ଗୌହାଟୀ: ଜଳବନ୍ଦୀ ଆସାମା। ଅସମ୍ଭାଳ ହେଉଛି ବନ୍ୟା ପରିସ୍ଥିତି। ତେବେ ସୋମବାର ସୁଦ୍ଧା ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ଆସାମରେ ବନ୍ୟା ପରିସ୍ଥିତି 17 ଟି ଜିଲ୍ଲାର ପ୍ରାୟ 6,80,931 ଲୋକଙ୍କୁ ପ୍ରଭାବିତ କରିଛି। 62 ଟି ରିଲିଫ୍ କ୍ୟାମ୍ପରେ 4,852 ଜଣ ଲୋକ ରହିଛନ୍ତି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏହାସହ ଭାରତୀୟ ପାଣିପାଗ ବିଭାଗ (IMD)ଆସାମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି।
ବର୍ତ୍ତମାନର ବନ୍ୟା ପରିସ୍ଥିତି ଯୋଗୁଁ ଅତିକମରେ 8,91,897 ବିଭିନ୍ନ ଗୃହପାଳିତ ପଶୁ ଏବଂ 8,01,233 କୁକୁଡ଼ା ପ୍ରଭାବିତ ହୋଇଛନ୍ତି। ତଥାପି ଲକ୍ଷ୍ମୀପୁର, ଶିଭାସଗର, ବୋଙ୍ଗାଗାଁଓ,ହୋଜାଇ,ଉଦାଲଗୁରୀ,ମାଜୁଲୀ ଏବଂ ପଶ୍ଚିମ କାର୍ବୀରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି। ଧୀରେ ଧୀରେ ଜଳସ୍ତର ହ୍ରାସ ପାଉଛି।
ଜାତୀୟ ବିପର୍ଯ୍ୟୟ ମୁକାବିଲା ଦଳ, ଆସାମ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳର କର୍ମଚାରୀ, ସ୍ଥାନୀୟ ପ୍ରଶାସନ ସହିତ, ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ଏବଂ ମରାମତି କାର୍ଯ୍ୟ ଗ୍ରାମବାସୀଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ସହିତ ରିଲିଫ୍ ସେବା ଯୋଗାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ।
ଏହି ସମୟରେ, ଆସାମର ମୁଖ୍ୟ ସହର ଗୌହାଟୀରେ କୋଭିଡ -19 ମାମଲାର ବ୍ୟାପକ ବୃଦ୍ଧି ଘଟିଥିବାର ଦେଖାଯାଇଛି । ଯାହା ଗୋଷ୍ଠୀ ସଂକ୍ରମଣକୁ ସୂଚାଉଥିବା ବେଳେ ଏକ ଭୟଙ୍କର ପରିସ୍ଥିତିକୁ ପ୍ରବେଶ କରୁଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ରବିବାର କହିଛନ୍ତି।
ଆସାମ ସରକାର ମଧ୍ୟ ଅଧିକାଂଶ ବିଭାଗକୁ ରାଜ୍ୟ ସଚିବାଳୟ କମ୍ପ୍ଲେକ୍ସରେ କାର୍ଯ୍ୟାଳୟ ବନ୍ଦ କରିବାକୁ ଏବଂ ଫିଲ୍ଡ ୟୁନିଟ୍ ଏବଂ ନିର୍ଦ୍ଦେଶାଳୟରୁ ଏକ ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛିଦିନ ପୂର୍ବରୁ ଏଠାରେ କାର୍ଯ୍ୟରତ ଥିବା ଚାରିଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ।