ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢିଚାଲିଛ । ଆଉ ଏହା 31 ଜୁଲାଇ ସୁଦ୍ଧା 5 ଲକ୍ଷ ଛୁଇଁପାରେ । ଫଳରେ ଆମକୁ 80 ହଜାର ଶଯ୍ୟା ପ୍ରସ୍ତୁତ ରଖିବାକୁ ପଡିବ । ଏପରିକି ଦିଲ୍ଲୀକୁ ଯଦି ଅନ୍ୟ ରାଜ୍ୟର ରୋଗୀ ଚିକିତ୍ସା ପାଇଁ ଆସନ୍ତି, ଜୁଲାଇ ଶେଷ ସୁଦ୍ଧା ଆମକୁ 1.5 ଲକ୍ଷ ଶଯ୍ୟା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ପ୍ରେସ କନଫରେନ୍ସରେ ଏହା କହିଛନ୍ତି ।
ସେ ପୁଣି କହିଛନ୍ତି, ଦିଲ୍ଲୀରେ କୋରୋନା ଗତି ଅନୁସାରେ 15 ଜୁନ୍ ସୁଦ୍ଧା 44 ହଜାର ମାମଲା ହେବାର ସମ୍ଭାବନା ରହିଛି । ତେବେ ଦିଲ୍ଲୀରେ ବର୍ତ୍ତମାନ 31 ହଜାର କେସ୍ ରହିଛି । ସେଥିମଧ୍ୟରୁ 12 ହଜାର ସୁସ୍ଥ ହୋଇଛନ୍ତି ବୋଲି କେଜ୍ରିଓ୍ବାଲ କହିଛନ୍ତି ।
କୋରୋନା ଲଢେଇକୁ ଅରବିନ୍ଦ କେଜ୍ରିୱାଲ ଜନ ଆନ୍ଦୋଳନ ବୋଲି କହିଛନ୍ତି । ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ମାନିବା ଜରୁରୀ । ଏହାକୁ ନିଜେ ଅନୁସରଣ କରିବାକୁ ପଡିବ । ଆମ ସରକାର ନିଷ୍ପତ୍ତି ନେଇଥିଲେ ଯେ କେବଳ ଦିଲ୍ଲୀର ଲୋକଙ୍କୁ ଚିକିତ୍ସା କରାଯିବ। କିନ୍ତୁ ବର୍ତ୍ତମାନ ଉପରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ସପ୍ତାହରେ ଦିଲ୍ଲୀର ଡାକ୍ତରଖାନାରେ 1900 ଲୋକ ଶଯ୍ୟା ପାଇଛନ୍ତି, 4200 ଶଯ୍ୟା ଖାଲି ଅଛି। ଦିଲ୍ଲୀରେ କୋରୋନା କ୍ରମାଗତ ଭାବେ ବୃଦ୍ଧି ପାଉଛି ଓ ମୋଟ ସଂଖ୍ୟା 31 ହଜାର ଅତିକ୍ରମ କରିଛି । ଅନ୍ୟପକ୍ଷରେ ଦିଲ୍ଲୀର ଶଯ୍ୟା ଓ ଡାକ୍ତରଖାନାର ବ୍ୟବସ୍ଥାକୁ ନେଇ ଏକ ସଙ୍କଟ ଦେଖାଦେଇଛି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କହିଥିଲେ, ଯଦି ଦିଲ୍ଲୀରେ କୋରୋନା ମାମଲାର ଗତି ସମାନ ରହେ ତେବେ ଜୁଲାଇ ଶେଷରେ ସାଢେ ପାଞ୍ଚ ଲକ୍ଷ ମାମଲା ହୋଇପାରେ । ପ୍ରାୟ 80 ହଜାର ଶଯ୍ୟା ଆବଶ୍ୟକ ହେବ କିନ୍ତୁ ବର୍ତ୍ତମାନ ମାତ୍ର 8 ହଜାର ବେଡ୍ ରହିଛି ।
ପ୍ରକାଶ ଯେ, ମଙ୍ଗଳବାର କେଜ୍ରିଓ୍ବାଲଙ୍କ କୋରୋନା ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିଥିଲା ।