ନୂଆଦିଲ୍ଲୀ: ରାଜ୍ୟସଭାରେ ଆଗତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍ । ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଉଚ୍ଚ ସଦନରେ ଆଗତ କରିଛନ୍ତି । ତେବେ ବିଲ୍ ଉପରେ ଆଲୋଚନା ପାଇଁ ସାଂସଦଙ୍କୁ 6 ଘଣ୍ଟା ସମୟ ମିଳିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗୃହରେ ଉପସ୍ଥିତ ସଦସ୍ୟଙ୍କୁ ଆଶ୍ବାସନା ଦେଇଛନ୍ତି । ଏଥିପାଇଁ ଆଜି ରାଜ୍ୟସଭାରେ ପ୍ରଶ୍ନକାଳ ହେବ ନାହିଁ। ସେପଟେ ବିଲ୍କୁ ବିରୋଧ କରିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ।
କଂଗ୍ରେସ ପକ୍ଷରୁ ଆନନ୍ଦ ଶର୍ମା ରାଜ୍ୟସଭାରେ ବିତର୍କ କରି କହିଛନ୍ତି, ପୂର୍ବର ବିଲ୍ ଏବଂ ସଂଶୋଧିତ ବିଲ୍ ଉପରେ ବହୁତ ତଫାତ ରହିଛି । ଇତିହାସ ଏହାକୁ କିପରି ଦୃଷ୍ଟିରେ ଦେଖିବ ତାହା ସମୟ କହିବ । ଏହା ସହିତ ବିଲ୍କୁ ନେଇ ସରକାର ତରବରିଆ ଭାବେ କାହିଁକି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆନନ୍ଦ ଶର୍ମା । ସଂସଦୀୟ କମିଟିର ସମୀକ୍ଷା ପରେ ଏହି ବିଲ୍କୁ ସଂସଦରେ ଆଗତ କରିବା ଉଚିତ ଥିଲା ବୋଲି ସେ କହିଛନ୍ତି । ଏହି ବିଲ୍ ସମ୍ବିଧାନିକ ଏବଂ ନୈତିକ ରୂପରେ ଭୁଲ ଅଟେ । ଏହା ଲୋକଙ୍କୁ ବିଭାଜନ କରିବ ବୋଲି ଆନନ୍ଦ ଶର୍ମା କହିଛନ୍ତି ।