ନୂଆଦିଲ୍ଲୀ:କର୍ମଚାରୀଙ୍କ କଟା ଘାରେ ଚୂନ ଦେଉଛି ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ । ଗୋଟିଏ ପଟେ କମ୍ପାନୀ କର୍ମଚାରୀଙ୍କୁ ବିନା ବେତନରେ ଛୁଟିରେ ପଠାଇବାକୁ କମିଟି ଗଠନ କରୁଛି । ଆଉ ଅନ୍ୟପଟେ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ଅର୍ଥ ଏବଂ ଚିକିତ୍ସା ସେବା ବିଭାଗରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ଦେଇଛି । ସାଧାରଣ ନୀତି ଅନୁଯାୟୀ ଯଦି କୌଣସି କମ୍ପାନୀ କର୍ମଚାରୀଙ୍କୁ ଚାକିରୀରୁ ବାହାର କରୁଛି ଏବଂ ସେମାନଙ୍କୁ ବିନା ବେତନରେ ଦୀର୍ଘ ଛୁଟିରେ ପଠାଉଛନ୍ତି ତାହେଲେ ସେ ନୂଆ ନିଯୁକ୍ତି ସୃଷ୍ଟି କରିପାରିବ ନାହିଁ । କିନ୍ତୁ ଏୟାର ଇଣ୍ଡିଆର ଏହି ବିଜ୍ଞପ୍ତି ଉକ୍ତ ନୀତିର ବିପରୀତ ରହିଛି ।
ବିଜ୍ଞାପନରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ନିର୍ଦ୍ଦିଷ୍ଟ ଅବଧି ଚୁକ୍ତିନାମା ଆଧାରରେ ଏହି ପଦବୀ ପାଇଁ ଭାରତୀୟ ନାଗରିକଙ୍କୁ ଆବେଦନ କରିବାକୁ ନିମନ୍ତ୍ରଣ କରିଛି। ଚିକିତ୍ସା ସେବା ବିଭାଗରେ ମୁଖ୍ୟ ଚିକିତ୍ସା ଅଧିକାରୀ, ବରିଷ୍ଠ ସହାୟକ ଏବଂ ଚିକିତ୍ସା ଆଦି ପଦ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ଅର୍ଥ ବିଭାଗରେ ନିଯୁକ୍ତି ପାଇଁ ଡେପୁଟି ଚିଫ୍ ଫାଇନାନ୍ସ, ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ଆଦି ଅନ୍ତର୍ଭୁକ୍ତ ରହିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କୁ ଏହି ବିଜ୍ଞାପନର 15 ଦିନ ମଧ୍ୟରେ ସେମାନଙ୍କର ଆବେଦନ ଦାଖଲ କରିବାକୁ କୁହାଯାଇଛି ।