ହାଇଦ୍ରାବାଦ: ତେଲେଙ୍ଗାନା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତ ଧାର୍ମିକ ସମାବେଶ । ଏଠାରେ ଯୋଗ ଦେଇ 1200 ଲୋକ ରାଜ୍ୟକୁ ଫେରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେନ୍ଦର ସୂଚନା ଦେଇଛନ୍ତି । ସେହିପରି ଏମାନଙ୍କ ମଧ୍ୟରୁ ଅନେକ ଲୋକ କୋଭିଡ 19ର ଶିକାର ହେବା ସହ 6 ଜଣଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି ।
ମାର୍ଚ୍ଚ ପ୍ରଥମ ସପ୍ତାହରେ ଆୟୋଜିତ ଏହି ସମାବେଶରେ ଦେଶର ଅଧିକାଂଶ ରାଜ୍ୟରୁ ବହୁ ଲୋକ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ସମ୍ପୃକ୍ତ ରାଜ୍ୟ ପକ୍ଷରୁ ପୀଡିତଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ତେଲେଙ୍ଗାନାରୁ ଏହି ସମାବେଶରେ 1200 ଲୋକ ଯୋଗ ଦେଇଥିଲେ । ଗତ ତିନି ଦିନ ଧରି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଅନେକ କୋରୋନା ସଂକ୍ରମିତ ଲୋକ । ଏମାନେ ସମସ୍ତେ ଦିଲ୍ଲୀର ମର୍କାଜରେ ଯୋଗ ଦେଇ ଫେରିଥିବା ଜଣାପଡିଛି । ଏହାସହ ଏମାନଙ୍କ ସଂସ୍ପର୍ଶରେ ଆହୁରି ବହୁତ ଲୋକ ଥିବାର ସନ୍ଦେହ କରାଯାଉଛି ।