ଓଡିଶା

odisha

ETV Bharat / bharat

କଣ ଏହି ଧାରା 370 ? ଜାଣନ୍ତୁ ସବିଶେଷ ତଥ୍ୟ - amit shah

ବର୍ଷ ବର୍ଷ ଧରି ଭାରତୀୟ ସମ୍ବିଧାନ କଥା ଉଠିଲେ ଧାରା 370 କଥା ଆସେ । ଜମ୍ମୁ କଶ୍ମୀରରେ ଲାଗିଥିବା ଧାରା 370 ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରେ । ତେବେ ସୋମବାର ରାଜ୍ୟସଭାରେ ଅନୁଚ୍ଛେଦ 370 ସମ୍ବିଧାନରୁ ହଟାଇବା ନେଇ ପ୍ରସ୍ତାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ କଣ ଏହି ଧାରା 370 ? ଜାଣନ୍ତୁ ସବିଶେଷ ତଥ୍ୟ...

ଡିଜାଇନ ଫଟୋ

By

Published : Aug 5, 2019, 4:26 PM IST

ହାଇଦ୍ରାବାଦ: ଜମ୍ମୁ କଶ୍ମୀରରୁ ଧାରା 370କୁ ହଟାଇବା ପାଇଁ ରାଜ୍ୟସଭାରେ ସଙ୍କଳ୍ପ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୋଟିଏ ସେକେଣ୍ଡରେ ସମ୍ବିଧାନରୁ ଏହି ଅନୁଚ୍ଛେଦ ହଟିବା ଦରକାର ବୋଲି ପ୍ରସ୍ତାବ ଆଗତ କରି କହିଛନ୍ତି ଅମିତ ଶାହ । ତେବେ କଣ ଏହି ଧାରା 370 ? କାହିଁକି ଏହା ଲାଗୁ ହୋଇଥିଲା ଜମ୍ମୁ କଶ୍ମୀରରେ ? କାହିଁକି ହଟିବ ଏବେ ଧାରା 370 ?

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅନୁଚ୍ଛେଦ 370କୁ ସମ୍ବିଧାନର 21ତମ ଅଧ୍ୟାୟରେ ଅସ୍ଥାୟୀ, ମଧ୍ୟବର୍ତ୍ତୀକାଳୀନ ଓ ଅତିରିକ୍ତ ବ୍ୟବସ୍ଥାପିକା ପ୍ରକ୍ରିୟା ଭାବେ ସାମିଲ କରାଯାଇଥିଲା । ଏହା ଅନୁସାରେ ଭାରତୀୟ ସଂସଦକୁ ଜମ୍ମୁ କଶ୍ମୀରର କେବଳ ପ୍ରତିରକ୍ଷା, ବୈଦେଶିକ ମାମଲା ଓ ଦୂର ସଂଚାର ମାମଲା ଗୁଡିକରେ ହିଁ ଆଇନ ପ୍ରସ୍ତୁତ କରିବାର ଅଧିକାର ମିଳିଥିଲା । କିନ୍ତୁ ଅନ୍ୟ କୌଣସି ମାମଲାରେ ଆଇନ ଲାଗୁ କରିବା ପାଇଁ ଚାହିଁଲେ କେନ୍ଦ୍ର ସରକାରଙ୍କୁ ଜମ୍ମୁ କଶ୍ମୀର ସରକାରଙ୍କ ଅନୁମୋଦନର ଆବଶ୍ୟକତା ରହିଥାଏ ।

ଇତିହାସ

1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ଇଂରେଜଙ୍କ ଠାରୁ ସ୍ବାଧୀନତା ଲାଭ କରିଥିଲା ସତ କିନ୍ତୁ ଏହା ଦୁଇ ଭାଗରେ ବିଭକ୍ତ ହୋଇଗଲା । ଭାରତ ଠାରୁ ଅଲଗା ହୋଇ ପାକିସ୍ତାନ ଅଲଗା ଦେଶ ହୋଇଥିଲା । ସେତେବେଳେ ରାଜା ଶାସନ ଚାଲୁଥିବା ରାଜ୍ୟ ଗୁଡିକୁ ଭାରତ କିମ୍ବା ପାକିସ୍ତାନ ସହ ମିଶିଯିବା ଅବା ସ୍ବତନ୍ତ୍ର ରହିବାର ଅଧିକାର ଥିଲା । କିଛି ରାଜ୍ୟକୁ ଛାଡି ଅନ୍ୟ ସମସ୍ତ ରାଜ୍ୟ ଭାରତରେ ବିଲୟ ହୋଇଥିଲେ । ଜମ୍ମୁ କଶ୍ମୀରର ତତ୍କାଳୀନ ଶାସକ ରାଜା ହରି ସିଂହ ସେତେବେଳେ ସ୍ବତନ୍ତ୍ର ରହିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ 20 ଅକ୍ଟୋବର 1947ରେ ପାକିସ୍ତାନୀ ସେନା ସମର୍ଥନରେ ‘ଆଜାଦ କଶ୍ମୀର ସେନା’ କଶ୍ମୀର ଉପରେ ଆକ୍ରମଣ କରିଥିଲେ । ମହାରାଜା ହରି ସିଂ ଏଥିରେ ବ୍ୟଥିତ ହୋଇ ଭାରତ ଠାରୁ ସାହାଯ୍ୟ ମାଗିଥିଲେ ।

ସେତେବେଳେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ କାଶ୍ମୀରକୁ ଭାରତ ସହ ମିଶିବା ନେଇ ସର୍ତ୍ତ ରଖିଥିଲେ । ଭାରତର ସାହାଯ୍ୟ ପାଇବା ପାଇଁ ରାଜା ହରି ସିଂହ 26 ଅକ୍ଟୋବର, 1947ରେ ‘ଇନଷ୍ଟ୍ରୁମେଣ୍ଟସ୍‌ ଅଫ ଆକ୍ସେସନ ଅଫ ଜମ୍ମୁ ଆଣ୍ଡ କଶ୍ମୀର ଟୁ ଇଣ୍ଡିଆ’ ଉପରେ ଦସ୍ତଖତ କରିଥିଲେ । ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟ ବ୍ୟାଟେନ ପରଦିନ ଅର୍ଥାତ 27 ଅକ୍ଟୋବର 1947ରେ ଏହାକୁ ସ୍ବୀକାର କରି ନେଇଥିଲେ । ଏହା ପରେ ଜମ୍ମୁ କଶ୍ମୀର ଭାରତ ସହ ବିଧିବଦ୍ଧ ଭାବେ ବିଲିନ ହୋଇଥିଲା । ତେବେ ସୂଚନା ଯୋଗ୍ୟ ଯେ ‘ଇନଷ୍ଟ୍ରୁମେଣ୍ଟସ୍‌ ଅଫ ଆକ୍ସେସନ ଅଫ ଜମ୍ମୁ ଆଣ୍ଡ କଶ୍ମୀର ଟୁ ଇଣ୍ଡିଆ’ ରେ ଉଲ୍ଲେଖ ଥିଲା ଯେ କେବଳ ପ୍ରତିରକ୍ଷା, ବୈଦେଶିକ ମାମଲା, ଓ ଦୂର ସଂଚାର ମାମଲାରେ ହିଁ ଭାରତୀୟ ଆଇନ ଜମ୍ମୁ କଶ୍ମୀରରେ ଲାଗୁ ହେବ ।

କ’ଣ ଧାରା 370..


ଜମ୍ମୁ କଶ୍ମୀର ସହ ଭାରତର ସମ୍ବନ୍ଧ କିପରି ହେବ, ତାହାର ବିବରଣୀ ଜମ୍ମୁ କଶ୍ମୀର ସରକାର ହିଁ ନିଶ୍ଚିତ କରିଥିଲେ । ଜମ୍ମୁ କଶ୍ମୀରର ସରକାର 27 ମେ, 1949ରେ କିଛି ପରିବର୍ତ୍ତନ ସହ ଧାରା 306(କ) (ବର୍ତ୍ତମାନ ଧରା 370)କୁ ସ୍ବୀକୃତି ଦେଇଥିଲେ । ପରେ 17 ଅକ୍ଟୋବର, 1949ରେ ଏହି ଧାରା ଭାରତୀୟ ସମ୍ବିଧାନର ଅଂଶ ହୋଇଥିଲା । ସୂଚନା ଯେ 26 ନଭେମ୍ବର 1949ରେ ସମ୍ବିଧାନକୁ ଅଙ୍ଗୀକୃତ କରାଗଲା । ‘ଇନଷ୍ଟ୍ରୁମେଣ୍ଟସ୍‌ ଅଫ ଆକ୍ସେସନ ଅଫ ଜମ୍ମୁ ଆଣ୍ଡ କଶ୍ମୀର ଟୁ ଇଣ୍ଡିଆ’ ର ସର୍ତ୍ତ ମୁତାବକ, ଧାରା 370ରେ ଉଲ୍ଲେଖ ଥିଲା ଯେ ଦେଶର ସଂସଦକୁ କେବଳ ପ୍ରତିରକ୍ଷା, ବୈଦେଶିକ ମାମଲା ଓ ଦୂର ସଂଚାର ମାମଲାରେ ହିଁ ଆଇନ ଗଢ଼ିବାର ଅଧିକାର ରହିବ ଅନ୍ୟ କୌଣସି ମାମଲାରେ ଆଇନ ଗଢ଼ିବାର ଅଧିକାର ରହିବ ନାହିଁ । ଏହାସହ ଜମ୍ମୁ କଶ୍ମୀରକୁ ନିଜର ସ୍ବତନ୍ତ୍ର ସମ୍ବିଧାନ ଗଢ଼ିବାର ଅଧିକାର ଦିଆଗଲା ।

ଏହି ବିଶେଷ ନିୟମ କାରଣରୁ ଭାରତ ସରକାର ଗଢ଼ିଥିବା ଆଇନ ଗୁଡିକ ଜମ୍ମୁ କାଶ୍ମୀରରେ ଲାଗୁ ହୁଏ ନାହିଁ । କେବଳ ସେତିକି ନୁହେଁ ଜମ୍ମୁ କଶ୍ମୀରର ମଧ୍ୟ ରହିଛି ନିଜର ଅଲଗା ପତାକା । ଜାତୀୟ ପତାକା ତ୍ରିରଙ୍ଗାର ବ୍ୟବହାର ସେଠାରେ ହୁଏ ନାହିଁ । ଜମ୍ମୁ କାଶ୍ମୀର ନାଗରିକଙ୍କୁ ଦ୍ବେତ ନାଗରିକତା ପ୍ରାପ୍ତ ହୋଇଥାଏ । ଭାରତ ସହ ଜମ୍ମୁ କଶ୍ମୀରର ନାଗରିକତା ମଧ୍ୟ ସେମାନଙ୍କୁ ପ୍ରାପ୍ତ ହୋଇଥାଏ ।

ଧାରା 370ରେ କଣ ରହିଛି ବ୍ୟବସ୍ଥା ଓ ବିଶେଷ ଅଧିକାର

  1. କେନ୍ଦ୍ର ସରକାର ରାଜ୍ୟରେ କୌଣସି ଆଇନ ଲାଗୁ କରିବାକୁ ଚାହିଁଲେ ଜମ୍ମୁ କଶ୍ମୀର ସରକାରଙ୍କ ଅନୁମୋଦନ ଆବଶ୍ୟକ
  2. ଜମ୍ମୁ କଶ୍ମୀର ନିବାସୀଙ୍କ ନାଗରିକତା, ସମ୍ପତ୍ତି ଓ ମୌଳିକ ଅଧିକାର ଅନ୍ୟ ରାଜ୍ୟ ଗୁଡିକ ଠାରୁ ଅଲଗା
  3. ଧାରା 370 ଅନୁସାରେ ଅନ୍ୟ ରାଜ୍ୟର ନାଗରିକ ଜମ୍ମୁ ଓ କଶ୍ମୀରରେ ସମ୍ପତ୍ତି କିଣି ପାରିବେ ନାହିଁ
  4. ଜମ୍ମୁ କାଶ୍ମୀରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର କ୍ଷମତା କେନ୍ଦ୍ର ପାଖରେ ନାହିଁ, କେବଳ ଯୁଦ୍ଧ ଭଳି ସ୍ଥିତିରେ କେନ୍ଦ୍ର ସରକାର ଜରୁୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ
  5. ଜମ୍ମୁ କାଶ୍ମୀରରେ ଭାରତୀୟ ସମ୍ବିଧାନର ଧାରା 356 ଲାଗୁ ହୁଏ ନାହିଁ । ଯାହା କାରଣରୁ ରାଷ୍ଟ୍ରପତିଙ୍କ ପାଖରେ ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବାର ଅଧିକାର ନଥାଏ । ଅର୍ଥାତ ଏଠାରେ ରାଷ୍ଟ୍ରପତି ଶାସନ ନୁହେଁ, ରାଜ୍ୟପାଳ ଶାସନ ଚାଲେ
  6. ଭାରତୀୟ ସମ୍ବିଧାନର ଧାରା 360 ମଧ୍ୟ ଏଠାରେ ଲାଗୁ ହୁଏ ନାହିଁ । ଯାହାଦ୍ବାରା ରାଜ୍ୟରେ ଆର୍ଥିକ ଜୁରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଏ ।
  7. ଜମ୍ମୁ କଶ୍ମୀରରେ ବିଧାନସଭା କାର୍ଯ୍ୟକାଳ 6 ବର୍ଷ ହୋଇଥାଏ । କିନ୍ତୁ ଭାରତର ଅନ୍ୟ ସମସ୍ତ ରାଜ୍ୟରେ ତାହା 5 ବର୍ଷ
  8. ସମ୍ବିଧାନରେ ବର୍ଣ୍ଣିତ ରାଜ୍ୟର ନୀତି ନିର୍ଦ୍ଦେଶ ମଧ୍ୟ ସେଠାରେ ଲାଗୁ ହୁଏ ନାହିଁ
  9. କଶ୍ମୀରରେ ଅଳ୍ପ ସଂଖ୍ୟକଙ୍କୁ ସଂରକ୍ଷଣ ମିଳେନାହିଁ
  10. ଧାରା 370 କାରଣରୁ କଶ୍ମୀରରେ ଆରଟିଆଇ ଆଇନ ଲାଗୁ ହୁଏ ନାହିଁ
  11. ଜମ୍ମୁ କାଶ୍ମୀର ନାଗରିକଙ୍କ ପାଖରେ ଦ୍ବେତ ନାଗରିକତା ରହିଥାଏ
  12. ଜମ୍ମୁ କଶ୍ମୀରର ପତାକା ମଧ୍ୟ ଅଲଗା ହୋଇଥାଏ
  13. ତେବେ ଏଠାରେ ସୂଚନା ଯୋଗ୍ୟ ଯେ ଧାରା 370(1)(ଗ) ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ସମ୍ବିଧାନର ଧାରା 1 ଧାରା 370 ଦେଇ ଜମ୍ମୁ କଶ୍ମୀରରେ ଲାଗୁ ହୋଇଥାଏ
  14. ସମ୍ବିଧାନର ଧାରା 1 ସଂଘ ରାଜ୍ୟ ଗୁଡିକୁ ସୂଚୀବଦ୍ଧ କରିଥାଏ । ଏହା ମାନେ ଏହି ଧାରା 370 ହିଁ ଜମ୍ମୁ କଶ୍ମୀର ରାଜ୍ୟକୁ ଭାରତୀୟ ସଂଘ ସହ ଯୋଡି ଥାଏ

ABOUT THE AUTHOR

...view details