ନୂଆଦିଲ୍ଲୀ: ମହିଳାଙ୍କ ହାତରୁ ଶୁଣାଯାଏ ଚୁଡ଼ିର ଶବ୍ଦ। ରୋଷେଇ ବେଳେ ହେଉ କି ବା ଘର ସଫା କରିବା ସମୟରେ, ମହିଳାଙ୍କ ହାଥରୁ ଶୁଣିବାକୁ ମିଳେ ରୁଣୁଝୁଣୁ ଚୁଡ଼ି ଶବ୍ଦ। ନାଲି, ହଳଦିଆ, ନୀଳ.. ଚୁଡ଼ିର କେତେ ରଙ୍ଗ। ଚୁଡ଼ି ଅର୍ଥ ଭାରତୀୟ ନାରୀର ଶୃଙ୍ଗାର, ଚୁଡ଼ି ଅର୍ଥ ଭାରତୀୟ ସଭ୍ୟତାର ପ୍ରତୀକ ଓ ଏହି ଫ୍ୟାସନ ଜମାନାରେ ଇଲାଷ୍ଟିକ, ପ୍ଲାଷ୍ଟିକ, କାଠ, ମେଟାଲ ଓ ଲାଖରୁ ପ୍ରସ୍ତୁତ ହେଉଛି ଚୁଡ଼ି। ଆଜିକାଲି ଲାଖରୁ ପ୍ରସ୍ତୁତ ହେଉଥିବା ଚୁଡ଼ିର ଚାହିଦା ବଢିବାରେ ଲାଗିଛି। ଏଥିପାଇଁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ହୋଇଥିବା ଭାରତ ରଙ୍ଗମହୋତ୍ସବ ପାଇଁ ରାଜସ୍ଥାନର ଜୟପୁରରୁ ଲାଖ ଚୁଡ଼ି କାରିଗରଙ୍କୁ ଡକାଯାଇଥିଲା।
ଜୟପୁରରୁ ଆସିଥିବା ଲାଖ ଚୁଡି଼ କାରିଗର ମହମ୍ମଦ ଆସିଫ କୁହନ୍ତି ଯେ, 32 ବର୍ଷ ହେଲା ଏହି ଚୁଡ଼ି ତିଆରି କରି ଆସୁଛନ୍ତି। ପୂର୍ବ ପୁରୁଷ ସମୟରୁ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ତେବେ ଯେତେବେଳେ ଲାଖ କଥା ଉଠେ ସେତେବେଳେ ମହାଭାରତ କଥା ମନକୁ ଆସିଥାଏ। ଯେତେବେଳେ ପାଣ୍ଡବଙ୍କୁ ହତ୍ୟା କରିବାକୁ କୌରବ ମାନେ ଲାଖଗୃହ ନିର୍ମାଣ କରିଥିଲେ। ପର୍ବପର୍ବାଣୀରେ ଲାଖଚୁଡ଼ି ବ୍ୟବସାୟୀ ନିଜର କଳା ପ୍ରଦର୍ଶନ କରିଥାନ୍ତି। ଏହାଦ୍ବାରା ଲାଖ ବ୍ୟବସାୟୀଙ୍କୁ ଦୁଇ ପଇସା ଲାଭ ହୁଏ। ଏହାକୁ ଲୋକେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।