ଓଡିଶା

odisha

ETV Bharat / bharat

ଫାବିଫ୍ଲୁ: ପ୍ରାଥମିକ କୋରୋନା ଲକ୍ଷଣରୁ ମିଳିପାରେ ଆଶ୍ବସ୍ତି - anivirul drug fabiflu

କୋରୋନା ଚିକିତ୍ସା ପାଇଁ ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ ଏକ ଔଷଧ ବାହାର କରିଥିବା ଦାବି କରିଛି । କମ୍ପାନୀ ଶନିବାର ଏହାର ସୂଚନା ଦେଇଛି । ଅଧିକ ପଢନ୍ତୁ.....

ଫାବିଫ୍ଲୁ: ପ୍ରାଥମିକ କୋରୋନା ଲକ୍ଷଣରୁ ମିଳିପାରେ ଆଶ୍ବସ୍ତି
ଫାବିଫ୍ଲୁ: ପ୍ରାଥମିକ କୋରୋନା ଲକ୍ଷଣରୁ ମିଳିପାରେ ଆଶ୍ବସ୍ତି

By

Published : Jun 20, 2020, 5:41 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ନେଇ ସଭିଁଏ ଚିନ୍ତାରେ । ଏହାର ଭ୍ୟାକସିନ୍ ପ୍ରସ୍ତୁତରେ ଲାଗିଛନ୍ତି ସମସ୍ତ ଦେଶ । ତେବେ ଏମଧ୍ୟରେ କୋରୋନା ଚିକିତ୍ସା ପାଇଁ ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ ଏକ ଔଷଧ ବାହାର କରିଥିବା ଦାବି କରିଛି । କମ୍ପାନୀ ଶନିବାର ଏହାର ସୂଚନା ଦେଇଛି ।

ଗ୍ଲେନମାର୍କ କହିଛି ଯେ ଫାବିଫ୍ଲୁ ବ୍ରାଣ୍ଡ ନାମରେ ଏହି ଆଣ୍ଟିଭାଇରାଲ୍ ଔଷଧ କୋରୋନାର ପ୍ରାରମ୍ଭରେ ଏହାକୁ ମାତ ଦେବାରେ ସହାୟକ ହେବ। ମୁମ୍ବାଇରେ ଅବସ୍ଥିତ କମ୍ପାନୀ ଶୁକ୍ରବାର ଦିନ କହିଛି ଯେ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସି)ରୁ ଏହି ଔଷଧ ଉତ୍ପାଦନ ତଥା ବଜାରକୁ ଆଣିବା ପାଇଁ ଅନୁମତି ମଧ୍ୟ ମିଳି ସାରିଛି । ଏହାସହ କମ୍ପାନୀ କହିଛି, ଫାବିଫ୍ଲୁ କୋଭିଡ19ର ଚିକିତ୍ସା ପ୍ରାଥମିକ ଅବସ୍ଥାରେ କରିଥାଏ ।

ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଗ୍ଲେନ୍ ସଲଦାନହା କହିଛନ୍ତି, ଏହା ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତରେ କୋରୋନା ଭାଇରସ୍ ମାମଲା ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଯାହା ଆମ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଚାପଗ୍ରସ୍ତ କରିଛି । ସେ ଆଶା କରୁଛନ୍ତି ଫାବିଫ୍ଲୁ ପରି ପ୍ରଭାବଶାଳୀ ଔଷଧ ଏହି ଚାପକୁ ବହୁ ପରିମାଣରେ ହ୍ରାସ କରିବାରେ ସାହାଯ୍ୟ କରିବ ।

ସଲଦାନହା କହିଛନ୍ତି, କ୍ଲିନିକାଲ ପରୀକ୍ଷଣରେ ଫାବିଫ୍ଲୁ କୋରୋନା ଜୀବାଣୁର ସାମାନ୍ୟ ସଂକ୍ରମଣରେ ପୀଡିତ ରୋଗୀଙ୍କ ଉପରେ ଯଥେଷ୍ଟ ଫଳପ୍ରଦ ହୋଇଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ବ୍ୟତୀତ ଏହି ଔଷଧ ଏକ ସୁବିଧାଜନକ ଚିକିତ୍ସା ବିକଳ୍ପ ଅଟେ । ଏହି ମେଡିସିନକୁ ଦେଶର ରୋଗୀମାନଙ୍କ ପାଇଁ ସହଜରେ ଉପଲବ୍ଧ କରାଇବା ପାଇଁ କମ୍ପାନୀ ସରକାର ଏବଂ ମେଡିକାଲ ସମ୍ପ୍ରଦାୟଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବ ନେଇ ସେ ସୂଚନା ଦେଇଛନ୍ତି ।

ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ଔଷଧ ଟାବଲେଟ ପିଛା 103 ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ଏହାକୁ ପ୍ରଥମ ଦିନରେ 1800 ମିଗ୍ରାର ଦୁଇଟି ମାତ୍ରାରେ ଗ୍ରହଣ କରିବାକୁ ପଡିବ | ଏହାପରେ 800 ମିଗ୍ରାର ଦୁଇଟି ମାତ୍ରା 14 ଦିନ ପାଇଁ ଗ୍ରହଣ କରିବାକୁ ପଡିବ ବୋଲି ସେ କହିଛନ୍ତି । ମଧୁମେହ କିମ୍ବା ହୃଦରୋଗରେ ପୀଡିତ ଛୋଟ ସଂକ୍ରମଣ ରୋଗୀଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇପାରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶନିବାର ଗୋଟିଏ ଦିନରେ ଦେଶରେ 14,516ଟି କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ଏହି ମହାମାରୀ ଭୟଙ୍କର ରୂପ ଧାରଣ କରିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3,95,048 କୁ ବୃଦ୍ଧି ପାଇଛି । ଏହି ମହାମାରୀରେ ବର୍ତ୍ତମାନ ସୁଦ୍ଧା ଦେଶରେ 12,948 ଜଣଙ୍କର ମୃତ୍ୟୁ ଘଟିଛି।

ABOUT THE AUTHOR

...view details