ବିଗତ ଚାରିବର୍ଷ ହେଲା ଭାରତ ଏବଂ ଅଷ୍ଟ୍ରେଲିଆ ଏକ ଗୁରୁତ୍ଵପୂର୍ଣ୍ଣ ସାମରିକ ଓ କୂଟନୀତିକ ସମ୍ପର୍କରେ ଭାଗିଦାର ହୋଇଛନ୍ତି ବୋଲି କହନ୍ତି ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ହାରିନ୍ଦର ସିଦ୍ଧୁ। ଏ ଭିତରେ ଦୁଇ ଦେଶ ଭିତରେ ଅର୍ଥନୀତିକ ଓ ବାଣିଜ୍ୟିକ ସମ୍ପର୍କ ତଥା କୂଟନୀତିକ ସମ୍ପର୍କ ରକ୍ଷା ପାଇଁ ଅନେକ ଦ୍ଵିପାକ୍ଷିକ ଏବଂ ବହୁ ପାକ୍ଷିକ ବୁଝାମଣା ସ୍ଵାକ୍ଷର ହୋଇଛି।
ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ବୁଝାମଣା ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୪ ମସିହାରେ ଏହିପରି ଚୁକ୍ତି ସଂଖ୍ୟା ମାତ୍ର ଥିବାବେଳେ ୨୦୧୪ ବେଳକୁ ତାହା ୩୯ରେ ପହଞ୍ଚିଛି । ଏବେ ଦୁଇ ଦେଶ ସମ୍ପର୍କର ନୂଆ ମାଇଲଖୁଣ୍ଟ ସ୍ଥାପନ ଲାଗି ଉଭୟ ଦେଶ ମଧ୍ୟରେ ସୈନ୍ୟ ସଞ୍ଚାଳନ ତଥା ସୈନ୍ୟଙ୍କ ରହିବା ତଥା ଯାତାୟତ କରିବା ବାବଦରେ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷର କରିବାକୁ ଯାଉଛନ୍ତି ବୋଲି ସିଦ୍ଧୁ କହିଛନ୍ତି।
ଦୀର୍ଘ ଚାରିବର୍ଷ ହେଲା ନୂଆଦିଲ୍ଲୀରେ ଉଚ୍ଚାୟୁକ୍ତଙ୍କ ଦାୟିତ୍ଵ ଦୁଲାଇବା ପରେ ଏବେ କାନ୍ବେରା ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି ସିଦ୍ଧୁ। ଏହି ଭାରତୀୟ ବଂଶୋଦ୍ଭବ ଦେଶ ସ୍ଵାଧୀନ ହେଲାପରେ ଅଷ୍ଟ୍ରେଲିଆରେ ବସତି ସ୍ଥାପନ କରିଛନ୍ତି। ଆସନ୍ତା କିଛିମାସ ଭିତରେ ଉଭୟ ଦେଶ ଏହି ସୈନ୍ୟ ସଂଚାଳନ ବାବଦୀୟ ଚୁକ୍ତିରେ ସ୍ଵାକ୍ଷର କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହା ହେଲେ ଦୁଇ ଦେଶ ଭିତରେ ସମ୍ପର୍କ ଆହୁରି ମଜଭୁତ ହୋଇପାରିବ। ବୈଦେଶିକ ବ୍ୟାପାର ବାବଦରେ ରୁଚି ରଖୁଥିବା କିଛି ମହିଳା ସମ୍ପାଦକଙ୍କ ସହ କଥାବାର୍ତ୍ତା ସମୟରେ ସିଦ୍ଧୁ କହିଛନ୍ତି, ଆମ ଭିତରେ ଅନେକ ସାମଞ୍ଜସ୍ୟ ତଥା ପରସ୍ପରକୁ ଫାଇଦା ଦେବା ଭଳି ବିଷୟ ରହିଛି। ଆମେ ହିନ୍ଦୁ-ପ୍ରଶାନ୍ତ ଅଞ୍ଚଳରେ ସହଯୋଗୀ ଖୋଜୁଛୁ, ଆଉ ଭାରତ ଏଥିରେ ପ୍ରଥମ ପସନ୍ଦ ହୋଇପାରେ। ଭାରତ ଅଷ୍ଟ୍ରେଲିଆ ଠୁ ଭଲ ବନ୍ଧୁ ଆଗକୁ ପାଇବ ନାହିଁ ବୋଲି ବିଚାର କରିବା ଦରକାର।
ଅଷ୍ଟ୍ରେଲିଆ ମଧ୍ୟ ଭାରତକୁ ସବୁଠାରୁ ଘନିଷ୍ଠ ବନ୍ଧୁ ଭାବେ ଗ୍ରହଣ କରିବା ଦରକାର। ଆମ ଭିତରେ ବନ୍ଧୁତ୍ଵ ନିବିଡ଼ କରିବା ଲାଗି ଅନେକ ସୁଯୋଗ ରହିଛି, ବାସ୍ତବରେ ଏଥିରେ ପ୍ରତିବନ୍ଧକ ନାହିଁ। ଆମେ ଯେଉଁଠି ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ ସେଠାରେ ସେମାନେ ଅଜେୟ ନୁହନ୍ତି।
ଏଣୁ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ବନ୍ଧୁତ୍ଵ ଏସିଆ ମହାଦେଶରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେବ। ‘ଆମେ ଏବେ ଏହି ସାମରିକ ଚୁକ୍ତି ବାବଦରେ ଅଗ୍ରସର ହେଉଛୁ। ମୁଁ ଭାବୁଛି ଚଳିତ ବର୍ଷ ଏହା ଆଲୋକ ଦେଖିବ, ବୋଲି ସିଦ୍ଧୁ କହିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତର ଅବିକଳ ବୁଝାମଣା ରହିଛି। ନିକଟ ଅତୀତରେ ଶେଷ ହୋଇଥିବା ୨+୨ ଶିଖର ବୈଠକରେ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପର ମନ୍ତ୍ରୀମାନେ ଏ ବିଷୟରେ ଆଲୋଚନା କରିଛନ୍ତି। ଜାପାନ ସହ ଏହି ଆଲୋଚନା ସମୟରେ ଆକ୍ଵିଜିସନ୍ ଆଣ୍ଡ କ୍ରସ୍ ସର୍ଭିସିଂ ଏଗ୍ରିମେଣ୍ଟ (ଏସିଏସ୍ଏ) ବୁଝାମଣା ଆଗକୁ ବଢ଼ିଛି।
ଥରେ ଜାପାନ ସହ ଏହି ବୁଝାମଣା ଶେଷ ହେବା ପରେ ଅଷ୍ଟ୍ରେଲିଆ ଏ ଦିଗରେ ଆଗକୁ ବଢ଼ିବ। ଏହା ହେଲେ ଭାରତ ମହାସାଗରୀୟ ଅଞ୍ଚଳରେ ଭାରତୀୟ ନୌବାହିନୀର ଶକ୍ତି ଆହୁରି ମଜଭୁତ ହେବ। ଅଷ୍ଟ୍ରେଲିଆ ଏଥିରେ ହାତ ମିଶାଇ ଦୁର୍ବିପାକ ସମୟର ସହାୟତା ଏବଂ ମାନବ ସହାୟତା ଦିଗରେ
ଯତ୍ନବାନ ହେବ।
ଏ ବାବଦରେ ଆବଶ୍ୟକ ସରକାରୀ ଘୋଷଣା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ଭାରତ ଗସ୍ତ ସମୟରେ ହୋଇପାରେ। ସ୍କଟ୍ ଚଳିତ ମାସରେ ନୂଆଦିଲ୍ଲୀରେ ହୋଇଥିବା ରାଇଜିନା ଡାଇଲଗ୍ରେ ଯୋଗ ଦେବା ପାଇଁ ଭାରତ ଆସିବାକୁ ଥିଲା। ମାତ୍ର କିଛି କାରଣ ବଶତଃ ସେ ଏହି ଗସ୍ତକୁ ଶେଷ ସମୟରେ ବାତିଲ୍ କରିଥିଲେ।
ଅଷ୍ଟ୍ରେଲିଆରେ ଜଙ୍ଗଲ ପୋଡ଼ି ଏହାର ମୁଖ୍ୟ କାରଣ ଥିଲା। ଆଶା କରାଯାଉଛି ଜୁଲାଇ ମାସରେ ସେ ଭାରତ ଗସ୍ତରେ ଆସିବେ । ଆଉ ଏହି ସାମରିକ ସମ୍ପର୍କ ବାବଦରେ ଘୋଷଣା କରିବେ।
ହିନ୍ଦ-ପ୍ରଶାନ୍ତ ମହାସାଗର ଚୀନକୁ ଅବରୋଧ କରିବା ଲକ୍ଷ୍ୟ ରଖିନାହିଁ
ହିନ୍ଦ୍-ପ୍ରଶାନ୍ତ ମହାସାଗର ରଣନୀତି ସମ୍ବନ୍ଧରେ ଯାହା ଅଷ୍ଟ୍ରେଲିଆ ବିଚାର କରୁଛି, ସେଥିରେ ‘ଏସିଆନ୍’ ଦେଶଗୁଡ଼ିକ ସମୟ ସମ୍ପର୍କ ମଜଭୁତ ରଖିବା ପ୍ରୟାସ ଅନ୍ତର୍ଭୁକ୍ତ।
ଏହି ଅଞ୍ଚଳର ଶକ୍ତ ଗଣତନ୍ତ୍ରଗୁଡ଼ିକ ସହ ମିଶି କାର୍ଯ୍ୟ କରିବା, ଏକ ଆମେରିକୀୟ ସହଯୋଗୀ ଭାବେ ଏହି ରାଷ୍ଟ୍ରଗୁଡ଼ିକ ସହ ବାଣିଜ୍ୟେକ ସମ୍ପର୍କକୁ ବୃଦ୍ଧି କରିବା ଏବଂ ଚୀନକୁ କରିବା ନୁହେଁ ବରଂ ଏହାସହ ଗଠନମୂଳକ ବାଣିଜ୍ୟିକ ସମ୍ପର୍କ ରକ୍ଷା କରିବା ପ୍ରଭୃତି ଏହି ବୁଝାମଣାର ଲକ୍ଷ୍ୟ ରହିଛି।
ଆମେ ଏମିତି ଏକ ହିନ୍ଦ୍-ପ୍ରଶାନ୍ତ ଅଞ୍ଚଳ ଚାହୁଁଛୁ । ଯାହା ମୁକ୍ତ ହୋଇଥିବ, ଯେଉଁଠାରେ ଥିବା ଦେଶଗୁଡ଼ିକ ସାର୍ବଭୌମ ଏବଂ ନିଜର ସ୍ଵାଧୀନତାକୁ ଉପଯୋଗ କରିବା ପାଇଁ ସ୍ଵାଧୀନ ଥିବେ। ଏହିକ୍ରମରେ ଦେଖିବାକୁ ଗଲେ ଆମେ ଭାବୁଛୁ ଭାରତର କୌଣସି ବିକଳ୍ପ ନାହିଁ। ହିନ୍ଦ୍-ପ୍ରଶାନ୍ତ ସାଧାରଣ ଲକ୍ଷ୍ୟ ବାବଦରେ ଆଲୋଚନା କରିବା ସମୟରେ ସିଦ୍ଧୁ ଏହା କହିଛନ୍ତି।
ରାଇଜିନା ଶିଖର ବୈଠକ ସମୟରେ ଋଷ ବୈଦେଶିକ ମନ୍ତ୍ରୀ ଲାଭ୍ରବ୍ଙ୍କ ହିନ୍ଦ୍-ପ୍ରଶାନ୍ତ ସମ୍ପର୍କିତ ମନ୍ତବ୍ୟରେ ଏହା ଚୀନ୍କୁ ବିରୋଧ କରିବା ଲାଗି ଆମେରିକାର ଏକ ଚାଲ୍ ବୋଲି କହିବା ପ୍ରସଙ୍ଗକୁ ସିଦ୍ଧୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଏମିତି କୌଣସି ପରିଯୋଜନା ନୁହେଁ ଯାହା କୌଣସି ଗୋଟିଏ ଦେଶର ଚାପରେ ଆଗକୁ ବଢ଼ିଛି।
ପୁଣି ଏହି ଯୋଜନାରେ କୌଣସି ଦେଶକୁ ଅଲଗା କରି ରଖିବା ଉଦ୍ଦେଶ୍ୟ ନାହିଁ। ଏହା ଏମିତି ଏକ ପରିକଳ୍ପନା ଯେଉଁଠାରେ ଏକ ସାମରିକ ଓ କୂଟନୀତିକ ସମ୍ପର୍କ ରକ୍ଷା ପାଇଁ ପ୍ରୟାସ ହୋଇଛି। ଅପରପକ୍ଷେ ଦେଖିବାକୁ ଗଲେ ଚୀନ୍ ହିନ୍ଦ୍-ପ୍ରଶାନ୍ତ ଭୌଗୋଳିକ ସ୍ଥିତିର ଏକ ଅଭିନ୍ନ ଅଙ୍ଗ।
ଆମେରିକା ଏବଂ ଜାପାନ ସହ ଭାରତର ନୌ-ସାମରିକ ଯୁଦ୍ଧ ଅଭ୍ୟାସ ତଥା ମାଲାବାର୍ ଅଭ୍ୟାସରେ ଅଷ୍ଟ୍ରେଲିଆ ସାମିଲ୍ ହେବା ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଉଛି ସେ ସମ୍ପର୍କରେ ମତ ରଖି ସିଦ୍ଧୁ କହିଛନ୍ତି, ଯଦି ଭାରତ ଅଷ୍ଟ୍ରେଲିଆକୁ ନିମନ୍ତ୍ରଣ ଦିଏ ତେବେ ଅଷ୍ଟ୍ରେଲିଆ ସେଥିରେ ସହମତି ପ୍ରକାଶ କରିବ ଏବଂ ତାହାକୁ ଗ୍ରହଣ କରିବ।