ଗୌହାଟୀ: ଆସାମରେ ଅସମ୍ଭାଳ ବନ୍ୟାସ୍ଥିତି। ମହାମାରୀରେ ମହାଦଶା ଆଣୁଛି ଜଳ ଦୁର୍ଦ୍ଦଶା। ଯେମିତି ଦୁର୍ଦ୍ଦଶା ଆଉ ଦୁର୍ଦ୍ଦିନର ଅଭିଶାପରେ ଘାଣ୍ଟି ହେଉଛି ରାଜ୍ୟ । ଚାରିପଟୁ ବିପର୍ଯ୍ୟୟ, ମହାମାରୀ ଆଉ ବିତ୍ପାତର ତାଣ୍ଡଵ। ମାଟିରେ ପାଦ ରଖି ହେଉ ନାହିଁ, ପବନରେ ନିଶ୍ବାସ ନେବା ବି କଷ୍ଟ। ଘର ଭିତରେ ଭୋକର ଜ୍ବାଳା, ଘର ବାହାରେ ମୃତ୍ୟୁର ବିଭିଷିକା। ଏହି କରାଳ କଷ୍ଟରେ ଦହଗଞ୍ଜ ଜନ ଜୀବନ। ଅସ୍ତବ୍ୟସ୍ତ ମଣିଷକୁ ରାହା ମିଳୁନି। ସତେଯେମିତି ପ୍ରକୃତି ଜାରୀ କରିଛି, ମୃତ୍ୟର ପରଓ୍ବାନା ଆଉ ଅଜାଡି ଦେଉଛି ବିପର୍ଯ୍ୟୟର ଆକ୍ରମଣ।
ଏବେ ସୁଦ୍ଧା ରାଜ୍ୟରେ ବନ୍ୟା ଯୋଗୁଁ ରାଜ୍ୟର 26 ଟି ଜିଲ୍ଲାର ପ୍ରାୟ 28 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA) ଅନୁଯାୟୀ, କାଲଗାଚିଆ, କୋକରାଜ ଏବଂ ମାୟୋଙ୍ଗରୁ ବନ୍ୟା ଜନିତ ଘଟଣାରେ ମୃତ୍ୟୁସଂଖ୍ୟା 96କୁ ହୋଇଥିବା ବେଳେ 26 ଜଣ ଭୂସ୍ଖଳନ ହେତୁ ପ୍ରାଣ ହରାଇଥିବା ଜଣାଯାଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କୁ ଡାକି ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। କୋବିନ୍ଦ ରାଜ୍ୟର ବନ୍ୟା ପ୍ରପୀଡିତ ଲୋକମାନଙ୍କ ସହ ଏକତା ପ୍ରକାଶ କରି କହିଛନ୍ତି ଯେ ଆସାମର ଲୋକଙ୍କ ସହ ସମଗ୍ର ଦେଶ ଛିଡା ହୋଇଛି।
ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ସହିତ ରାଜ୍ୟରେ କୋଭିଡ୍ ମହାମାରୀ, ଆଫ୍ରିକୀୟ ଘୁଷୁରି ଜ୍ୱର ଏବଂ ଟିନ୍ସୁକିଆ ଜିଲ୍ଲାର ବାଗଜାନରେ ତୈଳ କୂଅରେ ନିଆଁ ଲାଗିବା ସହ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସୂଚନା ଦେଇଛନ୍ତି।