(ବିଶ୍ବ ମଶା ଦିବସ ଉପଲକ୍ଷେ)
ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ପାଳନ କରାଯାଏ ବିଶ୍ବ ମଶା ଦିବସ । ମାଇ ମଶା ଯୋଗୁଁ ମଣିଷ ମ୍ୟାଲେରିଆରେ ଆକ୍ରାନ୍ତ ହୁଏ ବୋଲି ୧୮୯୭ରେ ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡ ରସ୍ ଆବିଷ୍କାର କରିଥିଲେ । ସାର୍ ରୋନାଲ୍ଡ ରସ୍ଙ୍କ ଏହି ଆବିଷ୍କାରକୁ ମନେ ପକାଇବା ପାଇଁ ପାଳନ ହୁଏ ବିଶ୍ବ ମଶା ଦିବସ । ୧୯୩୦ ଦଶକରୁ ଲଣ୍ଡନ ସ୍କୁଲ୍ ଅଫ୍ ହାଇଜିନ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ ପକ୍ଷରୁ ମଶା ଦିବସ ପାଳିତ ହୋଇଆସୁଛି । ମଶାଙ୍କ ଦ୍ବାରା ବ୍ୟାପୁଥିବା ମ୍ୟାଲେରିଆ ଓ ଅନ୍ୟ ରୋଗ ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ବିଶ୍ବ ମଶା ଦିବସର ମୁଖ୍ୟ ଉଦ୍ଦେଶ୍ୟ । ସ୍ପାନିଶ ଶବ୍ଦ ‘ମସ୍କେଟା’ରୁ ଉତ୍ପତି ହୋଇଛି ମସକ୍ୟିଟୋ ଶବ୍ଦ । ମସ୍କିଟୋର ଅର୍ଥ ହେଉଛି ଲିଟିଲ ଫ୍ଲାଏ ବା ଛୋଟ ମାଛି । ବିଶ୍ୱରେ ୩ ହଜାରରୁ ଅଧିକ ପ୍ରଜାତିର ମଶା ଦେଖାଯାଆନ୍ତି । ତେବେ, ଏଥିମଧ୍ୟରୁ କେବଳ ତିନି ପ୍ରକାର ମଶା ହିଁ ରୋଗ ସଂକ୍ରମଣ କରନ୍ତି ।
ସେହି ମଶାଗୁଡିକ ହେଲା –
୧. ଆଡିସ୍ : ଏହି ମଶା ଯୋଗୁଁ ଚିକୁନଗୁନିୟା, ଡେଙ୍ଗୁ, ଲିମ୍ଫାଟିକ୍ ଫିଲାରିଆସିସ୍, ରିଫ୍ଟ ଭ୍ୟାଲି ଫିଭର, ୟେଲୋ ଫିଭର ଓ ଜିକା ଭଳ ରୋଗ ହୁଏ ।
୨. ଆନୋଫିଲିସ୍ : ଏହି ମଶା ଯୋଗୁଁ ମ୍ୟାଲେରିଆ, ଲିମ୍ଫାଟିକ୍ ଫିଲାରିଆସିସ୍ ବ୍ୟାପେ ।
୩. କ୍ୟୁଲେକ୍ସ : ଏହି ମଶା ଦ୍ୱାରା ଜାପାନୀ ଜ୍ବର, ଲିମ୍ଫାଟିକ ଫିଲାରିଆସିସ୍ ଓ ୱେଷ୍ଟ ନାଇଲ୍ ଫିଭର ବ୍ୟାପେ ।
ପ୍ରତିବର୍ଷ ମଶାବାହିତ ରୋଗରେ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନି ହୁଏ । ଏଥିପାଇଁ ତ ମଶାମାନେ ବିଶ୍ୱର ମାରାତ୍ମକ ଜୀବ ଭାବେ ପରିଚିତ । ମଶାଙ୍କ ଦାଉରୁ ଆମେ କିଭଳି ନିଜକୁ ରକ୍ଷା କରିବା, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ହେଲେ ବି ଆମକୁ ମନେ ରଖିବାକୁ ହେବ ଯେ, ମଶାମାନେ ଆମ ଜୈବ ବ୍ୟବସ୍ଥାର ପ୍ରମୁଖ ଅଂଶ । ହଜାର ହଜାର ପଶୁପକ୍ଷୀ ଓ କୀଟପତଙ୍ଗଙ୍କ ପାଇଁ ଖାଦ୍ୟ ଉତ୍ସ ଭାବେ ମଶାଗୁଡିକ କାମ କରିଥାନ୍ତି ।
ମଶାଙ୍କ ସଂପର୍କରେ ଜାଣିବା କଥା
. କେବଳ ମାଇ ମଶା ହିଁ ମଣିଷ ରକ୍ତ ଶୋଷେ । ପୁରୁଷ ମଶା ଉଦ୍ଭିଦରୁ ଖାଦ୍ୟ ସଂଗ୍ରହ କରନ୍ତି ।
. ମାଇ ମଶାମାନେ ସେମାନଙ୍କର ଅଣ୍ଡାକୁ ବିକଶିତ କରିବା ପାଇଁ ମଣିଷ ରକ୍ତ ଦରକାର କରନ୍ତି । ତେଣୁ ସେମାନେ ମଣିଷ ଓ ପଶୁଙ୍କୁ କାମୁଡି ରକ୍ତ ଶୋଷିଥାନ୍ତି ।
. ଆନୋଫିଲ୍ସ ମଶାମାନେ ବର୍ଷାପାଣି, ନାଳନର୍ଦ୍ଦମା, ଜଳସେଚନ ଚ୍ୟାନେଲରେ ପରିପୁଷ୍ଟ ହୁଅନ୍ତି । ଆଡିସ ମଶାଗୁଡିକ ଯେ କୌଣସି ମାନବ ନିର୍ମିତ ଜଳ ସଂରକ୍ଷଣ କଂଟେନରରେ ବଢନ୍ତି ।