ହାଇଦ୍ରାବାଦ: ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟାଦ'ରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ନିଭାଇଥିବାରୁ ମୋଦିଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ମିଳିଛି । ତେବେ 2014 ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରଠାରୁ ତାଙ୍କୁ ଅନେକ ବିଦେଶୀ ରାଷ୍ଟ୍ର ସମ୍ମାନିତ କରିଛନ୍ତି । ନଜର ପକାନ୍ତୁ ମୋଦି ପାଇଥିବା ସମ୍ମାନଗୁଡିକ ଉପରେ ।
2016 ମସିହା ଏପ୍ରିଲ 3ରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ । ତାଙ୍କୁ ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ସମ୍ମାନ 'ଜାୟେଦ ମେଡାଲ'ରେ ସମ୍ମାନିତ କରାଯାଇଥିଲା । ୟୁଏଇ ରାଷ୍ଟ୍ରପତି ଖଲିଫା ବିନ୍ ଜାୟେଦ ଅଲ ନାହୟାନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ରଣନୈତିକ ସମ୍ପର୍କରେ ମୋଦିଙ୍କ ଉଲ୍ଲେଖନୀୟ ଭୂମିକା ଯୋଗୁଁ ତାଙ୍କୁ ଏହି ସମ୍ମାନ ମିଳିଥିଲା । 'ଜାୟେଦ ମେଡାଲ' ରାଜା, ରାଷ୍ଟ୍ରପତି ଏବଂ ଦେଶର ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ଅଟେ ।
ଏହାପରେ 2016 ଏପ୍ରିଲ 4 ତାରିଖରେ ମୋଦିଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅମାନୁଲ୍ଲାହ ଖାନ (ଗାଜୀ)' ରେ ସମ୍ମାନିତ କରାଯାଇଥିଲା ।
2018 ଫେବୃଆରୀ 10 ରେ ମୋଦିଙ୍କୁ 'ଗ୍ରାଣ୍ଡ କୋଲାର ଅଫ ଦି ଷ୍ଟେଟ ଅଫ ପାଲେଷ୍ଟାଇନ' ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନ ପାଇଁ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ବାସ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ ।