ଓଡିଶା

odisha

ETV Bharat / bharat

100 ବର୍ଷରୁ ଚାଲିଛି ଅଯୋଧ୍ୟା ବିବାଦ

2.77 ଏକର ଜମି ଉପରେ ନିର୍ମିତ ବାବରୀ ମସଜିଦକୁ ନେଇ ଆରମ୍ଭ ହୋଇଥିବା ବିବାଦ 100 ବର୍ଷରୁ ଚାଲିଛି । ଏହି ମାମଲା ପ୍ରଥମ ଥର ପାଇଁ 1885 ମସିହାରେ ଅଦାଲତରେ ପହଞ୍ଚିଥିଲା । ତଥାପି ଏବେ ବିବାଦର ସମାଧାନ ଏବେ ସୁଦ୍ଧା ହୋଇପାରିନାହିଁ ।

ଫାଇଲ ଫଟୋ

By

Published : Jul 17, 2019, 4:39 PM IST



ହାଇଦ୍ରାବାଦ: 100 ବର୍ଷରୁ ବି ଅଧିକ ସମୟ ଧରି ଚାଲି ଆସୁଛି ଅଯୋଧ୍ୟା ରାମ ମନ୍ଦିର-ବାବରୀ ମସ୍‌ଜିଦ ବିବାଦ । କିନ୍ତୁ ଏବେ ସୁଦ୍ଧା ହୋଇପାରିନାହିଁ ଏହି ସମସ୍ୟାର କୌଣସି ସମାଧାନ । ତେବେ ଆସନ୍ତୁ ଜାଣିବା 2.77 ଏକର ଜମି ଉପରେ ନିର୍ମିତ ମସଜିଦକୁ ନେଇ ଆରମ୍ଭ ହୋଇଥିବା ଅଯୋଧ୍ୟା ବିବାଦର ଘଟଣାବଳୀ ସମ୍ବନ୍ଧରେ ।

  • 1528 ମସିହାରେ ମୋଗଲ ସମ୍ରାଟ ବାବରର ସେନାପତି ମୀର ବାକି ଦ୍ବାରା ନିର୍ମିତ ହୋଇଥିଲା ବାବରୀ ମସଜିଦ ।
  • 1859 ରେ ସାମ୍ପ୍ରଦାୟିକ ଦଙ୍ଗା ହେବାରୁ ଏଠାରେ ଏକ ପାଚେରୀ ନିର୍ମାଣ କରାଗଲା । ଯାହାର ଭିତର ଅଂଶ ମୁସଲମାନଙ୍କୁ ଦିଆଗଲା ଏବଂ ବାହାର ଅଂଶ ହିନ୍ଦୁଙ୍କୁ ।
  • ଏହି ମାମଲା ପ୍ରଥମ ଥର ପାଇଁ 1885 ମସିହାରେ ଅଦାଲତରେ ପହଞ୍ଚିଥିଲା । ମହନ୍ତ ରଘୁବର ଦାସ ଫୈଜାବାଦ ଅଦାଲତରେ ବାବରୀ ମସଜିଦକୁ ଲାଗି ରହିଥିବା ଜମିରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରିଦେଇଥିଲେ ।
  • 1949 ମସିହାରେ ମସଜିଦରେ କିଛି ଲୋକ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିଥିଲେ । ଯେଉଁଥିପାଇଁ ଦୁଇ ପକ୍ଷ କୋର୍ଟକୁ ଯାଇଥିଲେ ଓ ବିବାଦୀୟ ସ୍ଥଳରେ ତାଲା ପକାଯାଇଥିଲାା
  • 1950 ରେ ଅଯୋଧ୍ୟା ନିବାସୀ ଗୋପାଳ ସିଂହ ବିଶାରଦ ଫୈଜାବାଦ ଅଦାଲତରେ ଏକ ଯାଚିକା ଦାଖଲ କରି ଭଗବାନ ରାମଙ୍କ ପୂଜାର୍ଚ୍ଚନା ଜାରି ରଖିବାକୁ ଏବଂ ମସଜିଦରେ ରାମଙ୍କ ମୂର୍ତ୍ତୀ ରଖିବାକୁ କୋର୍ଟଙ୍କ ଅନୁମତି ମାଗିଥିଲେ ।
  • 1959 ରେ ନିର୍ମୋହି ଅଖାଡା ପକ୍ଷରୁ ବିବାଦୀୟ ସ୍ଥଳକୁ ସ୍ଥାନାନ୍ତରଣ କରିବାକୁ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା ।
  • 1981 ରେ ଉତ୍ତର ପ୍ରଦେଶର ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ ଏହି ସ୍ଥଳ ଉପରେ ନିଜର ହକ୍ ଥିବା କହି କୋର୍ଟରେ ଏକ ଯାଚିକା ଦାୟର କରିଥିଲା ।
  • 1 ଫେବୃଆରୀ 1986 ରେ ଫୈଜାବାଦ ଜିଲ୍ଲା କୋର୍ଟ ବିବାଦୀୟ ସ୍ଥଳରେ ହିନ୍ଦୁଙ୍କୁ ପୂଜାର୍ଚ୍ଚନା କରିବାର ଅନୁମତି ଦେଇଥିଲେ । ଏହାପରେ ତାଲା ପୁଣି ଖୋଲାଗଲା । ଏହାକୁ ବିରୋଧ କରି ମୁସଲମାନ ସଂଗଠନ ବାବରୀ ମସଜିଦ ଏକ୍ସନ କମିଟି ଗଠନ କରିଥିଲେ ।
  • 14 ଅଗଷ୍ଟ 1989 ରେ ଆହ୍ଲାବାଦ ହାଇକୋର୍ଟ ବିବାଦରେ ଯଥାସ୍ଥିତି ବନାଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
  • 6 ଡିସେମ୍ବର 1992ରେ ହଜାର ହଜାର କର ସେବକ ଅଯୋଧ୍ୟା ପହଞ୍ଚି ବାବରୀ ମସଜିଦ ଭାଙ୍ଗି ଦେଇଥିଲେ । ଏହାପରେ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା । ସେହି ସମୟରେ ପି.ଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ । ଏହି ସମୟ ସେଠାରେ ଏକ ଅସ୍ଥାୟୀ ରାମ ମନ୍ଦିର ନିର୍ମାଣ କରାଗଲା । ତେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସେତେବେଳେ ମସଜିଦର ପୁନଃନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ ।
  • 16 ଡିସେମ୍ବର 1992ରେ ମସଜିଦ ଭଙ୍ଗାରୁଜାର ତଦନ୍ତ କରିବା ପାଇଁ ଲିବ୍ରହାନ କମିଟି ଗଠନ କରାଗଲା ।
  • ଜାନୁଆରୀ 2002 ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଜ କାର୍ଯ୍ୟକାଳରେ ଏକ ଅଯୋଧ୍ୟା ବିଭାଗ ଆରମ୍ଭ କଲେ । ଏହି ବିବାଦର ସମାଧାନ ପାଇଁ ହିନ୍ଦୁ ଏବଂ ମୁସଲମାନଙ୍କ ସହ ଆଲୋଚନା କରିବା ଏହି ବିଭାଗର ଦାୟିତ୍ବ ଥିଲା ।
  • ଏପ୍ରିଲ 2002 ରେ ଅଯୋଧ୍ୟାର ବିବାଦୀୟସ୍ଥଳ ଉପରେ ମାଲିକାନା ହକକୁ ନେଇ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ଆରମ୍ଭ ହୋଇଥିଲା । ବିଚାରପତିଙ୍କ 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।
  • 2003 ମାର୍ଚ୍ଚ ରୁ ଅଗଷ୍ଟ ମଧ୍ୟରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବିବାଦୀୟ ସ୍ଥଳରେ ତଦନ୍ତ କରିଥିଲେ । ତଦନ୍ତ ପରେ ମସଜିଦ ତଳେ ମନ୍ଦିର ଅବଶେଷର ପ୍ରମାଣ ମିଳିଥିବା ସେମାନେ ଦାବି କରିଥିଲେ ।
  • ସେପ୍ଟେମ୍ବର 2003 ରେ ଏକ ଅଦାଲତ ମସଜିଦ ଭାଙ୍ଗିବାକୁ ଉସୁକାଇଥିବା 7 ହିନ୍ଦୁ ନେତାଙ୍କୁ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ କହିଥିଲେ ।
  • ଜୁଲାଇ 2009ରେ ଲିବ୍ରହାନ କମିଶନ ଗଠନର 17 ବର୍ଷ ପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।
  • 28 ସେପ୍ଟେମ୍ବର 2010ରେ ଆହ୍ଲାବାଦର ଉଚ୍ଚ ନ୍ୟାୟାଳୟ ବିବାଦ ମାମଲାରେ ଶୁଣାଣି ବନ୍ଦ କରିବାକୁ ଅନୁରୋଧ କରାଯାଇଥିବା ଆବେଦନକୁ ଖାରଜ କରି ଏହାକୁ ଆଗକୁ ବଢେଇବାକୁ ନିର୍ଦ୍ଦେଶ ଦେଇଥିଲେ ।
  • 30 ସେପ୍ଟେମ୍ବର 2010ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଲକ୍ଷ୍ନୌ ପୀଠ ଐତିହାସିକ ରାୟ ଶୁଣାଇଥିଲେ । ବିବାଦୀୟ ଜମିକୁ 3 ଭାଗରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାର ଗୋଟିଏ ଭାଗ ରାମ ମନ୍ଦିର, ଦ୍ବିତୀୟ ଭାଗ ସୁନ୍ନୀ ୱାକଫଂ ବୋର୍ଡ ଏବଂ ତୃତୀୟ ଭାଗ ନିର୍ମୋହୀ ଅଖାଡାକୁ ଦିଆଯାଇଥିଲା ।
  • ମେ 9 2011 ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଥିଲେ ।
  • 26 ଫେବୃଆରୀ, 2016 ରେ ସୁବ୍ରମଣ୍ୟମ ସ୍ବାମୀ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରି ରାମ ମନ୍ଦିର ନିର୍ମାଣ କରିବାକୁ ଅନୁମତି ମାଗିଥିଲେ ।
  • 21 ମାର୍ଚ୍ଚ 2017ରେ ସୁପ୍ରିମ କୋର୍ଟ ଏହି ମାମଲାକୁ ପରସ୍ପର ମଧ୍ୟରେ ସମାଧାନ କରିବାକୁ କହିଥିଲେ ।
  • 19 ଏପ୍ରିଲ 2017 ରେ ସୁପ୍ରିମ କୋର୍ଟ ବାବରୀ ମସଜିଦ ଭଙ୍ଗାରୁଜା ମାମଲାରେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ଉମା ଭାରତୀ ସମେତ ଅନେକ ନେତାଙ୍କ ବିରୋଧରେ ଅପରାଧିକ ମାମଲା ଚଲାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
  • ଅଗଷ୍ଟ 7 2017 ରେ ସୁପ୍ରିମ କୋର୍ଟ 1994ର ଶୁଣାଣିକୁ ଚ୍ୟାଲେଞ୍ଜ କରୁଥିବା ଯାଚିକାର ଶୁଣାଣି ପାଇଁ 3 ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଗଠନ କରାଯାଇଥିଲା ।
  • 27 ସେପ୍ଟେମ୍ବର 2018 ରେ ସୁପ୍ରିମ କୋର୍ଟ ମାମଲାର ଶୁଣାଣି ପାଇଁ 7 ଜଣିଆ ଖଣ୍ଡପୀଠ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ।
  • 29 ଅକ୍ଟୋବର 2018 ରେ 3 ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେଇଥିଲେ ଯେ, ଉପଯୁକ୍ତ ଖଣ୍ଡପୀଠ ଗଠନ ହେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି 2019 ଜାନୁଆରୀରେ ହେବ ।
  • 4 ଜାନୁଆରୀ 2019ରେ ରାୟ ସଂରକ୍ଷିତ ରଖି ପରବର୍ତ୍ତୀ ଶୁଣାଣି ଜାନୁଆରୀ 10 ରେ ହେବ ବୋଲି କୋର୍ଟ କହିଥିଲେ ।
  • 10 ଜାନୁଆରୀ 2019 ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗାଇ 5 ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଗଠନ କରିଥିଲେ ।
  • 2019 ମାର୍ଚ୍ଚ 8 ରେ ଏହି ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା ଜରିଆରେ କରାଯିବ ବୋଲି କୋର୍ଟ କହିଥିଲେ । ଏଥିପାଇଁ ୩ ଜଣିଆ ମଧ୍ୟସ୍ଥତା କମିଟି ଗଠନ କରାଗଲା ।
  • 2019 ମାର୍ଚ୍ଚ 13 ବିଭିନ୍ନ ପକ୍ଷ ମଧ୍ୟସ୍ଥି ମାନଙ୍କ ଆଗରେ ହାଜର ହୋଇ ନିଜର ମତାମତ ରଖିଥିଲେ ।

ABOUT THE AUTHOR

...view details