ନୂଆଦିଲ୍ଲୀ: ଭାରତୀୟ ଲାବୋରେଟୋରୀ ଦ୍ବାରା ସ୍ବଦେଶୀ ଟିକା ତିଆରିରେ ମିଳିଥିବା ସଫଳତାକୁ ପ୍ରଶଂସା କରିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ସିଂ ଗୁଲେରିଆ । ଭାରତରେ ଟିକା ପ୍ରସ୍ତୁତ ହେବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ ବୋଲି ମଧ୍ୟ ସେ କହିଛନ୍ତି । ଅତୀତ ତୁଳନାରେ ଯେଉଁଠାରେ ପିପିଇ କିଟ କିମ୍ବା ଏନ-95ମାସ୍କ ପରି ବିଭିନ୍ନ ଉତ୍ପାଦ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଥିଲା ତାହା ଉତ୍ପାଦନରେ ଭାରତ ଏବେ ଆତ୍ମ ନିର୍ଭରଶୀଳ ହୋଇ ପାରିଛି । ସେହିପରି ଆଜିର ଏ ସଫଳତା ପାଇଁ ଆମକୁ ଟିକାକରଣ ଉପରେ ମଧ୍ୟ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହେବାକୁ ପଡିବ ନାହିଁ ବୋଲି ମତ ରଖିଛନ୍ତି ଡାକ୍ତର ଗୁଲେରିଆ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟିକା ବ୍ୟବହାର କେତେ ପ୍ରତିଶତ ନିରାପଦ ତାହା ବିଭିନ୍ନ ପର୍ଯ୍ୟାୟରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଭାରତର ସ୍ବଦେଶୀ ଟିକା ବ୍ୟବହାରିକ ଅନୁମୋଦନ ପାଇବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଙ୍କ ସହମତି ପାଇବା ପରେ ଦେଶ ବ୍ୟାପି ଖୁସିର ଲହରି ଖେଳିଯାଇଛି ।