ଭୋପାଳ: ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଦ୍ବାରା ଗୁଜୁରାଟର ଅହମଦାବାଦରେ ଦିଆଯାଇଥିବା ବୟାନକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଅମିତ ଶାହ ସିଏଏ ପ୍ରତ୍ୟାହର କରିବା ସହ ଏନଆରସି ଏବଂ ଏନପିଆର ଲାଗୁ କରିବାର ନିର୍ଣ୍ଣୟ ବଦଳାନ୍ତୁ, ଅଥବା ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ସୂଚନା ଯେ ଦିଲ୍ଲୀ ଶାହିନବାଗରେ ଦୀର୍ଘ ଦିନ ହେବ CAA, NRC ଓ NPRକୁ ନେଇ ପ୍ରଦର୍ଶନ ଜାରି ରହିଛି । ଏହା ଭିତରେ ଶାହିନବାଗ ପ୍ରଦର୍ଶନକାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଆଜି ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।
ଅମିତ ଶାହ ଶାହିନବାଗ ପ୍ରଦର୍ଶନକାରୀଙ୍କୁ ଭେଟିବା ପୂର୍ବରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ନିଜ ଟ୍ବିଟରରେ ଭଗବତଙ୍କ ବୟାନକୁ ଟ୍ୟାଗ କରି ଲେଖିଛନ୍ତି, 'କେହି ବି ଖୁସୀରେ ନାହାନ୍ତି । ସମସ୍ତେ ଆନ୍ଦୋଳନ କରୁଛନ୍ତି । ମାଲିକ ଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ଏବଂ ନିଯୁକ୍ତିଦାତାଠାରୁ ଆରମ୍ଭ କରି କର୍ମଚାରୀ ସମସ୍ତେ ଆନ୍ଦୋଳନ କରୁଛନ୍ତି । ସମସ୍ତେ ଦୁଃଖୀ ଏବଂ ଅସନ୍ତୁଷ୍ଟ ଅଛନ୍ତି । ସତ ସବୁଦିନ ଲୁଚି ରୁହେନା । ଭଗବତଙ୍କ ସଂସ୍ଥା ହିଁ ମୋଦି ଶାହଙ୍କୁ ସମର୍ଥନ ଦେଇ ଦେଶର ସ୍ଥିତି ବିଗାଡିଛନ୍ତି । ମୋଦି ଶାହ ନିଜ ରାଜଧର୍ମ ପାଳନ କରୁନାହାଁନ୍ତି । '