ଆଇଫୋନରୁ ଲକ୍ ହେବ କାର୍ - ଆଇଫୋନରୁ ୟୁଜର୍ସ
ବର୍ତ୍ତମାନ ନିଜ ଆଇଫୋନରୁ ୟୁଜର୍ସମାନେ ନିଜ କାର୍ ଲକ୍ ଓ ଅନଲୋକ୍ କରିପାରିବେ । ଏଥିପାଇଁ ଡିଜିଟାଲ ଚାବି ଅପସନ ଦେଇଛି ଆପଲ୍ । ଅଧିକ ପଢନ୍ତୁ..
ହାଇଦ୍ରାବାଦ: ଆପଲ୍ କମ୍ପାନୀ ପକ୍ଷରୁ ଆଇଫୋନ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ବାହାର କରାଯାଇଛି । ବର୍ତ୍ତମାନ ନିଜ ଆଇଫୋନରୁ ୟୁଜର୍ସମାନେ ନିଜ କାର୍ ଲକ୍ ଓ ଅନଲୋକ୍ କରିପାରିବେ । ଏଥିପାଇଁ ଡିଜିଟାଲ ଚାବି ଅପସନ ଦେଇଛି ଆପଲ୍ ।
ଏହି ସୁବିଧା ଆଇଓଏସ ଭର୍ସନ 13.6 ସହ ଆସୁଛି । ଏହାର ଏକ ସଫ୍ଟୱେର ଅପଡେଟ୍ ଦ୍ବାରା ଏପରି ବ୍ୟବସ୍ଥା ଆଣିଛି କମ୍ପାନୀ । ଡବ୍ଲୁଡବ୍ଲୁଡିସି 2020ରେ ଏହା ଲଞ୍ଚ କରିବା ସହ କାର୍ ଚାବି ଫିଚର ବିଷୟରେ ଆପଲ୍ ସମ୍ପୂର୍ଣ୍ଣ ବିବରଣୀ ଦେଇଛି ।
ଆଇଓଏସ 13.6 ଅପଡେଟକୁ ସବୁ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରିଛି ଆପଲ୍ । ଏହି ଅପଡେଟ୍ ଡାଉନଲୋଡ୍ କରିବା ପାଇଁ ସେଟିଙ୍ଗସରେ ଜେନେରାଲ କ୍ୟାଟେଗୋରୀର ସଫ୍ଟୱେର ଅପଡେଟ୍ ଅପସନ ବାଛିପାରିବେ ୟୁଜର୍ସ । ଏହା ଥରେ ଅପଡେଟ୍ ହୋଇଗଲେ ନିଜ କାର୍ ଚାବିକୁ ଏଥିରୁ କଣ୍ଟ୍ରୋଲ କରିହେବ ।
ଏହା ଏକ ଡିଜିଟାଲ ଚାବି ଯାହାଦ୍ବାରା ଆଇଫୋନ୍ ସେଟିଙ୍ଗସରୁ କାରକୁ ଲକ୍ ଓ ଅନଲୋକ୍ କରିପାରିବେ । ତେବେ ଏବେ ପାଇଁ କେବଳ ବିଏମଡବ୍ଲୁ 5 ସିରିଜର ସମସ୍ତ କାର ପାଇଁ ଏହି ସୁବିଧା ଉପଲବ୍ଧ । ଏହି ସିରିଜର ସମସ୍ତ କାର୍ ରଖିଥିବା ବ୍ୟକ୍ତିଙ୍କ ପାଖରେ ଯଦି ଆଇଫୋନ୍ ଥାଏ ତେବେ ସେ ନିଜ କାର୍ କେଉଁଠି ବି ରଖି ଲକ୍ କରିପାରିବେ ।
ଏହାସହ ନୂଆ ଫିଚରରେ ହେଲଥ୍ ଆପ୍ ମଧ୍ୟ ଅପଡେଟ ହୋଇଛି । ୟୁଜର୍ସମାନେ ଜ୍ବର, ଗଳା ଯନ୍ତ୍ରଣା, କାଶ ଆଦିର ଲକ୍ଷଣ ଦେଖାଦେଲେ ଆପରୁ ଜାଣିପାରିବେ । ଏହାସହ ଆପଲ୍ ନ୍ୟୁଜ ଓ ନ୍ୟୁଜ୍ ପ୍ଲସ୍ ପାଇଁ ମଧ୍ୟ ଅପଡେଟ୍ ଆସିଛି । ଆମେରିକା ୟୁଜର୍ସଙ୍କ ପାଇଁ ନ୍ୟୁଜ ପ୍ଲସରେ ଏବେ ଅଡିଓ ଷ୍ଟୋରୀର ଅପସନ ରହିଛି । ପ୍ରତି ସପ୍ତାହରେ 20ଟି ଅଡିଓ ଷ୍ଟୋରୀ ଶୁଣିପାରିବେ ବ୍ୟବହାରକାରୀ ।
ଆପଲ୍ ପକ୍ଷରୁ ଏକ ଆପଲ୍ ନ୍ୟୁଜ ଟୁଡେ ବାହାର କରାଯାଇଛି । ଏଥିରେ ପ୍ରତିଦିନ ଅଡିଓରେ ବିଭିନ୍ନ ପ୍ରକାର ନ୍ୟୁଜ ଶୁଣିପାରିବେ ୟୁଜର୍ସ। ଏହା ଏକ ମାଗଣା ଫିଚର ଯାହା ଆପଲ୍ ନ୍ୟୁଜରେ ଉପଲବ୍ଧ ହେବ । ଏହାମଧ୍ୟ ପ୍ରଥମେ କେବଳ ଆମେରିକାବାସୀଙ୍କ ପାଇଁ ଆସିଛି ବୋଲି କମ୍ପାନୀ ସୂଚନା ଦେଇଛି ।