ପାଟନା: ଥାନାରେ ପହଞ୍ଚିଲା ବିହାରର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ ମାମଲା । ତେଜପ୍ରତାବ ଯାଦବଙ୍କ ପତ୍ନୀ ତଥା ଲାଲୁଙ୍କ ବୋହୁ ଐଶ୍ବର୍ଯ୍ୟା ରାୟ ରବିବାର ଶାଶୁ ରାବ୍ରି ଦେବୀ ଏବଂ ନଣନ୍ଦ ମୀସା ଭାରତୀଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଏପରିକି ଶାଶୁ ଘରେ ତାଙ୍କୁ ଖାଇବାକୁ ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି ।
ଐଶ୍ବର୍ଯ୍ୟା ମହିଳା ହେଲ୍ପନାଇନରେ ଅଭିଯୋଗ କରି କହିଛନ୍ତି, ତାଙ୍କ ଶାଶୁ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ବଡ ନଣନ୍ଦ ତଥା ରାଜ୍ୟସଭା ସାଂସଦ ମୀସା ଭାରତୀ ମିଶି ଧକ୍କା ମାରି ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ତାଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଉନଥିଲା । ଏପରିକି ରୋଷେଇ ଘରେ ପଶିବାକୁ ମଧ୍ୟ ବାରଣ କରାଯାଉଥିଲା ବୋଲି ସେ କହିଛନ୍ତି ।