ନୂଆଦିଲ୍ଲୀ: ଚୀନ ସହିତ ସୀମା ତିକ୍ତତା ମଧ୍ୟରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଭାରତୀୟ ସଶସ୍ତ୍ର ବାହିନୀ ହେରନ୍ ଡ୍ରୋନକୁ ଲେଜର ଗାଇଡେଡ୍ ବୋମା ଏବଂ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଖଂଜିବା ପାଇଁ ଯୋଜନା କରୁଛି। ଏହା ସୁରକ୍ଷା ବାହିନୀକୁ ଶତ୍ରୁର ଘୃଣ୍ୟ ଉଦ୍ଦେଶ୍ୟ ସହିତ ମୁକାବିଲା କରିବାରେ ସାହାଯ୍ୟ କରିବ । ଏଥିସହ ସୀମାରେ ଭାରତୀୟ ସେନାର ସ୍ଥିତିକୁ ଦୃଢ କରିବାରେ ସାହାଯ୍ୟ କରିବ ।
ଇସ୍ରାଏଲ୍ର ଏହି ହେରନ୍ ଡ୍ରୋନ୍ ଗୁଡିକ ବର୍ତ୍ତମାନ ଭାରତର ତିନି ସେନା ବ୍ୟବହାର କରୁଛନ୍ତି । ତେବେ ସଶସ୍ତ୍ର ବାହିନୀ ଏଥିପାଇଁ 'ପ୍ରୋଜେକ୍ଟ ଚିତା' ନାମକ ଏକ ପ୍ରସ୍ତାବକୁ ପୁନଃ ଆରମ୍ଭ କରିଛନ୍ତି। ଏହି ପ୍ରସ୍ତାବ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି । ଏହାର ମୂଲ୍ୟ 3500 କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ତେବେ ଏହି ପ୍ରକଳ୍ପ ଅଧୀନରେ ପ୍ରାୟ 90 ଟି ହେରନ୍ ଡ୍ରୋନ୍ରେ ଲେଜର ଗାଇଡ୍ ବୋମା, ଏୟାର-ଟୁ-ଗ୍ରାଉଣ୍ଡ ଏବଂ ଏୟାର-ଟୁ-ଏୟାର ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଖଂଜା ଯାଇ ନବୀକରଣ କରାଯିବ।