ହାଇଦ୍ରାବାଦ: ‘ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ’ ଏହି ଉକ୍ତିର ଯଥାର୍ଥ ଦେଶବାସୀ ଏବେ ମର୍ମେ ମର୍ମେ ନିଭାଉଛନ୍ତି । ଭାରତ ହେଉଛି ଏକ ବିଶାଳ ଦେଶ, ଏହି ପବିତ୍ର ଭୂମିର ବିଭିନ୍ନ ଭାଗରେ ବିଭିନ୍ନ ଧର୍ମ, ଜାତି, ବୃତ୍ତିର ଲୋକ ବସବାସ କରୁଛନ୍ତି। ବିବିଧତା ଭିତରେ ଏକତାର ବଳିଷ୍ଠ ନିର୍ଦଶନ ଦେଶବାସୀ ବିଶ୍ବକୁ ଦେଇ ଆସିଛନ୍ତି। ବିଶ୍ବରେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁ ଦେଶରେ ସବୁଧର୍ମର ଲୋକଙ୍କୁ ସମାନ ଅଧିକାର ସହ ନିଜ ଇଛା ମୁତାବକ ବଞ୍ଚିବା ପାଇଁ ସମ୍ବିଧାନ ସୁଯୋଗ ଦେଇଛି । ଏହି ପବିତ୍ର ଦେବଭୂମିରେ ଏବେ କିଛିବର୍ଷ ହେଲା ବଡ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳୁଛି ।
ସାରାଦେଶରେ ଲଗାତାର କିଛି ବର୍ଷ ହେଲା ଲାଗିରହିଛି ପ୍ରାକୃତିକ ବିପର୍ଯ୍ୟୟ, କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା ପୁଣି କେବେ ମରୁଡି ସହ କେବେ କେବେ ଝଟକା ଦଉଛି ଭୂକମ୍ପ ଏମିତି ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି ଦେଶ । ନଦୀବନ୍ଧ ନିର୍ମାଣ, ପାହାଡ ଧ୍ବସଂ, ଜଳସ୍ତର ଖନନ, ଜଙ୍ଗଲର ଅବକ୍ଷୟ ଦ୍ବାରା ଦିନକୁ ଦିନ ଜଳବାୟୁରେ ଦୃତ ଅବନତି ଘଟୁଛି । ଯାହାର ଫଳ ଦେଶବାସୀ ଭୋଗୁଛନ୍ତି , ଯଦି ଏହି ଧାରା ଲାଗିରହେ ତାହା ମାନବ କଲ୍ୟାଣ ପାଇଁ ଆଦୌ ଶୁଭଙ୍କର ନୁହେଁ ।
ତେବେ ଦେଶରେ ଗତ କିଛିଦିନ ମଧ୍ୟରେ ଏକ ଚିନ୍ତା ଜନକ ପରିସ୍ଥିତି ଦେଖାଦେଇଛି । ଦେଶର ଗୋଟିଏ ପ୍ରାନ୍ତରେ ଜଳ ପାଇଁ ହାହାକାର ଲାଗିରହିଥିବା ବେଳେ ଅନ୍ୟ ଏକ ପ୍ରାନ୍ତରେ ବନ୍ୟା ବିଭିଷୀକା ରଚାଉଛି ତାର ତାଣ୍ଡବ, ଅନ୍ୟ ଏକ ଭାଗରେ ଅଳ୍ପ ବୃଷ୍ଟି ପାଇଁ ବେଉଷା ବୁଡିବା ସ୍ଥିତିରେ । ବର୍ତ୍ତମାନ ପୂର୍ବ-ଉତ୍ତର ଭାରତରେ ପ୍ରବଳ ବର୍ଷାରେ ସମସ୍ତ ନଦୀରେ ବନ୍ୟା ଜଳ ଆସି ଲୋକଙ୍କ ଧନଜୀବନ ଧୋଇନେଇଛି ଏହାସହ ଲକ୍ଷାଧିକ ଲୋକ ପାଣି ଘେରରେ ଫସିଯାଇଛନ୍ତି। ଯଦିଓ ଲୋକଙ୍କୁ ଉଦ୍ଧାର କରାଯାଇଛି କିନ୍ତୁ ବନ୍ୟା ଏବେ ଦେଶର ପୂର୍ବ-ଉତ୍ତର ଭୂଭାଗକୁ ଦୋହଲାଇ ଦେଇଛି । ଅନ୍ୟପଟେ ପଶ୍ଚିମ-ଦକ୍ଷିଣ ଭାରତରେ ପାଣି ବୁନ୍ଦାଏ ପାଇଁ ହାହାକାର ପଡିଛି । ନଦୀନାଳ, ଚୂଆ, କୁଅ, ପୁଷ୍କରିଣୀ, ସବୁ ଶୁଖିଯାଇଛି, ଫଳରେ ଧନୀ, ଗରୀବଓ ମଧ୍ୟବିତ୍ତ ପାଣି ଟିକିଏ ନପାଇ ତ୍ରାହିତ୍ରାହି ଡାକୁଛନ୍ତି । ପରିସ୍ଥିତି ଏତେ ସଂଗୀନ ହୋଇପଡିଛି ଯେ ତାମିଲନାଡୁକୁ ଟ୍ରେନ ଯୋଗେ ପାଣି ପଠାଇବାକୁ ପଡିଛି ।
ମୌସୁମୀ ଆସୁ ଆସୁ ଦେଶର ପୂର୍ବୋତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ବନ୍ୟାରେ ଭାସୁଛି ଏହାସହ ଦେଶର ବାଣିଜ୍ୟ ନଗରୀ ମୁମ୍ବାଇ ଗତ କିଛିଦିନ ହେଲା ଯେମିତି ଜଳବନ୍ଦୀ ହୋଇରହିଛି, କିନ୍ତୁ ସେହି ମହାରାଷ୍ଟ୍ରରେ ଅବସ୍ଥିତ ବିଦର୍ଭରେ ପାଣି ବିନା ଲୋକେ ଛଟପଟ ହେଉଛନ୍ତି ।
"ସାଇନ୍ସ ଆଡଭାନ୍ସର’ ଏକ ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଦକ୍ଷିଣ ଏସିଆର ସମସ୍ତ କୃଷିକ୍ଷେତ୍ର ଭୀଷଣ ମରୁଡିର ସାମାନା କରିବେ ଯାହାର ସିଧାସଳଖ ପ୍ରଭାବ ଭାରତ, ପାକିସ୍ତାନଓ ବାଙ୍ଗାଲାଦେଶ ଉପରେ ପଡିବ । ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଚଳିତ ବର୍ଷ ସୁଦ୍ଧା ସ୍ବାଭାବିକ ତାପମାତ୍ରା ଠାରୁ 3ରୁ 6 ଡିଗ୍ରୀ ତାପମାତ୍ରା ବୃ୍ଦ୍ଧି ପାଇଲାଣି । ତାପମାତ୍ରା ବଢିବା ଦ୍ବାରା ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଘଟୁଛି, 3ରୁ 6 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ଆମ ପାଇଁ ସାଧାରଣ ହୋଇପାରେ କିନ୍ତୁ ଏହା ଯେ ଆମ ଭବିଷ୍ୟତକୁ ଅନ୍ଧାର କରିଦେବ ଏଥିରେ ସନ୍ଦେହ ନାହିଁ ।
ଲେଁସେଟ ପତ୍ରିକାର ଏକ ରିପୋର୍ଟ ଅନୁସାରେ ତାପମାତ୍ରା ପରିବର୍ତ୍ତନ ଦ୍ବାରା ଏହା ସିଧାସଳଖ ପ୍ରଭାବ ଜଳବାୟୁ ଉପରେ ପଡୁଛି, ଏହାସହ ବର୍ତ୍ତମାନ ସୁଦ୍ଧା ଏସିଆ ମହାଦେଶରେ ତାପମାତ୍ରା 50 ଡିଗ୍ରୀରେ ଆସି ପହଞ୍ଚିଗଲାଣି । ନିକଟରେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଆସିଥିବା ସାମୁଦ୍ରିକ ଝଡ ବାତ୍ୟା ଫନି ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି ଏହି ପତ୍ରିକା ଦର୍ଶାଇଛି । ପାଣିପାଗ ବିଜ୍ଞାନୀଙ୍କ ଆକଳନ ଆନୁସାରେ ଚଳିତ ଶତାବ୍ଦୀର ଶେଷ ବେଳକୁ ତାମିଲନାଡୁର ପରିସ୍ଥିତି ଆହୁରି ଭୟଙ୍କର ହେବ, ତାପମାତ୍ରା 3ରୁ 4ଡିଗ୍ରୀ ବଢିବାକୁ ଥିବାବେଳେ ବର୍ଷା 4ପ୍ରତିଶତ କମିଯିବ ଫଳରେ ଏହି ରାଜ୍ୟର ସ୍ଥିତି କଣ ହେବ ତାହା ନିଶ୍ଚିତ ଭାବେ ଅନୁମେୟ ।