ନୂଆଦିଲ୍ଲୀ: ରାଜଧାନୀରେ ରାଜ କରିବା ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । 2015 ଅପେକ୍ଷା 2020ରେ ଝାଡୁ, ହାତ, କମଳ ମଧ୍ୟରେ କଡା ଟକ୍କର ହେବ । ଏବେ ଦିଲ୍ଲୀରେ 70 ବିଧାନସଭା ଆସନରେ ଫେବୃଆରୀ 8 ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ଜାରି ରହିଛି।
ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ନାଙ୍ଗଲୋଇ ଜାଟ ବିଧାନସଭା କ୍ଷେତ୍ରରେ ଏକ ନିର୍ବାଚନୀ ଜନସଭାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି । ଏହାସହ ଆପ୍ ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ସେ। ବିଭିନ୍ନ ପ୍ରସଙ୍ଗରେ ଆପ୍ ମୁଖିଆ କେଜ୍ରିୱାଲଙ୍କୁ ଟାର୍ଗେଟ କରି ତାଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ନିର୍ବାଚନୀ ସଭାକୁ ସମ୍ବୋଧନ କରି ଅମିତ ଶାହ କହିଛନ୍ତି ଯେ, ଆନ୍ନା ହଜାରେ ଆନ୍ଦୋଳନରୁ କେଜ୍ରିୱାଲ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏହି ଆନ୍ଦୋଳନରେ କେଜ୍ରିୱାଲ ରାଜଧାନୀ ଦିଲ୍ଲୀରେ ଲୋକପାଳ ବିଲ୍ ଲାଗୁ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ମାତ୍ର ଏବେ ଦିଲ୍ଲୀରେ ଜନ ଲୋକପାଳ ବିଲର ଚିହ୍ନବର୍ଣ୍ଣ ନାହିଁ। ଅରବିନ୍ଦ କେଜ୍ରିୱାଲ ଆନ୍ନା ଆନ୍ଦୋଳନର ଫାଇଦା ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିବା ପରେ 5 ବର୍ଷ ଭିତରେ ଦିଲ୍ଲୀବାସୀଙ୍କୁ ଠକିଛନ୍ତି ।
ଦିଲ୍ଲୀରେ ଗର୍ଜିଲେ ଅମିତ ଶାହ, ଟାର୍ଗେଟରେ ଆପ୍-କଂଗ୍ରେସ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ ବିଜେପି ପକ୍ଷ ରଖିଛନ୍ତି। ସିଏଏକୁ ନେଇ କଂଗ୍ରେସ ଓ ଆପ୍ ଦ୍ବାରା ଲୋକଙ୍କୁ ଭ୍ରମାତ୍ମକ ବାର୍ତ୍ତା ପ୍ରଚାର କରୁଛନ୍ତି। ଏହାସହ ଆଗାମୀ 4 ମାସ ମଧ୍ୟରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି । ମନ୍ଦିର ବିବାଦ ବିଗତ ଅନେକ ବର୍ଷ ହେଲା ସମାଧାନ ନହେବା ପଛରେ କଂଗ୍ରେସର ବଡ ନେତାଙ୍କ ହାତ ରହିଥିଲା ବୋଲି କହିଛନ୍ତି ଗୃହମନ୍ତ୍ରୀ ଶାହ।
ଅରବିନ୍ଦ କେଜ୍ରିୱାଲ ଓ ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ଭାରତୀୟ ସେନା ଦ୍ବାରା ଶତ୍ରୁ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ । ଏମାନେ ଶତ୍ରୁଙ୍କ ଭାଷା ବ୍ୟବହାର କରନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ଧାରା 370 ଓ 35 ଏ ହଟାଇ ଜମ୍ମୁ-କାଶ୍ମୀରକୁ ଦେଶର ଅଭିନ୍ନ ଅଙ୍ଗ ଭାବରେ ଅବସ୍ଥାପିତ କରିଛନ୍ତି । ମୋଦି ସରକାରଙ୍କ ଏହା ସବୁଠାରୁ ବଡ ଉପଲବ୍ଧି ବୋଲି କହିଛନ୍ତି ଗୃହମନ୍ତ୍ରୀ।