ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ମା ଓ ଭାଇଙ୍କ ସମେତ 4 ଜଣ ପରିବାର ସଦସ୍ୟ କୋରୋନା ପଜିଟିଭ୍ । ରବିବାର ସକାଳେ ଅନୁପମ ଖେର ଏହି ସୂଚନା ଦେଇଛନ୍ତି। ଅନୁପମ ଏକ ଭିଡିଓ ଜାରି କରି କହିଛନ୍ତି ଯେ ତାଙ୍କ ମା ଦୁଲାରୀଙ୍କ ସ୍ବାସ୍ଥ୍ୟାବସ୍ଥା କିଛି ଦିନ ପାଇଁ ଖରାପ ଥିଲା। ତାଙ୍କୁ ଭୋକ ନଲାଗିବା ସହ ଦିନରାତି ଶୋଇ ରହୁଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ମାଙ୍କ ରକ୍ତ ପରୀକ୍ଷା କରାଇଥିଲେ । ପରେ ସିଟି ସ୍କାନ୍ କରାଯାଇଥିଲା ଓ କୋଭିଡ୍-19 ପଜିଟିଭ୍ ଥିବା ଜଣାପଡିଥିଲା ।
ଏହା ପରେ ଅନୁପମ ଓ ତାଙ୍କ ଭାଇ ରାଜୁ ମଧ୍ୟ ସେମାନଙ୍କର କୋରୋନା ପରୀକ୍ଷା କରାଇଥିଲେ। ରିପୋର୍ଟରେ ଅନୁପମଙ୍କୁ ନେଗେଟିଭ୍ ଥିବାବେଳେ ତାଙ୍କ ଭାଇ କୋଭିଡ ପଜିଟିଭ୍ ଥିଲେ । ଏହା ପରେ ରାଜୁଙ୍କ ପରିବାରର କୋରୋନା ପରୀକ୍ଷା ମଧ୍ୟ କରାଯାଇଥିଲା। ଏଥିରେ ଅନୁପମଙ୍କ ବୋହୂ ଅର୍ଥାତ୍ ରାଜୁଙ୍କ ପତ୍ନୀ ଓ ଝିଆରୀ ବୃନ୍ଦା କୋରୋନା ପଜିଟିଭ୍ ଥିବା ଜଣାପଡିଛି ।