ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମାରାଥନ ବୈଠକ ଜାରି ରଖିଛନ୍ତି । ଏହି କ୍ରମରେ ଭାରତ-ଚୀନ ସୀମା ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ଶୁକ୍ରବାର ପୁଣିଥରେ ବୈଠକ ହେବ । ସୀମା ପ୍ରସଙ୍ଗକୁ ନେଇ ୱାର୍କିଂ ମେକାନିଜମ ଫର କନସଲଟେସନର ଭର୍ଚୁଆଲ ବୈଠକ ଶୁକ୍ରବାର ଆୟୋଜିତ ହେବ । ଏନେଇ ବିଶେଷ ସୂତ୍ରରୁ ଜଣାପଡିଛି ।
ତେବେ ବୁଧବାର ପୂର୍ବ ଲଦାଖର ପାଟ୍ରୋଲିଂ ପଏଣ୍ଟ 15 ରେ ସଂଘର୍ଷସ୍ଥଳରୁ ଅସ୍ଥାୟୀ ଶିବିର ସମ୍ପୂର୍ଣ୍ଣ ରୂପରେ ହଟାଇଦେଇଥିଲା ଚୀନ । ଭାରତୀୟ ସୈନିକ ମଧ୍ୟ ସେହି ସ୍ଥଳରୁ ଅସ୍ଥାୟୀ ଶିବିର ପ୍ରତ୍ୟାହାର କରିଥିଲେ । ଚୀନ ସୈନ୍ୟମାନେ ସଂଘର୍ଷ ସ୍ଥାନରେ ସ୍ଥାପିତ ଅସ୍ଥାୟୀ ଭିତ୍ତିଭୂମି ସହିତ ପ୍ରାୟ 2 କିଲୋମିଟର ପଛକୁ ହଟିଥିବା ଭାରତୀୟ ସେନା ସୂତ୍ରରୁ ପ୍ରକାଶ ପାଇଥିଲା । ପାଟ୍ରୋଲିଂ ପଏଣ୍ଟ 15 ରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ମତଭେଦ ଶେଷ ହୋଇଛି। ଚୀନ ସୈନ୍ୟମାନେ ପ୍ରାୟ 2 କିଲୋମିଟର ପଛକୁ ହଟିଛନ୍ତି ବୋଲି ସୂତ୍ର ପକ୍ଷରୁ କୁହାଯାଇଥିଲା ।