ଗୌହାଟୀ: ଭାରତର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଉଛି । ରାଜ୍ୟର ପ୍ରାୟ 28ଟି ଜିଲ୍ଲା ଜଳମଗ୍ନ ହୋଇଛି। ପ୍ରକୃତିର ବିପର୍ଯ୍ୟୟ ହେତୁ ଏପର୍ଯ୍ୟନ୍ତ 85 ଜଣ ଲୋକ ପ୍ରାଣ ହରାଇଥିବାବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
ମଣିଷ ବ୍ୟତୀତ ଏହି ପ୍ରାକୃତିକ ବିପର୍ଯ୍ୟୟର ପଶୁମାନେ ମଧ୍ୟ ଶିକାର ହୋଇଛନ୍ତି । ବିଶ୍ୱ ପ୍ରସିଦ୍ଧ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଚଳିତ ବନ୍ୟାରେ 113 ପ୍ରାଣୀ ପ୍ରାଣ ହରାଇଛନ୍ତି।
ବର୍ଷା ପରେ ବ୍ରହ୍ମପୁତ୍ର ନଦୀରେ ଜଳ ସ୍ତର ବଢି ଏହା ରାଜ୍ୟର ବିଭିନ୍ନ ଜିଲ୍ଲା ସହ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପଶିଯାଇଛି । ବନ୍ୟା ଯୋଗୁଁ ହାତୀ, ହରିଣ, ଗୋଟିଏ ଶିଙ୍ଗ ବିଶିଷ୍ଟ ବିରଳ ପ୍ରଜାତିର ଗଣ୍ଡା ଜାତୀୟ ଉଦ୍ୟାନ ଛାଡି ରାସ୍ତାର ଅପର ପାର୍ଶ୍ୱରେ ବୁଲୁଛନ୍ତି। ନିକଟରେ ପାଣିରୁ ଏକ ଗଣ୍ଡା ବାହାରି କାଜିରଙ୍ଗା ଜାତୀୟ ଉଦ୍ୟାନର ରାଜପଥରେ ବସିଥିଲା, ଯେଉଁଥିପାଇଁ ଟ୍ରାଫିକ ଜାମ ହୋଇଥିଲା। ଏହାପରେ ରେଞ୍ଜର୍ସ ଗଣ୍ଡାଟିକୁ ଘଉଡାଇଥିଲେ ।