ଅଯୋଧ୍ୟା: ଶ୍ରୀ ରାମ ମନ୍ଦିର ଭୂମି ପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଅତିଥିଙ୍କ ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି । 500 ବର୍ଷର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ପୁନଃ ଭିତ୍ତି ପ୍ରସ୍ତର ମାତ୍ର 32 ସେକେଣ୍ଡରେ ରଖିବେ ଯାହା ଏକ ଐତିହାସିକ ମୁହୂର୍ତ୍ତ ହେବ ।
ବରିଷ୍ଠ ବିଜେପି ଏବଂ ଆରଏସଏସ ନେତା ଯେଉଁମାନେ ରାମ ଜନ୍ମଭୂମି ମାମଲାରେ ଜଡ଼ିତ ଥିଲେ ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଐତିହାସିକ କ୍ଷଣର ସାକ୍ଷୀ ହେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତ ପାଇଁ ରାମ ନଗରୀରେ ତିଆରି ହୋଇଥିବା ଆକର୍ଷଣୀୟ ତୋରଣରୁ ଏହି ଭୂମି ପୂଜନର ଭବ୍ୟ ଆୟୋଜନ ବିଷୟରେ ଅନୁମାନ କରାଯାଇ ପାରିବ । ମୋଦି ଯେଉଁ ରାଜପଥ ଦେଇ ଯିବେ ସେହି ରାସ୍ତାରେ ମଧ୍ୟ ସୁନ୍ଦର ସୁନ୍ଦର ଚିତ୍ରକଳା ସବୁ କରାଯାଇଛି ।
ଭୂମି ପୂଜନ ଅବସରରେ ପାଳନ ହେବ ଦିପୋତ୍ସବ
ଏକାଥରକେ ସର୍ବାଧିକ ଦୀପ ଜଳାଇ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ଅଯୋଧ୍ୟା । ଆଉ ଏବେ ପୁଣି ଥରେ ଏମିତି ଏକ ଆଲୋକମୟ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି ଅଯୋଧ୍ୟା ନଗରୀ । ଭୂମି ପୂଜନ ଦିନ ଦୀପତ୍ସୋବ ପାଳନ କରାଯିବା ନେଇ ଯୋଜନା ହୋଇଛି ।
ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସଦସ୍ୟ ଓ ଅଯୋଧ୍ୟାର ସମସ୍ତ ସାଧୁ ସନ୍ଥ ସାରା ସହରରେ ଦୀପ ପ୍ରଜ୍ବଳିତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ହନୁମାନଗରହୀ, ଦଶରଥ ମହଲ, କନକ ଭବନ, ସୀତା ରଶୋଇ, ରଙ୍ଗ ମହଲ, ଛୋଟି ଦେବକଲି, ବଡ଼ି ଦେବକଲି ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମଠ ଓ ମନ୍ଦିରରେ ଦୀପ ପ୍ରଜ୍ବଳିତ କରାଯିବ । ଉଭୟ ଅଗଷ୍ଟ 4 ଓ 5 ତାରିଖରେ ଏହି ଦିପୋତ୍ସବ ପାଳନ ହେବ ।
ଅତିଥିଙ୍କ ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଲା ମନ୍ଦିର ଟ୍ରଷ୍ଟ
ଶ୍ରୀ ରାମ ମନ୍ଦିର ଭୂମି ପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବା ପରେ, ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅତିଥିଙ୍କ ତାଲିକା ପଠାଇଛି । ଯଦିଓ ଟ୍ରଷ୍ଟ ଏପର୍ଯ୍ୟନ୍ତ କେତେ ଜଣ ଅତିଥି ଆସିବେ ସେନେଇ କୌଣସି ସୂଚନା ଦେଇ ନାହିଁ ତଥାପି କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଖୁବ କମ ଲୋକଙ୍କୁ ନିମନ୍ତ୍ରଣ କରଯାଇଥିବା ଜଣା ପଡ଼ିଛି । ଅଗଷ୍ଟ 5କୁ ସାରା ଦେଶରେ ହିନ୍ଦୁ ମାନେ ପର୍ବ ଭାବେ ପାଳନ କରିବେ ।
200 ଜଣଙ୍କୁ ନିମନ୍ତ୍ରଣ ପାଇଁ ମିଳିଛି ସହମତି
ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ 268 ଲୋକଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ଭୂମି ପୂଜନ ପାଇଁ 200 ଲୋକଙ୍କୁ ନିମନ୍ତ୍ରଣ କରିବାକୁ ଅନୁମତି ମିଳିଛି । ସେମାନେ 50 ଜଣ କ୍ଷମତା ବିଶିଷ୍ଟ ବ୍ଲକରେ ବସିବା ନେଇ ପ୍ରସ୍ତୁତି କରାଯିବ। ଗୋଟିଏ ବ୍ଲକ ଦେଶର ସର୍ବୋଚ୍ଚ ସାଧୁ, ସନ୍ଥ ଏବଂ ମହନ୍ତଙ୍କ ପାଇଁ ପାଇଁ ସଂରକ୍ଷିତ ରହିବ । ସେହିପରି ଅନ୍ୟ ଏକ ବ୍ଲକ ଯେଉଁ ନେତାମାନେ ରାମ ଜନ୍ମଭୂମି ମନ୍ଦିର ଆନ୍ଦୋଳନ ସହିତ ଜଡିତ ଥିଲେ ସେମାନଙ୍କ ପାଇଁ ରହିବ । ସେମାନଙ୍କ ମଧ୍ୟରୁ କିଛି ବିଶିଷ୍ଟ ନେତା ହେଉଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗବତ, ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ଉମା ଭାରତୀ, ବିନୟ କାଟିୟାର ଏବଂ ସାଧବୀ ରୀତମଭ୍ରା। ଏହି କାର୍ଯ୍ୟକ୍ରମରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଗୋଟିଏ ବ୍ଲକ ଶିଳ୍ପପତି, ବରିଷ୍ଠ ବ୍ୟୁରୋକ୍ରାଟ୍ସ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଦିଆଯିବ ।