ମୁମ୍ବାଇ: ଜଣେ ଗର୍ଭବତୀ ମହିଳାର ସାଦଖିଆ କଥା ଆପଣ ଶୁଣିଥିବେ । କିନ୍ତୁ କେବେ କେଉଁ ଗଛର ସାଦଖିଆ କଥା ଶୁଣିଛନ୍ତି କି ? କାନକୁ ଟିକିଏ ଅଡୁଆ ଲାଗୁଥିଲେ ବି ଏହା ସତ । ନଡିଆ ଗଛର ସାଦଖିଆ । ତାହା ପୁଣି ପୁରା ପାରମ୍ପରିକ ଭାବରେ । ଶାଢୀ, ଚୁଡି, ସିନ୍ଦୁର, ଲଗାଇ ନୂଆ ବୋହୁ ପରି ସଜାଇ ରୀତିନୀତିରେ ପାଳନ ହୋଇଛି ନଡିଆ ଗଛର ସାଦଖିଆ । କାରଣ ମହାରାଷ୍ଟ୍ରର ଏହି ନଡିଆ ଗଛରେ ପ୍ରଥମ ଥର ପାଇଁ ଫଳ ଧରିଛି ।
ପୁନେ କାରଭେନଗର ଅଞ୍ଚଳର ନିତି ଯାଦବ ନିଜ ବଗିଚାରେ ଅନେକ ଗଛ ରୋପଣ କରିଛନ୍ତି । ଗଛକୁ ଭଲ ପାଉଥିବା ମଣିଷଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ । କିଛି ବର୍ଷ ପୂର୍ବରୁ ସେ ନିଜ ବଗିଚାରେ ଏକ ନଡିଆ ଗଛ ଲଗାଇଥିଲେ । ଖୁବ ଯତ୍ନ୍ ମଧ୍ୟ ନେଉଥିଲେ । ଆଉ ପ୍ରଥମ ଥର ନଡିଆ ଗଛରେ ଫଳ ଧରିବା ପରେ ଖୁବ ଧୁମ୍ଧାମ୍ ରେ ସାଦଖିଆ ଉତ୍ସବ ପାଳନ କରିଛନ୍ତି ।