ସାର୍କ ସମ୍ମିଳନୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଥିବା ବେଳେ କରୋନା ଭାଇରସ୍ ମହାମାରୀ ସଂକଟ ଦକ୍ଷିଣ ଏସିଆର ଏହି ଗୋଷ୍ଠୀ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି କି ? 2016ରେ ସାର୍କ ବା ଦକ୍ଷିଣ ଏସିଆ କ୍ଷେତ୍ରୀୟ ସହଯୋଗ ସଂଗଠନର ଶିଖର ସମ୍ମିଳନୀ ଇସ୍ଲାମାବାଦ ଦ୍ବାରା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଉରି ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ନେତୃତ୍ବରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସମ୍ମିଳନୀକୁ ବର୍ଜନ କରିଥିଲେ । ତା’ ପରଠାରୁ ଶ୍ରୀଲଙ୍କା, ନେପାଳ ଓ ମାଳଦ୍ବୀପ ଏହି ସର୍ବୋଚ୍ଚ ରାଜନୈତିକ ସ୍ତରୀୟ ଆଲୋଚନା ପୁଣି ଆରମ୍ଭ କରିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ବର୍ତ୍ତମାନର ବାତାବରଣ ଏ ଦିଗରେ ଅନୁକୂଳ ନୁହେଁ ବୋଲି ଭାରତ ଉଲ୍ଲେଖ କରିଥିଲା ଏବଂ ପାକିସ୍ତାନରୁ ଆରମ୍ଭ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଦିଗରେ ପାକିସ୍ତାନ ନିଶ୍ଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦର୍ଶାଇଥିଲା । କିନ୍ତୁ କୋଭିଡ୍-19 ସର୍ବବ୍ୟାପୀ ମହାମାରୀର ନିୟନ୍ତ୍ରଣ ଦିଗରେ ଭାରତ ନିର୍ଣ୍ଣାୟକ ପଦକ୍ଷେପ ନେଉଥିବା ବେଳେ ସାରା ବିଶ୍ବରେ ଉପୁଜିଥିବା ଏହି ସ୍ବାସ୍ଥ୍ୟ ସଂକଟର ମୁକାବିଲା ଲାଗି ସାମୂହିକ କ୍ଷେତ୍ରୀୟ ରଣକୌଶଳ ଅବଲମ୍ବନ ଆଶାରେ ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଣି ସାର୍କ ପ୍ରତି ଧ୍ୟାନ ଆକର୍ଷଣ କରିଛନ୍ତି ।
ପ୍ରଧାନ ମନ୍ତ୍ରୀ ମୋଦି ଆଜି ଟ୍ବିଟ୍ କରିଛନ୍ତି, “କରୋନା ଭାଇରସ୍ର ମୁକାବିଲା ଲାଗି ସାର୍କ ସଦସ୍ୟ ରାଷ୍ଟ୍ର ସମୂହର ନେତୃତ୍ବ ଏକ ଦୃଢ଼ ରଣକୌଶଳ ପ୍ରସ୍ତୁତ କରନ୍ତୁ ବୋଲି ମୁଁ ପ୍ରସ୍ତାବ ଦେବାକୁ ଚାହିଁବି । ଆମ ନାଗରିକମାନଙ୍କୁ ସୁସ୍ଥ ରଖିବାର ଉପାୟ ସଂପର୍କରେ ଆମେ ଭିଡିଓ କନ୍ଫରେନ୍ସ କରି ଆଲୋଚନା କରିପାରିବା । ଆମେମାନେ ଏକାଠି ହୋଇ ସାରା ବିଶ୍ବ ଆଗରେ ଏକ ଉଦାହରଣ ଉପସ୍ଥାପନ କରିପାରିବା ଏବଂ ଏକ ସୁସ୍ଥ ବିଶ୍ବ ଗଠନ ଦିଗରେ ଯୋଗଦାନ କରିପାରିବା ।”
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍ରେ ପ୍ରସ୍ତାବିତ ଭିଡିଓ କନ୍ଫରେନ୍ସ ଆୟୋଜନ ଦିଗରେ ଏବେ ବି କୌଣସି ପଦକ୍ଷେପ ନିଆଯାଇ ନଥିଲେ ହେଁ ଦକ୍ଷିଣ ଏସିଆ କ୍ଷେତ୍ରର ନେତାମାନେ ଏହି
ଚିନ୍ତାଧାରାକୁ ସ୍ବାଗତ କରିଛନ୍ତି ।
ପ୍ରଧାନ ମନ୍ତ୍ରୀଙ୍କ ଟ୍ବିଟ୍ର ଉତ୍ତରରେ ମାଳଦ୍ବୀପର ରାଷ୍ଟ୍ରପତି ଇବ୍ରାହିମ୍ ସୋଲି ଲେଖିଛନ୍ତି, “ଏହି ଗୁରୁତ୍ବପୂର୍ଣ୍ଣ ପ୍ରୟାସ ଦିଗରେ ଉପକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ମାଳଦ୍ବୀପ ଏହି ପ୍ରସ୍ତାବକୁ ସ୍ବାଗତ କରୁଛି ଏବଂ ଏଭଳି ଏକ କ୍ଷେତ୍ରୀୟ ପ୍ରଚେଷ୍ଟାରେ ସଂପୂର୍ଣ୍ଣ ସହଯୋଗ କରିବ।”
ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଟ୍ବିଟ୍ କରିଛନ୍ତି, “ଏହି ମହାନ ଉପକ୍ରମ ପାଇଁ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ଏହି ଆଲୋଚନାରେ ଯୋଗ ଦେବା ସହିତ ଆମ ଅଭିଜ୍ଞତା ଏବଂ ଅନୁଶୀଳନକୁ ଉପସ୍ଥାପନ କରିବା ଏବଂ ଅନ୍ୟ ସାର୍କ ସଦସ୍ୟମାନଙ୍କ ନିକଟରୁ ଶିକ୍ଷାଲାଭ ସକାଶେ ଶ୍ରୀଲଙ୍କା ପ୍ରସ୍ତୁତ । ଆସନ୍ତୁ, ଆମ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି କଠିନ ସମୟରେ ଆମେ ଐକ୍ୟବଦ୍ଧ ଭାବେ ସମ୍ମିଳିତ ହେବା ।”
ସଂଯୋଗବଶତଃ ଏ ବର୍ଷ ସାର୍କର ମହାସଚିବ ଭାବରେ ଶ୍ରୀଲଙ୍କାର ଜଣେ କୂଟନୀତିଜ୍ଞ କାର୍ଯ୍ୟଭାର ଗ୍ରହଣ କରିବେ, କିନ୍ତୁ ନିକଟ ଅତୀତରେ କଲମ୍ବୋ ସହ ସରକାରୀ ସ୍ତରରେ ବାର୍ତ୍ତାଳାପ ଅବସରରେ ଏହି ରାଷ୍ଟ୍ର ଗୋଷ୍ଠୀକୁ ପୁଣି ସକ୍ରିୟ କରି ଗଢ଼ିବା ଦିଗରେ ଭାରତ ସେତେଟା ଉତ୍ସାହ ପ୍ରଦର୍ଶନ କରିନାହିଁ । 2014 ନଭେମ୍ବରରେ କାଠମାଣ୍ଡୁରେ ଆୟୋଜିତ ସାର୍କ ଶିଖର ସମ୍ମିଳନୀରେ ଯୋଗ ଦେଇ ଅଗ୍ରସର ହେବା ଲାଗି ଉପ-କ୍ଷେତ୍ରୀୟ ଚିନ୍ତାଧାରାର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିବା ପ୍ରଧାନମନ୍ତ୍ରୀ ମୋଦି, ଏକ ବିକଳ୍ପ କ୍ଷେତ୍ରୀୟ ସାମ୍ମୁଖ୍ୟ ଭାବରେ ବିମ୍ଷ୍ଟେକ୍ (ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର ମଲ୍ଟି ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ୍) ଉପରେ ସଂପ୍ରତି ପ୍ରାଧାନ୍ୟ ଦେଇଆସୁଛନ୍ତି । ବିମ୍ଷ୍ଟେକ୍ର ସାତ ଜଣ ସଦସ୍ୟଙ୍କ ମଧ୍ୟରେ, ଥାଇଲାଣ୍ଡ ସମେତ ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା, ନେପାଳ ଏବଂ ଭୁଟାନ ଭଳି ସମସ୍ତ ସାର୍କ ସଦସ୍ୟ ରାଷ୍ଟ୍ର ରହିଛନ୍ତି । କିନ୍ତୁ ପାକିସ୍ତାନ ଓ ଆଫଗାନିସ୍ତାନ ଏହାର ସଦସ୍ୟ ନାହାନ୍ତି ।
ଏ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ମୋଦିଙ୍କ ପ୍ରସ୍ତାବର ଉତ୍ତର ଦେଇନାହାନ୍ତି, କିନ୍ତୁ ନେପାଳ ଓ ଭୁଟାନ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି । ନେପାଳର ପ୍ରଧାନ ମନ୍ତ୍ରୀ କେ.ପି.ଶର୍ମା ଓଲି ଲେଖିଛନ୍ତି, “କରୋନା ଭାଇରସ୍ର ମୁକାବିଲା ଲାଗି ସାର୍କର ସଦସ୍ୟ ରାଷ୍ଟ୍ର ସମୂହର ନେତାମାନେ ଏକତ୍ର ହୋଇ ଏକ ଶକ୍ତିଶାଳୀ ରଣକୌଶଳ ନିର୍ଦ୍ଧାରଣ କରିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଚିନ୍ତାଧାରାକୁ ମୁଁ ସ୍ବାଗତ କରୁଛି । ଏହି ମାରାତ୍ମକ ରୋଗ କବଳରୁ ଆମ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ଲାଗି ମୋ ସରକାର ସାର୍କ ସଦସ୍ୟ ରାଷ୍ଟ୍ର ସମୂହ ସହିତ ଆନ୍ତରିକ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ । ”