ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲକୁ ନେଇ କଂଗ୍ରେସରେ ଦେଖାଦେଇଛି କନ୍ଦଳ । ଜମ୍ମୁ-କାଶ୍ମୀରରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହଟିବା, 370 ଧାରାର ଉଚ୍ଛେଦ ଏବଂ ରାଜ୍ୟକୁ 2ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବା ପ୍ରସଙ୍ଗରେ କଂଗ୍ରେସରେ ଦେଖାଦେଇଛି ଦ୍ବିମତ । 370 ଧାରାର ଉଚ୍ଛେଦକୁ ବିରୋଧ କରି ଦଳ ଭୋଟ ଦେବାରୁ ଏନେଇ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସର ବରିଷ୍ଠ ନେତା ଦଳ ଛାଡି ଥିବା ଜଣାପଡିଛି।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କାଶ୍ମୀର ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଦଳରେ ଦେଖାଦେଇଛି ଫାଟ । କାରଣ ଏହି ରାଜ୍ୟର ପୁନର୍ଗଠନକୁ ଦଳୀୟ ନେତାଙ୍କ ମଧ୍ୟରେ ମଧ୍ୟରେ ଦେଖିବାକୁ ମିଳିଛି ଦ୍ୱିମତ।
ସେହିପରି ଦଳୀୟ ସାଂସଦ ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଜନାର୍ଦ୍ଦନ ଦ୍ବିବେଦୀ ମଧ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ସମର୍ଥନ ଜଣାଇଛନ୍ତି । ଏହି ଐତିହାସିକ ଭୁଲକୁ ସୁଧାରିଥିବା ଦର୍ଶାଇଛନ୍ତି । ଦ୍ବିବେଦୀ ଏହା ମଧ୍ୟ କହିଛନ୍ତି ଯେ, ମୋର ରାଜନୈତିକ ଗୁରୁ ରାମ ମନୋହର ଲୋହିଆ ଆରମ୍ଭରୁ ଧାରା 370କୁ ବିରୋଧ କରି ଆସୁଛନ୍ତି। ତେଣୁ ମୋର ବ୍ୟକ୍ତିଗତ ବିଚାର ହିସାବରେ ଏହା ଏକ ରାଷ୍ଟ୍ରୀୟ ସ୍ୱାର୍ଥର କଥା ।