ଲୋକସଭାରେ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟରେ ଏବେ ୬.୮୩ ଲକ୍ଷ ପଦବୀ ଖାଲି ପଡ଼ିଛି। ଏହି ବିଶାଳ ଖାଲି ପଦବୀ ସଂଖ୍ୟା ସ୍ପଷ୍ଟ କରୁଛି ଯେ, ଦେଶର ସରକାର ନିଯୁକ୍ତି କ୍ଷେତ୍ରକୁ ଯଥେଷ୍ଟ ଅବହେଳା କରିଛନ୍ତି। ଏହାର ଅର୍ଥ ନୁହେଁ ଯେ, ସେମାନଙ୍କୁ ଆବଶ୍ୟକ ଯୋଗ୍ୟତାଧାରୀ ପ୍ରାର୍ଥୀ ମିଳୁ ନାହାଁନ୍ତି, ବରଂ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବାର ପ୍ରକ୍ରିୟା ଠିକଣା ଭାବେ ଚାଲୁ ନାହିଁ। ଏହା ସରକାରୀ ନୀତିର ବିଫଳତା ବୋଲି କୁହାଯାଇପାରେ। ଏହି ନୀତିଗତ ବିଫଳତା ସରକାରୀ ପ୍ରଶାସନ, ସାଧାରଣ ସେବା ଓ ଯୁବାବର୍ଗଙ୍କ ଲାଗି ସୁଯୋଗ ଉନ୍ମୁକ୍ତ କରିବା ଦିଗରେ ନକାରାତ୍ମକ ପ୍ରଭାବ ପକାଉଛି।
ପ୍ରତିବର୍ଷ ଦେଶର ଯୁବା ସମ୍ପଦରେ ୪୦ ଲକ୍ଷ ଯୁବକ, ଯୁବତୀ ଯୋଗ ଦେଇଥାଆନ୍ତି। ଯଦି ଆମେ ଦେଶର ୯୯୭ଟି ସରକାରୀ ଏମ୍ପ୍ଲୟମେଣ୍ଟ କାର୍ଯ୍ୟାଳୟମାନଙ୍କ ସୂଚନାକୁ ହିସାବକୁ ନେବା ତେବେ ଦେଶରେ ବର୍ତ୍ତମାନ ୫.୨ କୋଟି ଯୁବକ ଚାକିରି ସନ୍ଧାନରେ ରହିଛନ୍ତି। ଏହାବାଦ୍ ଯେଉଁ ସଂଖ୍ୟା ଜିଲ୍ଲା ବା ରାଜ୍ୟସ୍ତର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇ ନାହିଁ ତାହାକୁ ହିସାବକୁ ନେଲେ ଏହି ସଂଖ୍ୟା ୭ କୋଟିକୁ ଟପିବ। ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥାନ ( ଏନ୍ଏସ୍ଏସ୍ଓ)ଙ୍କ ସଦ୍ୟତମ ରିପୋର୍ଟକୁ ଏଯାଏ ଗୋପନ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ରିପୋର୍ଟ ଦର୍ଶାଇଛି ଯେ, ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଯୋଗ୍ୟ ଯୁବାବର୍ଗଙ୍କୁ ନିଯୁକ୍ତି ମିଳିପାରୁ ନାହିଁ। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଏହି ସମସ୍ୟା ରହିଛି। ମାର୍ଚ୍ଚ ୨୦୧୮ ସୁଦ୍ଧା କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ସମୁଦାୟ ନିଯୁକ୍ତି ସୁଯୋଗ ସଂଖ୍ୟା ହେଉଛି ୩୮ ଲକ୍ଷ ୨ହଜାର ୭୭୯। ଏବେ କିନ୍ତୁ ୩୧ଲକ୍ଷ ୧୮ ହଜାର ୯୫୬ ଜଣ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ୬ ଲକ୍ଷ ୮୩ ହଜାର ୮୨୩ ଟି ପଦବୀ ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ ଖାଲି ପଡ଼ିଛି। ପୁଣି ଗଲା ଦେଢ଼ ବର୍ଷ ଭିତରେ କର୍ମଚାରୀଙ୍କ ଅବସର, କାର୍ଯ୍ୟରତ କର୍ମଚାରୀଙ୍କ ବିୟୋଗ ପ୍ରଭୃତି କାରଣ ହେତୁ ଆହୁରି ଦେଢ଼ ଲକ୍ଷ ଖାଲି ସ୍ଥାନ ସୃଷ୍ଟି ହୋଇଛି।
ଏହି ଖାଲିଥିବା ପଦବୀ ଭିତରୁ କେବଳ ରେଳବାଇରେ ୧ଲକ୍ଷ ୧୬ ହଜାର ୩୯୧ ପଦବୀ ଖାଲିପଡ଼ିଛି। ଏହିଭଳି ବିଶାଳ ଖାଲି ପଦବୀ ହେତୁ ରେଳବାଇ ତଥା ଦେଶର ସର୍ବ ବୃହତ୍ ପରିବହନ ନେଟ୍ୱର୍କର ଗୁଣାତ୍ମକ ସେବା ମାନରେ ହ୍ରାସ ଘଟୁଛି। ସେହିଭଳି ପ୍ରତିରକ୍ଷା ବିଭାଗରେ ମଧ୍ୟ ଯଥେଷ୍ଟ ପଦବୀ ଖାଲି ପଡ଼ିଛି। ଯେଉଁ ତଥ୍ୟ ହସ୍ତଗତ ହୋଇଛି ସେହି ଅନୁସାରେ ସ୍ଥଳ ସେନାରେ ୬୮୬୭, ନୌବାହିନୀରେ ୧୫୦୦ ଏବଂ ଆକାଶ ବାହିନୀରେ ୪୨୫ ଅଫିସର ପଦବୀ ଖାଲିପଡ଼ିଛି। ଜୁନିୟର ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ପଦବୀ ସଂଖ୍ୟାକୁ ଦେଖିଲେ, ସ୍ଥଳସେନାରେ ୩୬୫୧୭ ପଦବୀରେ କୌଣସି ନିଯୁକ୍ତି ହୋଇ ନାହିଁ। ସେହିଭଳି ନୌବାହିନୀରେ ୧୫୫୯୦ ସେଲର୍ସ ପଦବୀ ଏବଂ ବାୟୁସେନାରେ ୧୦୪୨୫ ଏୟାରମେନ୍ ପଦବୀ ଖାଲି ପଡ଼ିଛି। ଦେଶର ୪୮ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ୫ ହଜାରରୁ ଅଧିକ ପଦବୀ ଖାଲିପଡ଼ିଛି। ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟାଗଗୁଡ଼ିକରେ ୨୨ ହଜାର ପଦବୀ ଖାଲି ପଡ଼ୁଛି। ସେହିପରି ରାଜ୍ୟ ସରକାରଙ୍କ କ୍ଷେତ୍ରରେ ଖାଲିଥିବା ପଦବୀ ସଂଖ୍ୟା ବିଶାଳ- ୨୦୧୯ ସୁଦ୍ଧା ଏହି ସଂଖ୍ୟା ପାଖାପାଖି ୧୬ ଲକ୍ଷ ହେବ। ଉତ୍ତରପ୍ରଦେଶ ଭଳି ବୃହତ ରାଜ୍ୟ ହେଉ କି ନାଗାଲାଣ୍ଡ ଭଳି ଛୋଟ ରାଜ୍ୟ ସବୁଠାରେ ସମାନ ଅବସ୍ଥା। ହଜାର ହଜାର ସରକାରୀ ପଦବୀ ଖାଲି ପଡ଼ିଛି। ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳେ। ଏଣୁ ଦିଲ୍ଲୀରେ ହେଉ କି ଅନ୍ୟ ସରକାରୀ ମନ୍ତ୍ରଣାଳୟଗୁଡ଼ିକରେ ଅତ୍ୟାବଶ୍ୟକ ଜନସେବା ପ୍ରଦାନରେ ବିଳମ୍ବ ପରିଲକ୍ଷିତ ହୋଇଥାଏ। କର୍ମଚାରୀଙ୍କ ଅଭାବ ପ୍ରଶାସନିକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଏବେ ଆଉ ଏକ ସମସ୍ୟା ଆମ ଆଗରେ ମୁଣ୍ଡ ଟେକିଛି ତାହା ହେଲା ବ୍ୟାଙ୍କ୍ଗୁଡ଼ିକର ମିଶ୍ରଣ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା ଏବେ ଯେଉଁ କର୍ମଚାରୀମାନେ ବ୍ୟାଙ୍କ୍ ଚାକରି ହରାଇବେ ସେମାନେ କ’ଣ କରିବେ?
ଆର୍ଥିକ ସ୍ଥିତି ସହ ସମ୍ପୃକ୍ତ
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଲିଥିବା ପଦବୀ ପୂରଣ ନହେବାର କାରଣ ବର୍ତ୍ତମାନର ମାନ୍ଦା ଅର୍ଥନୀତିକୁ ଦର୍ଶାଉଛି। ବାସ୍ତବରେ ନିଯୁକ୍ତି ସହ ଅର୍ଥନୀତି ବା ଅର୍ଥନୀତିକ ନିୟନ୍ତ୍ରଣ କୌଣସି ସମ୍ପର୍କ ନାହିଁ। ନିଯୁକ୍ତି କରାଯିବା ଦ୍ଵାରା ଶାସନ ବ୍ୟବସ୍ଥା ଶୃଙ୍ଖଳିତ ଓ ସୁସ୍ଥ ହୋଇପାରିବ। ଏଣୁ କୌଣସି ଭାବେ ନିଯୁକ୍ତିକୁ ବନ୍ଦ କରିବା ବା ବାତିଲ କରିବା ଅନୁଚିତ। ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି ତଥା ସଂସ୍କାର ଏବଂ ସମୀକ୍ଷା ବ୍ୟବସ୍ଥାର କାର୍ଯ୍ୟାନ୍ବୟନ ଲାଗି କର୍ମଚାରୀଙ୍କର ସେବା ଅପରିହାର୍ଯ୍ୟ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ଯତ୍ନବାନ ହେଉ ନାହାଁନ୍ତି। ସରକାରୀ କର୍ମଚାରୀଙ୍କ ଆବଶ୍ୟକ ତଥା ଦରମା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଧୀନରେ ବେତନ ଆୟୋଗ କାର୍ଯ୍ୟ କଲା ଭଳି ରାଜ୍ୟ ସରକାରଙ୍କ ଅଧୀନରେ ମଧ୍ୟ ବେତନ ସମୀକ୍ଷା ଆୟୋଗ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି ଆୟୋଗ ଗୁଡ଼ିକ ଖାଲି ପଡ଼ୁଥିବା ପଦବୀ ସମ୍ପର୍କରେ କୌଣସି ଟିପ୍ପଣୀ ଦେଉ ନାହାଁନ୍ତି। ବିଭାଗଗୁଡ଼ିକରେ କର୍ମଚାରୀଙ୍କ ଅବଶ୍ୟକତା ଏବଂ ଏହାସହ ଜଡ଼ିତ ବିଭିନ୍ନ ବିଷୟକୁ ସେମାନେ ଆଲୋଚନା କରୁନାହାଁନ୍ତି। ସେଥିଲାଗି ଅନେକ ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡ଼ୁଛି। ଏପରିକି କୌଣସି ବିଭାଗରେ ଖାଲିଥିବା ପଦବୀ ପୂରଣ ଲାଗି ୬ ରୁ ଆଠ ବର୍ଷ ବା ତା’ଠୁ ଅଧିକ ସମୟ ଲାଗୁଛି। ଏଯାଏ କେନ୍ଦ୍ର ବା ରାଜ୍ୟରେ ଖାଲିଥିବା ପଦବୀର ନିଯୁକ୍ତି ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ। ପୁଣି ନିଯୁକ୍ତି ବ୍ୟବସ୍ଥା କୌଣସି ଗୋଟିଏ ବିନ୍ଦୁରେ କେନ୍ଦ୍ରୀଭୂତ ନୁହେଁ। ଏଣୁ ଏ କ୍ଷେତ୍ରରେ ଅନେକଗୁଡ଼ିଏ ଏଜେନ୍ସୀ କାର୍ଯ୍ୟ କରୁଛନ୍ତି। ସେହିପରି କେଉଁ ବିଭାଗରେ କେତେ ପଦବୀ ଖାଲି ହେଲା ସେ ସମୀକ୍ଷା କରିବା ଓ ସରକାରଙ୍କୁ ଜଣାଇବାର ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ମନ୍ଥର। ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍ ଆବଣ୍ଟନ କରନ୍ତି ସେତେବେଳେ ତଥ୍ୟ ବିଭିନ୍ନ ବିଭାଗରୁ ସଂଗ୍ରହ କରିଥାଆନ୍ତି। ଶ୍ରମ ମନ୍ତ୍ରଣାଳୟ ଅଧୀନରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କାର୍ଯ୍ୟାଳୟ ସବୁ କାର୍ଯ୍ୟ କରୁଛି। ଏହି ପ୍ରକାର ବିଭାଗରେ ଯେଉଁମାନେ ବେକାର ତଥା କାର୍ଯ୍ୟ ଖୋଜୁଛନ୍ତି ସେମାନେ ନାମ ପଞ୍ଜିକରଣ କରିଥାଆନ୍ତି। କିନ୍ତୁ ସମ୍ପୃକ୍ତ ବିଭାଗ ପଞ୍ଜିକୃତ ହୋଇଥିବା ଯୁବକଙ୍କୁ ନିଯୁକ୍ତି ଯୋଗାଇବା ଦାୟିତ୍ଵ ନିଏ ନାହିଁ। ଏହାବ୍ୟତୀତ ଯେଉଁ ସରକାରୀ ବିଭାଗ ଖାଲିଥିବା ପଦବୀ ସୂଚନା ଜାରି କରେ ସେମାନେ ବି ନିଯୁକ୍ତି ସମ୍ପର୍କରେ ପଦକ୍ଷେପ ନିଅନ୍ତି ନାହିଁ।
ବିଦେଶରେ ଏ ଅବସ୍ଥା କିପରି ?
ଯୁକ୍ତରାଷ୍ଟ୍ର, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆର ବିଭିନ୍ନ ସରକାରୀ ବିଭାଗରେ ଖାଲି ହେବାକୁ ଥିବା ପଦବୀଗୁଡ଼ିକ ସମ୍ପର୍କରେ ସୂଚନା ୬ ମାସ ଆଗୁଆ ଜଣାପଡ଼ିଯାଇଥାଏ। ନିର୍ଦ୍ଧାରିତ ବିଭାଗ ଏହି ପଦବୀଗୁଡ଼ିକ ଖାଲିହେବା ପୂର୍ବରୁ ହିଁ ନିଯୁକ୍ତି ପ୍ରଦାନ କରିଦେଇଥାଆନ୍ତି। ଏଥିଲାଗି ସ୍ଵତନ୍ତ୍ର ଏଜେନ୍ସି କାମ କରିଥାଏ। ପ୍ରତି ମାସରେ ବିଭାଗୀୟ ସର୍ବେକ୍ଷଣ କରାଯାଏ। ସବୁ ବର୍ଗଙ୍କୁ ସମାନ ଅଧିକାର ଦିଆଯାଇ ନିଯୁକ୍ତି ପ୍ରଦାନ କରାଯାଇଥାଏ। ୬ ମାସ ସମୟ ଭିତରେ ସମସ୍ତ ନିଯୁକ୍ତି ଶେଷ କରିବାକୁ ସେଠାରେ ନିୟମ ରହିଛି। ଏଥିଲାଗି ସବୁ ଖାଲିଥିବା ପଦବୀ ପାଇଁ ଆଗ୍ରହୀ ବର୍ଗଙ୍କ ଆବେଦନ ଆହ୍ବାନ କରାଯାଇଥାଏ। ତାହା ପୁଣି ସୋସିଆଲ ମିଡିଆ, ଓ୍ବେବ୍ସାଇଟ, ବୈଦ୍ୟୁତିକ ଗଣମାଧ୍ୟମ ପ୍ରଭୃତି ସାହାଯ୍ୟରେ। ଏହାପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥାଏ। ଆମ ଦେଶରେ କିନ୍ତୁ ଏହିପରି କୌଣସି ପ୍ରକ୍ରିୟା ଆପଣାଯାଇ ନଥାଏ। ଏଠି ଅନେକ ନିଯୁକ୍ତି ସମ୍ପର୍କିତ ସୂଚନା ନିର୍ବାଚନ ସମୟରେ ହିଁ ପଦାକୁ ଆସିଥାଏ। କେନ୍ଦ୍ରରେ ଖାଲିଥିବା ପଦବୀ ଲାଗି ୟୁପିଏସ୍ସି ଦ୍ଵାରା ନିଯୁକ୍ତି ପ୍ରକ୍ରିୟା ଖୁବ୍ ସୀମିତ। ଷ୍ଟାଫ୍ ସିଲେକ୍ସନ୍ ଦ୍ଵାରା ନିଯୁକ୍ତି ପ୍ରକ୍ରିୟା ଦୀର୍ଘ ସମୟ ନେଇଥାଏ। ରେଳବାଇ ସେବା କମିଶନଙ୍କ ଦ୍ଵାରା ନିଯୁକ୍ତି ପ୍ରକ୍ରିୟା ସ୍ଵଚ୍ଛ ନୁହେଁ। ଏଠାରେ ପକ୍ଷପାତିତା ହେଉଥିବା ଅନେକ ଅଭିଯୋଗ ରହିଛି। ରାଜ୍ୟଗୁଡ଼ିକରେ ଥିବା ପବ୍ଲିକ୍ସର୍ଭିସ୍ କମିଶନଗୁଡ଼ିକ କେତେବେଳେ କେମିତି ନିଯୁକ୍ତି ପ୍ରକ୍ରିୟାରେ ସାମିଲ୍ ହୁଅନ୍ତି। ରାଜ୍ୟ ସରକାରଙ୍କ ବିଭାଗ ଗୁଡ଼ିକରେ ୟୁପିଏସ୍ସି ଏବଂ ପିଏସ୍ସି ମଧ୍ୟରେ କୌଣସି ସଂଯୋଜନା ଦେଖିବାକୁ ମିଳେ ନାହିଁ। ବିଭିନ୍ନ ଚାକିରି ପାଇଁ ଯୋଗ୍ୟତା ନିର୍ଦ୍ଧାରଣରେ ଅନେକ ସମସ୍ୟା ହୋଇଥାଏ। ଏପରିକି ଆବେଦନ ପ୍ରକ୍ରିୟାରେ ମଧ୍ୟ ଅନେକ ଅଭାବ ପରିଲକ୍ଷିତ ହୋଇଥାଏ।