ହାଇଦ୍ରାବାଦ: ଦେଶର ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଆସନ୍ତା 17ରେ ନିଜ ପଦରୁ ଅବସର ନେବେ । ଅବସର ପୂର୍ବରୁ ତାଙ୍କ ହାତରେ ଆଉ 8ଟି କାର୍ଯ୍ୟ ଦିବସ ରହିଛି । ଏହି ଆଠଟି କାର୍ଯ୍ୟ ଦିବସରେ ଦେଶର 6ଟି ଗୁରୁତ୍ବପୂର୍ଣ୍ଣ ମାମଲାର ଚୂଡାନ୍ତ ରାୟ ଶୁଣାଇବେ ସିଜେଆଇ ରଞ୍ଜନ ଗୋଗୋଇ ।
6ଟି ଗୁରୁତ୍ବପୂର୍ଣ୍ଣ ମାମଲା ହେଉଛି
- ଅଯୋଧ୍ୟା-ବାବ୍ରି ମସଜିଦ ଜମି ବିବାଦ ମାମଲା
- ରାଫେଲ ରାୟର ସମୀକ୍ଷା
- ସାବରିମାଳା ମନ୍ଦିରର ଚୂଡାନ୍ତ ରାୟର ସମୀକ୍ଷା
- ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ଅଧିନରେ ଆଣିବାକୁ ଆବେଦନ
- ମୁଖ୍ୟ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
- 2017 ଆର୍ଥିକ ଆଇନର ବୈଧତାକୁ ଚ୍ୟାଲେଞ୍ଜ
ଅଯୋଧ୍ୟା-ବାବ୍ରି ମସଜିଦ ବିବାଦୀୟ ଜମି ମାମଲା: ଅବସର ପୂର୍ବରୁ ରଞ୍ଜନ ଗୋଗୋଇଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ଅଯୋଧ୍ୟା ମାମଲା । 70 ବର୍ଷର ଏହି ବିବାଦୀୟ ମାମଲାର ରାୟ ଉପରେ ଦେଶ ସମେତ ସମଗ୍ର ବିଶ୍ବର ନଜର ରହିଛି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ 5 ଜଣିଆ ଖଣ୍ଡପୀଠ ଅକ୍ଟୋବର 16 ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଦୀର୍ଘ 40 ଦିନ ଧରି ସୁପ୍ରିମକୋର୍ଟରେ ଚାଲିଥିଲା ମାମଲାର ଶୁଣାଣି । ଏଥିରେ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଓ ମତ ଶୁଣିଥିଲେ ଖଣ୍ଡପୀଠ । ଚଳିତ ମାସ 16 ତାରିଖ ପୂର୍ବରୁ ଏହି ମାମଲାର ଅନ୍ତିମ ରାୟ ଆସିଯିବ ବୋଲି ଆଶା କରାଯାଉଛି ।
ଉତ୍ତରପ୍ରଦେଶ ଅଯୋଧ୍ୟାର 2.77 ଏକର ବିବାଦୀୟ ଜମିର ମାଲିକାନା ସତ୍ତ୍ବ ନେଇ 70 ବର୍ଷ ହେଲା ଲଢେଇ ଚାଲିଛି । ପୂରା 2.77 ଏକର ଜମି ଭଗବାନ ଶ୍ରୀରାମଙ୍କର ଜନ୍ମଭୂମି ବୋଲି ହିନ୍ଦୁ ପାର୍ଟି ପକ୍ଷରୁ ଦାବି କରୁଥିବା ବେଳେ ମୁସଲିମ ପାର୍ଟି ଏହାକୁ ବିରୋଧ କରୁଛି । ତେବେ ନିଜ ଦାବିକୁ ସତ୍ୟ ପ୍ରମାଣ କରିବାକୁ ହିନ୍ଦୁ ପକ୍ଷ ବିଭିନ୍ନ ଐତିହାସିକ, ଦାର୍ଶନିକ, ପରିଦର୍ଶକ, ଜମିର କାଗଜପତ୍ର ଆଦିକୁ ପ୍ରମାଣ ଭାବେ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି । ଏପଟେ ମୁସଲିମ ପକ୍ଷରୁ ଏହା କୁହାଯାଇଛି, ଏହା ରାମ ଜନ୍ମଭୂମି ବୋଲି ବଶ୍ବାସ ଏବଂ ଆସ୍ଥାକୁ ଆଧାର କରି କୌଣସି ରାୟ ପ୍ରକାଶ ପାଇବା ଉଚିତ ନୁହେଁ ।
ରାଫେଲ ରାୟର ସମୀକ୍ଷା:ଭାରତୀୟ ବାୟୁସେନାକୁ ସରକାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଯୋଗାଇ ଦେବା ପାଇଁ ଫ୍ରାନ୍ସର ଡାସଲ୍ଟ ଆଭିଏସନ କମ୍ପାନୀ ଠାରୁ 36ଟି ରାଫେଲ ବିମାନ କିଣିବାକୁ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । ଏହି ଚୁକ୍ତି ପରେ କେନ୍ଦ୍ର ସରକାରଙ୍କୁ ବିରୋଧୀ କଂଗ୍ରେସ ସମେତ ଅନେକ ବରିଷ୍ଠ ଆଇନଜୀବୀ ସମାଲୋଚନା କରିଥିଲେ । ଅଭିଯୋଗ ହୋଇଥିଲା ସରକାର ପ୍ରତିରକ୍ଷା ଅଧିଗ୍ରହଣ ନେଇ ପ୍ରଚଳିତ ଆଇନ ବ୍ୟବସ୍ଥା ଏଡାଇ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଯେଉଁଥି ପାଇଁ ଏହି କମ୍ପାନୀର ବାହ୍ୟ ପାର୍ଟନର ବା ଅଂଶୀଦାର ହୋଇଥିବା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀକୁ ଅନୁକମ୍ପା ଦିଆଯାଇଛି ଏବଂ କମ୍ପାନୀ 40 ହଜାର କୋଟି ଫାଇଦା ପାଇଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ 50ରୁଅଧିକ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ବିଭିନ୍ନ ନଥିପତ୍ର ମଧ୍ୟ ଦାଖଲ ହୋଇଥିଲା ।
ସୁପ୍ରିମକୋର୍ଟ ଏହାର ଶୁଣାଣି କରି ସମସ୍ତ ମାମଲା ଖାରଜ କରିବା ସହ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ପୁଣିଥରେ ଏହି ମାମଲାକୁ ନେଇ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ବର୍ଷ 2015ରେ ଉଚ୍ଚତମ ନ୍ୟାୟାଳୟ ରାଫେଲ ମାମଲାରେ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ । ତେବେ ଏହି ମାମଲାର ଭବିଷ୍ୟତ କଣ ହେବ ଅବସର ପୂର୍ବରୁ ତାହାର ଚୂଡାନ୍ତ ରାୟ ଦେବେ ମୁଖ୍ୟ ବିଚାରପତି । ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁ ଗୋପାଳ ଯୁକ୍ତି ରଖିଥିଲେ ରାଫେଲ ମାମଲା ନ୍ୟାୟିକ ଯାଞ୍ଚ ପାଇଁ ନୁହେଁ, ଏହାର ଯାଞ୍ଚ ପ୍ରତିରକ୍ଷା ବିଶେଷଜ୍ଞଙ୍କ ପାଇଁ ଉଦ୍ଦିଷ୍ଟ ।
ଏହି ସୁରକ୍ଷା ସମ୍ବନ୍ଧୀୟ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଚୌକିଦାର ଚୋର୍ ହୈ’ ନାରା ଦେଇଥିଲେ । ଯାହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଅଦାଲତାରେ ଅପ୍ରେଲ 10ରେ କ୍ଷମା ମାଗିବାକୁ ପଡିଥିଲା ।
ସାବରୀମାଳା ମାମଲା: କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣା ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର 28 ସେପ୍ଟେମ୍ବର 2018ରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ । ସାବରିମାଲା ମନ୍ଦିରକୁ ସବୁବର୍ଗର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ । ଯାହାକୁ ନେଇ ସମଗ୍ର କେରଳରେ ଅସନ୍ତୋଷ ବୃଦ୍ଧି ପାଇବା ସହ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରାଯାଇଥିଲା ।