ରହିଛି କି ତାମିଲନାଡୁରେ ବିରୋଧୀ ଦଳ ଡିଏମକେ କଂଗ୍ରେସ ସହ ମେଣ୍ଟ କରିଛି । ପ୍ରତି ଜବାବରେ ଏଆଇଡିଏମକେ ସହ ବିଜେପି ମେଣ୍ଟ କରୁଛି ବୋଲି ଜଣାପଡିଛି । 2014 ସାଧାରଣ ନିର୍ବାଚନରେ ଏଆଇଡିଏମକେ 37ଟି ଆସନ ଜିତିଥିବା ବେଳେ ବିଜେପି ଗୋଟିଏ ଏବଂ ପତାଳି ମକ୍କଲ କାଚି(ପିଏମକେ) ଗୋଟିଏ ଆସନ ଜିତିଥିଲା । ସେତେବେଳେ କିନ୍ତୁ ଏଆଇଡିଏମକେ ଏନଡିଏରେ ସାମିଲ ହୋଇନଥିଲା ।

ବିଭିନ୍ନ ଗଣମାଧ୍ୟମର ସର୍ଭେ ରିପୋର୍ଟ ଅନୁଯାୟୀ କଂଗ୍ରେସ-ଡିଏମକେ ମେଣ୍ଟ ତାମିଲନାଡୁରେ ଅନେକ ଲୋକଙ୍କ ଆସ୍ଥା ଜିତିଛି । ସର୍ଭେ ରିପୋର୍ଟରେ ବିଜେପି, ଏଆଇଡିଏମକେ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ଏବଂ ଡିଏମକେ-କଂଗ୍ରେସକୁ ନେଇ ସର୍ଭେ ହୋଇଥିଲା । ଯେଉଁଥିରେ ଡିଏମକେ-କଂଗ୍ରେସ ମେଣ୍ଟକୁ ଅଧିକ ଜନମତ ମିଳିଛି । ତେଣୁ ବିଜେପି-ଏଆଇଡିଏମକେ ମେଣ୍ଟ ହେଲେ ନିର୍ବାଚନ ବେଳେ ଭୋଟଗଣିତ କିଛିଟା ଏନଡିଏ ଆଡକୁ ଢଳିପାରେ ବୋଲି ବିଜେପିର ଅନ୍ଦର ମହଲରେ ଆକଳନ ହୋଇଛି ।

ଫାଇଲ ଫଟୋ

ରାଜନୈତିକ ବିଶାରଦଙ୍କ ଆକଳନ ଅନୁଯାୟୀ ବିଜେପି 8ଟି ଆସନରେ ପ୍ରାର୍ଥୀ ଦେବାକୁ ତାମିଲନାଡୁରେ ଚାହୁଁଛି । ଯେଉଁଥିରୁ ତିନୋଟି ଆଞ୍ଚଳିକ ଦଳକୁ ତିନୋଟି ସିଟ୍ ଦେବାକୁ ଚାହୁଁଛି । ନିଜେ 5ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଯୋଜନା କରିଛି । ସେହିପରି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ପିଏମକେ 5ଟି ଲୋକସଭା ଆସନ, ଗୋଟିଏ ରାଜ୍ୟସଭା ଆସନ, ଡିଏମଡିକେ ତିନୋଟି, ଏବଂ ରାଜ୍ୟରେ ଶାସକ ଦଳ ଏଆଇଡିଏମକେ 23ଟି ଆସନରେ ପ୍ରାର୍ଥୀ ଦେବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଜଣାପଡିଛି । ଏବଂ ପୁଡୁଚେରୀ ଲୋକସଭା ଆସନ ଏନ.ଆର କଂଗ୍ରେସକୁ ଦିଆଯିବ ବୋଲି ଜଣାପଡିଛି ।

ଏଆଇଏଡିଏମକେ ସଂଯୋଜକ ତଥା ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଓ. ପନ୍ନିରସେଲଭମ ଏବଂ ମୁଖ୍ୟମନ୍ତ୍ରୀ ପଲ୍ଲାନିସ୍ବାମୀଙ୍କ ସହ ଆଜି ବୈଠକ ହେବ । ଏହାପରେ ମେଣ୍ଟ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ସୂଚନା ରହିଛି ।

For All Latest Updates

ABOUT THE AUTHOR

...view details