ନୂଆଦିଲ୍ଲୀ: ପାକିସ୍ତାନର ଯୁଦ୍ଧ ଧମକ ମଧ୍ୟରେ ବିଶ୍ବର ସବୁଠାରୁ ଲଢୁଆ ହେଲିକପ୍ଟର ଆପାଚେ ଏଏଚ-64ଇ ସେପ୍ଟେମ୍ବର 3 ରୁ ଔପଚାରିକ ଭାବରେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି | ଆମେରିକା ଦ୍ବାରା ନିର୍ମିତ ଏହି ହେଲିକେପ୍ଟରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ କାର୍ଯ୍ୟକ୍ରମରେ ବାୟୁସେନାକୁ ହସ୍ତାନ୍ତର କରିବେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବାୟୁସେନା ପ୍ରମୁଖ ବି ଏସ ଧନୋଆ ହେବେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବିମାନକୁ ପାକିସ୍ତାନର ସୀମାବର୍ତ୍ତୀ ପଠାନକୋଟ ଏୟାରବେସରେ ନିୟୋଜିତ କରାଯିବ ।
ସେପ୍ଟେମ୍ବର 3ରୁ ପାକ୍ ସୀମାରେ ନିୟୋଜିତ ହେବ ଆପାଚେ ହେଲିକପ୍ଟର
ବିଶ୍ବର ସବୁଠାରୁ ଲଢୁଆ ହେଲିକପ୍ଟର ଆପାଚେ ଏଏଚ-64ଇ ସେପ୍ଟେମ୍ବର 3 ରୁ ଔପଚାରିକ ଭାବରେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି |
ଆମେରିକୀୟ କମ୍ପାନୀ ବୋଇଂ ଦ୍ବାରା ନିର୍ମିତ ଏହି ଆପାଚେ ହେଲିକେପ୍ଟର ଗତ ଜୁଲାଇ ୨୭ ତାରିଖରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚିଥିଲା | ପ୍ରଥମ ପର୍ଯ୍ୟାୟରେ ୪ଟି ହେଲିକପ୍ଟର ଆସିଥିବା ବେଳେ ଔପଚାରିକ ଭାବେ ଏହାକୁ ସେପ୍ଟେମ୍ବର 3 ରେ ବାୟୁସେନାରେ ସାମିଲ କରାଯିବ |
ସୂଚନାଯୋଗ୍ୟ ଯେ, 2015 ସେପ୍ଟେମ୍ବର ମାସରେ ୨୨ଟି ଆପାଚେ ହେଲିକପ୍ଟର କ୍ରୟ ନେଇ ଭାରତ-ଆମେରିକା ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଥିଲା | ଏଥିରେ ଦୁଇଜଣ ଚାଳକ ବସିବାର ବ୍ୟବସ୍ଥା ରହିଛି | ସେହିପରି ଷ୍ଟ୍ରିଙ୍ଗର ମିସାଇଲ, ୩୦ ମିଲିମିଟରର ଦୁଇଟି ମେସିନ ଗନ ଓ ଟ୍ୟାଙ୍କରୋଧୀ ହେଲିଫାୟାର ମିସାଇଲ ପ୍ରଣାଳୀ ଲଗାଯାଇଛି |