ଓଡିଶା

odisha

By

Published : Apr 21, 2020, 4:22 PM IST

ETV Bharat / bharat

ଏପିଆଇ ଅଭାବ ଦୂର କରିପାରିବ କି ଭାରତ ?

ଆଣ୍ଟି ମ୍ୟାଲେରିଆ ମେଡିସିନ ହାଇଡ୍ରୋକ୍ସି-କ୍ଲୋରୋକୁଇନ ଔଷଧ କୋରୋନା ପାଇଁ ଏବେ ସଞ୍ଜୀବନୀ ସାଜିଛି । ଆମେରିକା ସମେତ ବହୁ ବିକଶିତ ରାଷ୍ଚ୍ରକୁ ଏହି ଔଷଧ ଯୋଗାଉଛି ଭାରତ । ହେଲେ ଆଗାମୀ ଦିନରେ ଭାରତର ନିଜର ଘରୋଇ ଚାହିଦା ମେଣ୍ଟାଇ ପାରିବ ତ ? କାରଣ ଫାର୍ମା କମ୍ପାନୀଙ୍କ ନିକଟରେ ଆବଶ୍ୟକୀୟ ଔଷଧ ଉପାଦାନ ନାହିଁ । ଅଧିକ ପଢନ୍ତୁ...

ଏପିଆଇ ଅଭାବ ଦୂର କରିପାରିବ କି ଭାରତ ?
ଏପିଆଇ ଅଭାବ ଦୂର କରିପାରିବ କି ଭାରତ ?

କୋରୋନାର ଆରୋଗ୍ୟ ପାଇଁ ଏଯାବତ କୌଣସି ଔଷଧ ବାହାରି ନାହିଁ । କୋରୋନା ଟୀକା ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି । ଏଭଳି ସ୍ଥଳରେ ଅନ୍ୟ ରୋଗର କିଛି ଔଷଧ କୋଭିଡ-୧୯ ରୋଗୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ବ୍ୟବହାର ହେଉଛି । ଫଳରେ ଏଭଳି ଔଷଧର ଚାହିଦା ବଢିବାରେ ଲାଗିଛି । ଆଣ୍ଟି ଏଚଆଇଭି, ଆଣ୍ଟି ମ୍ୟାଲେରିଆ ଓ ଆଣ୍ଟିବାୟୋଟିକ୍ ଔଷଧର ଚାହିଦା ଏବେ କାହିଁରେ କଣ । ଔଷଧ ପ୍ରସ୍ତୁତି କଥା ଯଦି କହିବା, ତାହା ହେଲେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଔଷଧ ପ୍ରସ୍ତୁତକାରୀ ଦେଶ । ବିଗତ ଦୁଇରୁ ତିନି ଦଶକ ମଧ୍ୟରେ ଭାରତୀୟ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିର ସଂପ୍ରସାରଣ ଘଟିଛି । ଆଫ୍ରିକାର ବିକାଶଶୀଳ ଦେଶଗୁଡିକଠାରୁ ଆରମ୍ଭ କରି ଆମେରିକା ଭଳି ବିକଶିତ ଦେଶ ମଧ୍ୟ ଭାରତରୁ ଔଷଧ ଆମଦାନୀ କରିଥାନ୍ତି । ଏହା ବ୍ୟତୀତ, ଭାରତ ଆଣ୍ଟି ମ୍ୟାଲେରିଆ ଔଷଧର ସବୁଠାରୁ ବଡ ଉତ୍ପାଦକ ।

ଆମେରିକା, ବ୍ରାଜିଲ ଓ ଇସ୍ରାଏଲ୍ ସମେତ ଅନେକ ଦେଶ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗାଇବାକୁ ଭାରତକୁ ଅନୁରୋଧ କରିଛନ୍ତି । ହେଲେ ରପ୍ତାନି ସହ ଆମେ ଆମର ଘରୋଇ ଚାହିଦା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ସାଂପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଜାତୀୟ ଫାର୍ମା କଂପାନିଗୁଡିକ ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି । କିନ୍ତୁ ଏଠାରେ ହିଁ ତ ଅସଲ ସମସ୍ୟା ରହିଛି । ବର୍ତ୍ତମାନର ଚାହିଦା ମେଣ୍ଟାଇବା ପାଇଁ ଫାର୍ମା କମ୍ପାନୀଗୁଡିକ ପାଖରେ ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ଉପାଦାନ ନାହିଁ । ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଫାର୍ମା କମ୍ପାନୀଗୁଡିକ ପାଖରେ ଔଷଧ ଉପାଦାନର ଭଣ୍ଡାର ଖାଲି ହୋଇଗଲାଣି । ଆବଶ୍ୟକ ଉପାଦାନ ନ ମିଳିଲେ ଔଷଧ ପ୍ରସ୍ତୁତି ଅସମ୍ଭବ ହୋଇପଡିବ ବୋଲି ଏହି ଶିଳ୍ପ ସହ ଜଡିତ ବିଶେଷଜ୍ଞମାନେ କହିଛନ୍ତି । ବିଶେଷ କରି ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟ –ଏପିଆଇର ଅଭାବ ଫାର୍ମା କମ୍ପାନୀଗୁଡିକର ଚିନ୍ତା ବଢାଇଛି ।

ଆନ୍ଧ୍ର ଓ ତେଲେଙ୍ଗାନାର ଫାର୍ମା କମ୍ପାନୀଗୁଡିକ ସାଧାରଣତଃ ଆଣ୍ଟି ଏଚଆଇଭି, ଅଜିଥ୍ରୋମାଇସିନ୍ ଓ କ୍ଲୋରୋକୁଇନ୍ ଔଷଧ ପ୍ରସ୍ତୁତ କରିଥାନ୍ତି । ଆଜିକାଲି ଜାତୀୟ ଓ ଆନ୍ତର୍ଜାତିକ ବଜାରରେ ଚାହିଦାକୁ ଦେଖି ଦେଶୀ କମ୍ପାନୀ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଓ କ୍ଲୋରୋକୁଇନ୍ ଫସଫେଟ୍ ଟାବଲେଟ୍ ବହୁଳ ଭାବେ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଆବଶ୍ୟକତା ଅନୁସାରେ ଏପିଆଇ ମିଳୁନାହିଁ । କୋଭିଡ-୧୯ ମହାମାରୀ ପୂର୍ବରୁ ଏଚସିକ୍ୟୁ ଟାବଲେଟଗୁଡିକର ସେତେ ଚାହିଦା ନ ଥିଲା । କେବଳ ମ୍ୟାଲେରିଆ, ଆଣ୍ଠୁଗଣ୍ଠି ବାତ ଭଳି ରୋଗର ଚିକିତ୍ସା ପାଇଁ ଏଭଳି ଔଷଧ ପ୍ରସ୍ତୁତ ହେଉଥିଲା । ଏଚସିକ୍ୟୁର ବ୍ୟବହାର ଓ ରପ୍ତାନୀ ହାର ବହୁତ କମ ଥିଲା । ତେଣୁ ଫାର୍ମା କମ୍ପାନୀମାନେ ଏପିଆଇ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦେଇ ନ ଥିଲେ । କିନ୍ତୁ କୋଭିଡ-୧୯ ମହାମାରୀ ବ୍ୟାପିବା ପରେ ଏଚସିକ୍ୟୁର ଚାହିଦା ବଢିଚାଲିଲା । ଏଚସିକ୍ୟୁ ଔଷଧ ପ୍ରସ୍ତୁତି ପାଇଁ ଏପିଆଇ ବି ବହୁଳ ପରିମାଣରେ ଦରକାର ପଡିଲା । ଏବେ ଏପିଆଇର ଅଭାବ ଦୃଷ୍ଟିରୁ ଏହାର ଆମଦାନୀ ନ ହେଲେ ଔଷଧ ପ୍ରସ୍ତୁତି ସମ୍ଭବ ନୁହେଁ ।

ଇପକା ଲାବ୍ରୋଟୋରିଜ୍‌, ଜାଇଡସ୍, ସିପଲା ଭଳି ପ୍ରମୁଖ କମ୍ପାନୀ ଓ ହାଇଦ୍ରାବାଦ ସ୍ଥିତ ହିଟେରୋ ଡ୍ରଗ୍ସ, ନାଟ୍‌କୋ ଫାର୍ମା ଓ ଲୌରେସ ଲାବ୍ କ୍ଲୋରୋକୁଇନ୍ ପ୍ରସ୍ତୁତ କରନ୍ତି । ଏସବୁ କମ୍ପାନୀ ଏଚସିକ୍ୟୁ ଉତ୍ପାଦନ ହାର ବୃଦ୍ଧି କରିଥିଲେ ମଧ୍ୟ ଏପିଆଇର ଅଭାବ ରହିଛି । କିଛି କମ୍ପାନୀ ଚୀନରୁ କଞ୍ଚାମାଲ ମଗାଇଛନ୍ତି । ଅନ୍ୟପଟେ, କିଛି ସ୍ଥାନୀୟ ଏପିଆଇ ୟୁନିଟ ଏଚସିକ୍ୟୁ ପ୍ରସ୍ତୁତ ପାଇଁ ଦରକାର ପଡୁଥିବା କଞ୍ଚାମାଲ ଓ ଅନ୍ୟ ଉପାଦାନ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏ ଦିଗରେ ତେଲେଙ୍ଗାନାର ଡ୍ରଗ୍ କଣ୍ଟ୍ରୋଲ ଆଡମିନିଷ୍ଟ୍ରେସନ ମଧ୍ୟ ଜରୁରୀ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । କ୍ଲୋରୋକୁଇନ୍ ଚାହିଦା ନ ଥିଲା ବେଳେ ଅଧିକାଂଶ ଏପିଆଇ ୟୁନିଟ ବନ୍ଦ ହୋଇଯାଇଥିଲା । ଏବେ କିନ୍ତୁ ସେଗୁଡିକ ଖୋଲିବାରେ ଲାଗିଛି ।

ABOUT THE AUTHOR

...view details