ହାଇଦ୍ରାବାଦ: ହାଇଦ୍ରାବାଦର ଶଦନଗରରେ ଡାକ୍ତରାଣୀ 'ଦିଶା'ଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟାକାଣ୍ଡର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିଛି ହାଇଦ୍ରାବାଦ ପୋଲିସ । ଏହି ଅଭିଯୁକ୍ତ ଯେଉଁ ସ୍ଥାନରେ ଦିଶାଙ୍କୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଥିଲେ, ପୋଲିସ ସେମାନଙ୍କୁ ସେହି ସ୍ଥାନକୁ ନେଇ ତଦନ୍ତ କରିବାକୁ ଯାଇଥିଲା। କିନ୍ତୁ ସେମାନେ ପୋଲିସ ହାତରୁ ଖସି ଯିବାକୁ ଉଦ୍ୟମ କରୁଥିଲେ । ଫଳରେ ବାଧ୍ୟ ହୋଇ ପୋଲିସକୁ ଏନକାଉଣ୍ଟର କରିବାକୁ ପଡିଥିଲା ।
ନଭେମ୍ବର 28ରେ ଦିଶାଙ୍କ ଦଗ୍ଧ ମୃତଦେହ ମିଳିବା ପରେ ସାରା ଦେଶରେ ଖେଳିଜାଇଥିଲା ଚାଞ୍ଚଲ୍ୟ । ଏହି ଜଘନ୍ୟ କାଣ୍ଡ ପରେ ଦେଶବାସୀଙ୍କ ମନରେ ଜଳିଥିଲା ଆକ୍ରୋଶର ନିଆଁ । ଦିଶାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗାଁ ଏବଂ ସହରର ପ୍ରତ୍ୟେକ ଗଳିରେ ଆରମ୍ଭ ହୋଇଥିଲା ଆନ୍ଦୋଳନ । ତେବେ ଆସନ୍ତୁ ଜାଣିବା ଦେଶକୁ ଥରହର କରିଦେଇଥିବା ଏହି ମାମଲାର ସମ୍ପୁର୍ଣ୍ଣ କାହାଣୀ ।
ନଭେମ୍ବର 27- ସରକାରୀ ଡାକ୍ତରଖାନାରେ ପଶୁ ଚିକିତ୍ସକ ଭାବେ କାର୍ଯ୍ୟ କରୁଥିବା 26 ବର୍ଷିୟା ଦିଶା ସବୁଦିନ ଭଳି ସେଦିନ ଡ୍ୟୁଟି ସାରି ଫେରୁଥିଲେ । କିନ୍ତୁ ବାଟରେ ତାଙ୍କର ସ୍କୁଟି ଖରାପ ହୋଇଯାଇଥିଲା । ସେ ତାଙ୍କ ଭଉଣୀଙ୍କୁ ଏହାର ଖବର ଦେବା ସମୟରେ କିଛି ଲୋକ ସେଠାକୁ ଆସି ତାଙ୍କୁ ସହାୟତାର ହାତ ବଢାଇଥିଲେ । ଏହାପରେ ସେ ନିଖୋଜ ହୋଇଯାଇଥିଲେ ।
ନଭେମ୍ବର 28- ଦିଶାଙ୍କର ଦଗ୍ଧ ମୃତଦେହ ହାଇଦ୍ରାବାଦ ପୋଲିସକୁ ଶାଦନଗରର ଏକ ଓଭରବ୍ରିଜ ତଳୁ ମିଳିଥିଲା ।
ନଭେମ୍ବର 29-ପୀଡିତାଙ୍କୁ ଫସେଇବା ପାଇଁ ଅଭିଯୁକ୍ତମାନେ ଯେଉଁ ଜାଲ ବୁଣିଥିଲେ, ସେହି ଜାଲରେ ନିଜେ ଫସିଯାଇଥିଲେ । ଦିଶାଙ୍କ ସହ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସ 20 ରୁ 24 ବର୍ଷ ମଧ୍ୟରେ 4 ଅଭିଯୁକ୍ତ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁକୁ ଗିରଫ କରିଥିଲା । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।