ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଆପନୀ ପାର୍ଟି ମୁଖ୍ୟ ଅଲତାଫ ବୁଖାରୀ । ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଜମ୍ମୁ ଓ କାଶ୍ମୀରକୁ ନେଇ ଅନେକ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ଏହି ସମୟରେ ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି ଅଲତାଫ ବୁଖାରୀ । ଏନେଇ ସୋମବାର ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ରବିବାର ଆଲୋଚନା ସମୟରେ ବୁଖାରୀ ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ ଓ କାଶ୍ମୀରବାସୀଙ୍କ ଦାବି ସମ୍ମଳୀତ ଏକ ସ୍ମାରକ ପତ୍ର ମଧ୍ୟ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି । ପାଖାପାଖି ଘଣ୍ଟାଏ ଧରି ବୈଠକ ହୋଇଥିବାବେଳେ ଜମ୍ମୁ ଓ କାଶ୍ମୀରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରଯାଇଥିବା କୁହାଯାଉଛି ।
ଏହା ସହ ଜମ୍ମୁ ଓ କାଶ୍ମୀରରେ ବେକାରୀ ସମସ୍ୟାକୁ ନେଇ ମଧ୍ୟ ବୁଖାରୀ, ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି । ବେକାରୀ ହାର କଥା କହିବା ସହ ଏଥିପାଇଁ ପ୍ୟାକେଜ ଘୋଷଣା କରିବାକୁ ବୁଖାରୀ କହିଥିବା ଦଳ କହିଛି । ସେହିପରି ବେକାରୀ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।