ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ବିଶ୍ବାସ ଓ ଅନ୍ଧବିଶ୍ବାସର ବୁଢିଆଣି ଜାଲରେ ଛନ୍ଦି ହୋଇ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରହିଛି । ପରମ୍ପରା ଅନୁଯାୟୀ ପୂଜାରେ ଅଂଶ ଗ୍ରହଣ କରିଥିବା ପୂଜକ ଓ ଯଜମାନ ଫୁଟୁଥିବା ଗରମ କ୍ଷୀରରେ ଗାଧୋଇଥାନ୍ତି । ତେବେ ଏପରି କରିବା ଦ୍ବାରା ମାନବ ଜାତିର କଲ୍ୟାଣ ହୋଇଥାଏ ବୋଲି ପୂଜାରି କୁହନ୍ତି ।
ଗୋବର୍ଦ୍ଧନ ପୂଜା ଦିନ ସମସ୍ତ ଯଦୁବଂଶୀ ସୋନଭଦ୍ରରେ ଥିବା ଲୋରିକ ପଥର ତଳେ ସମସ୍ତେ ଏକଜୁଟ ହୋଇଥାନ୍ତି । ଏହାପରେ ଦୁଇଟି ଚୁଲିରେ ବଡ଼ ବଡ଼ ହାଣ୍ଡିରେ କ୍ଷୀରକୁ ଗରମ କରାଯାଇଥାଏ । ଏହି କ୍ଷୀରକୁ ପୂଜାର ମନ୍ତ୍ର ପାଠ କରିସାରିବା ପର୍ଯ୍ୟନ୍ତ ଗରମ କରାଯାଇଥାଏ । ମନ୍ତ୍ରପାଠ ସରିବା ପରେ ପୂଜାରୀ ଗରମ କ୍ଷୀରରେ ଗାଧୋଇଥାନ୍ତି । ଏପରିକି ପୂଜାରେ ବସିଥିବା ଯଜମାନ ମଧ୍ୟ ଏହି ଗରମ କ୍ଷୀରରେ ଗାଧୋଇବାର ପରମ୍ପରା ରହି ଆସିଛି ।