ଓଡିଶା

odisha

ETV Bharat / bharat

ଶେଷରେ ‘ଜନତା କର୍ଫ୍ୟୁ’ର ଉଦ୍ଦେଶ୍ୟ ଭୁଲିଗଲେ ଜନତା

12 ଘଣ୍ଟାର ତପସ୍ୟାକୁ ଶୁଖୁଆ ପୋଡା କରିଦେଲା #clapat5 । 14 ଘଣ୍ଟାର ନିରବ ନିର୍ଜନତା ପରେ ଆରମ୍ଭ ହୋଇଥିଲା ନାମଯଜ୍ଞ । ଉତ୍ସୁକ ଜନତା କର୍ଫ୍ୟୁର ଉଦ୍ଦେଶ୍ୟକୁ ଭୁଲି ମନାଇଥିଲେ ଉତ୍ସବ । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯିବା ସହ ଟ୍ବିଟରରେ ଟ୍ରେଣ୍ଡ କରୁଛି #stupidity । ଅଧିକ ପଢନ୍ତୁ...

janata curfew
ଶେଷ ବେଳକୁ ଜନତା କର୍ଫ୍ୟୁର ଉଦ୍ଦେଶ୍ୟ ଭୁଲି ଗଲେ ଜନତା

By

Published : Mar 23, 2020, 1:47 PM IST

Updated : Mar 23, 2020, 1:59 PM IST

ହାଇଦ୍ରାବାଦ: 14 ଘଣ୍ଟା ପାଇଁ ବନ୍ଦ ରହିଲା ସାରା ଦେଶ । ଯେମିତି ଅଟକି ଯାଇଥିଲା ଜନ ଜୀବନ । ପ୍ରାଣ ଭୟରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଅକ୍ଷର ଅକ୍ଷରେ ପାଳନ କଲେ ସଭିଏଁ । ମହାମାରୀ କୋରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁକୁ ମିଳିଥିବା ଅଦ୍ଭୂତ ପୂର୍ବ ସମର୍ଥନ । ସକାଳ 7ଟାରୁ ରାତି 9 ପର୍ଯ୍ୟନ୍ତ ଜରୁରୀ ନଥିଲେ କେହି ଘରୁ ବାହାରି ନଥିଲେ । ଜରୁରୀ ସେବା ବ୍ୟତୀତ ଗାଡି ଚଳାଚଳ ବି ବନ୍ଦ ରହିଥିଲା । କୋରୋନା ଚେନକୁ ରୋକିବା ପାଇଁ ଗୋଟିଏ ଦିନର ଜନତା କର୍ଫ୍ୟୁ କେତେ ସଫଳ ହୋଇଛି ?

ସମଗ୍ର ବିଶ୍ବକୁ ଖାଇ ଗୋଡାଉଛି କୋରୋନା ଡର । ଚୀନ ଉହାନ ସହରରୁ ଉତ୍ପତ୍ତି ହୋଇଥିବା ଭାଇରସ ବିଶ୍ବର 186 ଦେଶକୁ କବଳିତ କରି ରଖିଛି । ଯାହା ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି । ହେଲେ ବର୍ତ୍ତମାନ ଚୀନ ସ୍ଥିତିରେ ସୁଧାର ଆସିଥିବାବେଳେ, ୟୁରୋପ ମହାଦେଶରେ ଭୟଙ୍କର ରୂପ ନେଇଛି ।

ଇଟାଲୀରେ ତାଜା ସଂକ୍ରମଣ ରିପୋର୍ଟ 10.4 ପ୍ରତିଶତ ବୃଦ୍ଧି ପାଇ 59,138 ରେ ପହଞ୍ଚିଛି। ଇଟାଲୀର ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 5,476 ରେ ପହଞ୍ଚିଛି । ରବିବାର ଇଟାଲୀରେ 651 ଜଣ ପ୍ରାଣ ହରାଇଛନ୍ତି । ସେହିପରି ମହାମାରୀ କୋରୋନାରେ ଆମେରିକାରେ 24 ଘଣ୍ଟାରେ 100 ଜଣଙ୍କ ଜୀବନ ଯାଇଛି । ହେଲେ ସେପଟେ ଚୀନ ମୃତ୍ୟୁ ହାର କମିବା ସହ ସଂକ୍ରମଣ ମଧ୍ୟ ହ୍ରାସ ପାଇଛି । ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଚୀନ ଏବେ କୋରୋନା ନିୟନ୍ତ୍ରଣ କରିପାରିଛି ବୋଲି ଆଲୋଚନା କରାଯାଉଛି । ତେବେ ଏହାର କାରଣ କେବଳ ସମ୍ପୂର୍ଣ୍ଣ ଚୀନକୁ ଲକ ଡାଉନ ସାମାଜିକ ଦୂରତ୍ବକୁ ଗୁରୁତ୍ବ । ଯଦ୍ବାରା ଲୋକେ ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରହିବା ଦ୍ବାରା ସଂକ୍ରମଣ ମୁକ୍ତ ହୋଇପାରିଛନ୍ତି ।

ଚୀନର ମାଷ୍ଟର ପ୍ଲାନକୁ ଭାରତରେ ମଧ୍ୟ ଜନତା କର୍ଫ୍ୟୁ ଅର୍ଥାତ ଜନତାଙ୍କ ଦ୍ବାରା କର୍ଫ୍ୟୁ ଭାବେ ଦିନକ ପାଇଁ ଲାଗୁ କରାଯାଇଥିଲା । ଯଦ୍ବାରା ଲୋକେ ନିଜ ଘରେ ରହିବେ, ଆବଶ୍ୟକ ନଥିଲେ ବାହାରକୁ ବାହାରିବେ ନାହିଁ । ଯାହାକୁ ଦେଶବାସୀ ଏକଜଟୁ ହୋଇ ସଫଳ କରାଇଲେ । ହେଲେ କର୍ଫ୍ୟୁ ଶେଷ ବେଳକୁ ଯେମିତି କୋରୋନା ମୁକାବିଲା ଆମ ଦେଶ ପାଇଁ ପାଲଟିଯାଇଥିଲା ଉତ୍ସବ । ସତେ ଯେମିତି 14 ଘଣ୍ଟାର କର୍ଫ୍ୟୁ ଦ୍ବାରା ଆମେ କୋରୋନାକୁ ପରାସ୍ତ କରିଦେଇଛେ !

ପ୍ରକୃତ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫୁ ପାଳନ କରିବା ସହ କହିଥିଲେ, ଯେଉଁମାନେ କୋରୋନା ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ସେମାନଙ୍କ ନିମନ୍ତେ ପାଇଁ ନିଜ ଘରେ ରହି 5 ମିନିଟ ପାଇଁ କରତାଳି, ଘଣ୍ଟି କିମ୍ବା ଥାଳି ବଜାଇ ଉତ୍ସାହ କରନ୍ତୁ । କିନ୍ତୁ ଲୋକେ ନିଜେ ଘରେ ତ ଘରେ, ସାହିପଡିଶାଙ୍କ ସହ ମିଶି ଘଣ୍ଟଘଣ୍ଟି, ଥାଳି ତାଳି ମାରି ନଗର କିର୍ତ୍ତନ କରିବାକୁ ବି ପଛାଇ ନଥିଲେ । ଶେଷକୁ ଏମିତି ଚିତ୍ର ସାମ୍ନାକୁ ଆସିଥିଲା ଯେଉଁଠି ଗୋଷ୍ଠୀବଦ୍ଧ ହୋଇ ଲୋକେ ‘ଗୋ କୋରୋନା’ର ସ୍ଲୋଗାନ ଦେଉଥିଲେ । ଉଦ୍ଦେଶ୍ୟ ଥିଲା ନିଜକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଠାରୁ ନିଜକୁ ଦୂରେଇ ରଖିବା । କିନ୍ତୁ ଏ କଣ ? ଏମାନଙ୍କ କାର୍ଯ୍ୟକଳାପ ଦେଖି ନିଜେ ମୃତ୍ୟୁ ଆଡକୁ ଠେଲି ହୋଇଗଲା ଭଳି ମନେ ହେଉଥିଲା ।

ସୂଚନାଯୋଗ୍ୟ, ମହାମାରୀ କୋରୋନା ମୁକାବିଲା ପାଇଁ ଏଯାଏଁ କୌଣସି ପ୍ରତିଷେଧକ ବାହାରି ପାରିନାହିଁ । କିନ୍ତୁ ଆମେରିକା ସେପଟେ ଟୀକା ବାହାର କରିଥିବା ନେଇ ଦାବି କରିଛି । ତେବେ ସତର୍କ ଓ ସଚେତନତା ଦ୍ବାରା ହିଁ ମହାମାରୀ କୋରୋନାକୁ ରୋକା ଯାଇପାରିବ । ଏହାସହ ଥଣ୍ଡାକାଶ ହୋଇଥିଲେ ମୁହଁରେ ମାସ୍କ ବ୍ୟବହାର ସହ ବାରମ୍ବାର ହାତକୁ ଧୁଅନ୍ତୁ । କାରଣ କୋରୋନା ଏକ ସଂକ୍ରମିତ ରୋଗ । ଏହା ଜଣକ ଠାରୁ ଅନ୍ୟ ଜଣକୁ ବ୍ୟାପି ଥାଏ । ତେବେ ଆମ ଦେଶ ଦ୍ବିତୀୟ ପର୍ଯ୍ୟାୟରେ ଗତି କରୁଥିବାବେଳେ, ତୃତୀୟ ପର୍ଯ୍ୟାୟ ଅର୍ଥାତ ଗୋଷ୍ଠୀ ଭାବେ ଯେପରି ନ ବ୍ୟାପେ ସେନେଇ ପ୍ରାୟ ରାଜ୍ୟ ଲକଡାଉନ କରାଯାଉଛି । ଖାଲି ଦେଖିବାକୁ ବାକି ରହିଲା ଲୋକେ ଏହି ଲକ ଡାଉନ ନିର୍ଦ୍ଦେଶକୁ କେତେଦୂର ସଫଳ କରୁଛନ୍ତି !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 23, 2020, 1:59 PM IST

ABOUT THE AUTHOR

...view details