ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଯାଞ୍ଚରେ ନଜର ରଖିବ ଆହ୍ଲାବାଦ ହାଇକୋର୍ଟ । ଏଥିସହ ବର୍ତ୍ତମାନ ମାମଲାର ଶୁଣାଣି ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯିବ ନାହିଁ । ଏନେଇ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ପ୍ରକାଶ କରିଥିବା ସୂଚନା ମିଳିଛି ।
ସୁପ୍ରିମକୋର୍ଟ ବର୍ତ୍ତମାନ ମାମଲାର ଶୁଣାଣି ରାଜ୍ୟ ବାହରକୁ ସ୍ଥାନାନ୍ତର କରିବାକୁ ମନା କରିଦେଇଛନ୍ତି ଏବଂ ମାମଲାର ତଦନ୍ତ ଶେଷ ହେବା ପରେ ଏହାର ଶୁଣାଣି ସ୍ଥାନାନ୍ତର ବୋଲି ବିବେଚନା କରାଯାଇପାରେ । ଏଥିସହ ଆହ୍ଲାବାଦ ହାଇକୋର୍ଟ ବର୍ତ୍ତମାନ ଏହି ମାମଲାରେ ନଜର ରଖିବ । ତେବେ ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।
ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି, ତେଣୁ ଏଥିରେ ତୁରନ୍ତ ହସ୍ତାନ୍ତରର ଆବଶ୍ୟକତା ନାହିଁ । ଅନ୍ୟ ସମସ୍ତ ବିଷୟ ଉପରେ ମଧ୍ୟ ହାଇକୋର୍ଟ ନଜର ରଖିଛନ୍ତି । ଶୁଣାଣି ସମୟରେ ୟୁପି ସରକାର ଦେଇଥିବା ଆଫିଡେଭିଟକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଯେଉଁଥିରେ ପୀଡିତାଙ୍କ ପରିବାର, ଏହି ମାମଲା ସହ ଜଡିତ ସାକ୍ଷୀଙ୍କୁ ଦୃଢ ସୁରକ୍ଷା ଯୋଗାଇ ଦିଆଯିବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି । ଏଥିସହ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମଧ୍ୟ ଦାବି କରାଯାଇଥିଲା ।