ମୁମ୍ବାଇ: ଚୀନରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ପାଖାପାଖି 16 ଶହରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରି ଥିବାବେଳେ 67 ହଜାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କୋରୋନାର ଭୟାଭହତାକୁ ଦେଖି ଭାରତ ସମେତ ଅନ୍ୟଦେଶ ମାନଙ୍କ ସହ ଚୀନର ସମ୍ପର୍କ ଛିନ୍ନ ହୋଇଛି । ଆଉ ଏହାରି ମଧ୍ୟରେ ମୁମ୍ବାଇ ନିବାସୀ ଜଣେ ମହିଳାଙ୍କ ମୃତଦେହ ଚୀନରେ ଫସି ରହିଥିବାବେଳେ କୌଣସି ବିମାନ ଭାରତକୁ ଆସୁନଥିବାରୁ ଗତ 23 ଦିନ ଧରି ମୃତଦେହକୁ ଭାରତ ଆଣିବାକୁ ଅପେକ୍ଷା କରି ରହିଥିବା ପରିବାର ଏବେ ନିରୁପାୟ ହୋଇ ପ୍ରଧାନମନ୍ତ୍ରୀଙ୍କ ଗୁହାରି କରିଛନ୍ତି । ଯାହାଦ୍ବାରା ମୃତ ମହିଳାଙ୍କ ଅନ୍ତିମ ସତ୍କାର ହୋଇପାରିବ ।
କୁହାଯାଉଛି କି, ମୁମ୍ବାଇ ନିବାସୀ 63 ବର୍ଷୀୟ ରିତା ମେହେରା ନାମକ ମହିଳା 24 ଜାନୁଆରୀରେ ନିଜ ଡାକ୍ତର ପୁଅ ପୁନିତ ମେହେରାଙ୍କ ସହ ଅଷ୍ଟ୍ରୋଲିଆ ଠାରୁ ବେଜିଂ ରାସ୍ତା ଦେଇ ଭାରତକୁ ଫେରୁଥିଲେ । ମାତ୍ର ପୁଅ ପୁନିତଙ୍କ କହିବାନୁସାରେ, ଉଡାଣ ଭରିବା ଆରମ୍ଭ ସମୟରେ ହିଁ ରିତା ଶୌଚାଳୟକୁ ଯାଇ ବହୁତ ସମୟ ଧରି ଆଉ ଫେରିନଥିଲେ । ଏହାପରେ କ୍ରୁ ମେମ୍ବରଙ୍କୁ ଜଣାଇବା ପରେ ତାଙ୍କୁ ଅଚେତ ଅବସ୍ଥାରେ ବନ୍ଦ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା ।