ନୂଆଦିଲ୍ଲୀ: ସାରା ବିଶ୍ୱ ମହାମାରୀ କୋରୋନା ଭାଇରସ ସହ ଲଢେଇ କରୁଛି । ଲକ୍ଷ ଲକ୍ଷ ଲୋକ ଏହି ପ୍ରାଣଘାତର ଭୂତାଣୁରେ ସଂକ୍ରମିତ ହେବା ସହ ପ୍ରାଣ ହରାଉଛନ୍ତି । ଏହି ଭୂତାଣୁର ମୁକାବିଲା ପାଇଁ ଏଯାବତ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ଏହାର ଉଦ୍ଭାବନ ପାଇଁ ଗବେଷଣା ଜାରି ରହିଛି । ଏମିତିରେ ଆଇଆଇଟି ଦିଲ୍ଲୀ ଏବଂ ଜାପାନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏକ ମିଳିତ ଅନୁସନ୍ଧାନ କରିଛନ୍ତି । ଏହି ଅନୁସନ୍ଧାନରେ ଜଣାପଡିଛି ଯେ, କୋଭିଡ -19 ସଂକ୍ରମଣକୁ ରୋକିବାରେ ଆୟୁର୍ବେଦିକ ଔଷଧ ଅଶ୍ୱଗନ୍ଧା ଅତ୍ୟନ୍ତ ପ୍ରଭାବଶାଳୀ ହେବ ।
ଏହି ଅନୁସନ୍ଧାନ ଅନୁଯାୟୀ, ଅଶ୍ୱଗନ୍ଧା କୋରୋନା ଭୂତାଣୁର ସଂକ୍ରମଣ ବିରୁଦ୍ଧରେ ଏକ ପ୍ରଭାବଶାଳୀ ଚିକିତ୍ସା ତଥା ପ୍ରତିଷେଧକ ଔଷଧ ହୋଇପାରିବ । ଏହି ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ ଅଶ୍ୱଗନ୍ଧା ଏବଂ ପ୍ରୋପୋଲିସରେ କୋଭିଡ୍ -19 ଔଷଧ ତିଆରି କରିବାର କ୍ଷମତା ରହିଛି । ପ୍ରକାଶ ଥାଉ କି, ମହୁମାଛି ଦ୍ଵାରା ନିଜର ଛିଦ୍ରକୁ ପ୍ରତିରୋଧ ଲାଗି ବ୍ୟବହାର କରୁଥିବା ଲାଳକୁ ପ୍ରୋପୋଲିସ କୁହାଯାଏ ।
ଆଇଆଇଟି ଦିଲ୍ଲୀର ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୁନ୍ଦର କହିଛନ୍ତି ଯେ, ଅନୁସନ୍ଧାନ ସମୟରେ ଏହି ଭୂତାଣୁର ନକଲ କରିବାରେ SARS-CoV-2's ଏନଜାଇମକୁ ଟାର୍ଗେଟ କରିଥିଲେ ଅନୁସନ୍ଧାନକାରୀ ଦଳ ।
ସେ କହିଛନ୍ତି କି, ଅନୁସନ୍ଧାନର ଫଳାଫଳ କେବଳ ଯେ ଆଣ୍ଟି କୋଭିଡ-19 ଔଷଧ ପରୀକ୍ଷା ପାଇଁ ଆବଶ୍ୟକ ସମୟ ଏବଂ ମୂଲ୍ୟ ସଞ୍ଚୟ କରିପାରିବ ନାହିଁ ବରଂ କୋରୋନା ଭାଇରସ ମହାମାରୀ ପରିଚାଳନାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ତେଣୁ ଏହାର ଲାବ୍ରୋଟୋରୀରେ ଏବଂ ଡାକ୍ତରୀ ପରୀକ୍ଷଣର ଆବଶ୍ୟକତା ରହିଛି ।