ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ (FPO) ପରିସରରେ ଅମଳ ପରବର୍ତ୍ତୀ ଶସ୍ୟ ଭଣ୍ଡାର ଏବଂ ପ୍ରକ୍ରିୟାକରଣ ସଂସ୍ଥା ସ୍ଥାପନ ଉଦ୍ଦେଶ୍ୟରେ, 2020 ଅଗଷ୍ଟ 8 ତାରିଖ ଦିନ, ପ୍ରଧାନ ମନ୍ତ୍ରୀ 1 ଲକ୍ଷ କୋଟି ଟଙ୍କାର କୃଷକ ଭିତ୍ତିଭୂମି ପାଣ୍ଠି (AIF) ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ କୃଷି ଋଣ ସମିତି (PAC) ଜରିଆରେ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ଏବଂ ଅନ୍ୟାନ୍ୟ ଉଦ୍ୟୋଗୀଙ୍କୁ, ରିହାତି ସୁଧହାରରେ ଋଣ ପ୍ରଦାନ ନିମନ୍ତେ ମଧ୍ୟ ଏହି ପାଣ୍ଠିର ଉପଯୋଗ କରାଯିବ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସହଯୋଗରେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (NABARD) ଏହି ଅଭିଯାନକୁ ଆଗେଇ ନେବ ।
ଅମଳ ପରବର୍ତ୍ତୀ ସମୟରେ ଶସ୍ୟ ପରିଚାଳନା ନିମନ୍ତେ ନିର୍ଦ୍ଧାରିତ ସମୟ ସୀମା ବିଶିଷ୍ଟ ଋଣର ସୁଧ ଉପରେ 3 ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ ସହିତ କେନ୍ଦ୍ର ସରକାର ଏ ବାବଦ ବ୍ୟୟଭାର ବହନ କରିବେ । ଏହା ସହିତ ଯେଉଁ ଋଣଗ୍ରହୀତାମାନେ ଋଣ ପରିଶୋଧରେ ଖିଲାପ କରିବା ସମ୍ଭାବନା ରହିଛି ସେମାନଙ୍କ ପାଇଁ କେନ୍ଦ୍ର ସରକାର 2 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟ ପ୍ରଦାନ କରିବେ । ଅଣୁ ଏବଂ କ୍ଷୁଦ୍ର ଶିଳ୍ପୋଦ୍ୟୋଗ ପାଇଁ ରହିଥିବା ରଣ ଗ୍ୟାରେଣ୍ଟି ପାଣ୍ଠି ଟ୍ରଷ୍ଟ ଜରିଆରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଏହା ସଂପାଦିତ ହେବ । ଏହି ଗ୍ୟାରେଣ୍ଟି ପାଇଁ ଆବଶ୍ୟକ ଦେୟ ସରକାରପ୍ରଦାନ କରିବେ ।
କୃଷି ସାମଗ୍ରୀ ଯୋଗାଣ ଶୃଙ୍ଖଳରେ ଏକ ଦୁର୍ବଳ କ୍ଷେତ୍ର ରୂପେ ପରିଗଣିତ ଅମଳ ପରବର୍ତ୍ତୀ ଭିତ୍ତିଭୂମି ପାଇଁ ପୁଞ୍ଜିନିବେଶ ଆକର୍ଷିତ କରାଇବା ହିଁ କୃଷି ଭିତ୍ତିଭୂମି ପାଣ୍ଠିର ମୁଖ୍ୟ ଉଦ୍ଦେଶ୍ୟ । ଏହା ଫଳରେ, ପଣ୍ୟାଗାର, ଭୂତଳ ଭଣ୍ଡାର, ପ୍ୟାକିଂ କେନ୍ଦ୍ର, ଶସ୍ୟର ଶ୍ରେଣୀ ଓ ବର୍ଗୀକରଣ କେନ୍ଦ୍ର, ଶୀତଳ ଭଣ୍ଡାର ପ୍ରକଳ୍ପ, ଫଳ ପଚେଇବା କେନ୍ଦ୍ର, ଇ-ମାର୍କେଟିଂ ମଞ୍ଚ ପ୍ରଭୃତି ସୁଧ ଉପରେ 3 ପ୍ରତିଶତ ରିହାତି ପାଇବାକୁ ଯୋଗ୍ୟତା ହାସଲ କରିବେ । କୃଷିଜାତ ସାମଗ୍ରୀର ବଜାର ସ୍ଥାପନ ଦିଗରେ ଏହି ପାଣ୍ଠି ଏକ ବୃହତ୍ ପଦକ୍ଷେପ । ଏହା ପୂର୍ବରୁ, କିଛି ମାତ୍ରାରେ ଉଦାରୀକରଣ ନୀତିର ପ୍ରତିଫଳନ ସହିତ, କୃଷିଜାତ ସାମଗ୍ରୀ ବଜାରର ଆଇନଗତ ରୂପରେଖ ନିର୍ଦ୍ଧାରଣ ନିମନ୍ତେ କେନ୍ଦ୍ର ସରକାର ତିନିଟି ଅଧ୍ୟାଦେଶ ଜାରି କରିସାରିଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ କେତେକ ସଂଶୋଧନ ସଂପର୍କିତ ଏହି ଅଧ୍ୟାଦେଶ ବଳରେ କୃଷକମାନଙ୍କୁ କୃଷିଜାତ ସାମଗ୍ରୀ ବଜାର କମିଟି (APMC)ର ମଣ୍ଡି ବାହାରେ ବି ନିଜର ଉତ୍ପାଦିତ ସାମଗ୍ରୀ ବିକିବାକୁ ଅନୁମତି ପ୍ରଦାନ କରାଯାଇଛି ଏବଂ କୃଷକ, ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା, ରପ୍ତାନୀକାରୀ ଏବଂ ଖୁଚୁରା ବିକ୍ରେତାଙ୍କ ମଧ୍ୟରେ କୃଷି ସଂପର୍କିତ ଚୁକ୍ତି ସଂପାଦନକୁ ପ୍ରୋତ୍ସାହିତ କରାଯାଇଛି । ସଠିକ ଭାବରେ କୃଷିଜାତ ସାମଗ୍ରୀର ବଜାର ସ୍ଥାପନ ନିମନ୍ତେ ଆଇନଗତ ରୂପରେଖରେ ପରିବର୍ତ୍ତନ ଏକ ଆବଶ୍ୟକ ସର୍ତ୍ତ ହୋଇଥିଲେ ହେଁ ଏହା ପର୍ଯ୍ୟାପ୍ତ ନୁହେଁ । ଆଇନଗତ ରୂପରେଖର ପରିବର୍ତ୍ତନ ସହିତ ଅମଳ ପରବର୍ତ୍ତୀ ଶସ୍ୟ ସଂରକ୍ଷଣ ନିମନ୍ତେ ବାସ୍ତବ ଭିତ୍ତିଭୂମି ସ୍ଥାପନ ମଧ୍ୟ ସମାନ ଭାବରେ ଗୁରୁତ୍ବପୂର୍ଣ୍ଣ ।
ଏ କ୍ଷେତ୍ରରେ ଶୂନ୍ୟସ୍ଥାନ ପୂରଣ ନିମନ୍ତେ କୃଷି ଭିତ୍ତିଭୂମି ପାଣ୍ଠି ସହାୟତା କରିବ । କେନ୍ଦ୍ର ଦ୍ବାରା ଆରମ୍ଭକରାଯାଇଥିବା ସଂସ୍କାରଧର୍ମୀ ପଦକ୍ଷେପକୁ କାର୍ଯ୍ୟକାରୀ କରାଇବା ଦିଗରେ ରାଜ୍ୟ ସରକାର, କୃଷକ ଉତ୍ପାଦକ ସଂଗଠନ ଏବଂ ବ୍ୟକ୍ତିଗତ ଉଦ୍ୟୋଗୀମାନେ କେତେ ଶୀଘ୍ର ଏବଂ କେତେ ଆନ୍ତରିକତାର ସହିତ ଉଦ୍ୟମ କରୁଛନ୍ତି, ତାହାରି ଉପରେ ହିଁ ଏହି ଅଭିଯାନର ସକାରାତ୍ମକ ପ୍ରଭାବ ନିର୍ଭର କରିବ ।ଯେହେତୁ ‘ନାବାର୍ଡ’ ବି ଆଉ ଅଧିକ 10,000 କୃଷକ ଉତ୍ପାଦକ ସଂଗଠନ ଗଢ଼ିବାର ଦାୟିତ୍ବ ବହନ କରିଛି, ତେଣୁ ସେହି ସଂଗଠନ ସମୂହକୁ ଉତ୍ପାଦିତ ସାମଗ୍ରୀର ଅଧିକ ଦର ପ୍ରଦାନ ଦିଗରେ ସହାୟତା କରିବାକୁ ଏହା ଏକ ପ୍ୟାକେଜ୍ ପ୍ରସ୍ତୁତ କରିବା ଉଚିତ ।
ଏଠାରେ ଏହି ପ୍ରହେଳିକାର କେତେକ ଉପାଦାନ ପ୍ରଦାନ କରାଗଲା । ଏଥିରେ ସନ୍ଦେହ ନାହିଁ ଯେ, ସାଧାରଣତଃ ଅମଳର ଅବ୍ୟବହିତ ପରବର୍ତ୍ତୀ ସମୟରେ ଦର ଖୁବ୍ କମ ରହିଥିବା ବେଳେ ଏହା ଚାଷୀଙ୍କୁ ଶସ୍ୟ ମହଜୁଦ କରି ରଖିବାର ସୁଯୋଗ ଦେବ ଏବଂ ଏହା ଫଳରେ ସେମାନେ ଅଭାବୀ ବିକ୍ରିକୁ ଏଡ଼ାଇ ଯାଇପାରିବେ । ହେଲେ, ପରିବାର ଚଳାଇବା ପାଇଁ ତୁରନ୍ତ ଅର୍ଥ ଆବଶ୍ୟକ କରୁଥିବା କ୍ଷୁଦ୍ର ଚାଷୀମାନେ ଅଧିକ ଦିନ ଧରି ସେମାନଙ୍କ ଶସ୍ୟକୁ ଗଚ୍ଛିତ ରଖିପାରିବେ ନାହିଁ । (ଭାରତରେ 12 କୋଟି 60 ଲକ୍ଷନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ମିଶି 7 କୋଟି 40 ଲକ୍ଷ ହେକ୍ଟର ଜମିରେ କାମ କରନ୍ତି ଏବଂ ସେମାନଙ୍କ ପାଖରେ ହାରାହାରି 0.58 ହେକ୍ଟର ଜମିର ମାଲିକାନା ରହିଛି ।) ଜମି ମାଲିକାନା ଦୃଷ୍ଟିରୁ ସେମାନଙ୍କ ସ୍ଥିତି ନଗଣ୍ୟ ହୋଇଥିବାରୁ, ଅର୍ଥଲଗାଣ ଏବଂ ବଜାର ହାସଲ କରିବା କ୍ଷେତ୍ରରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି ।
ବୁଝାମଣା ଭିତ୍ତିରେ ପଣ୍ୟାଗାର ଉପଲବ୍ଧ ହୋଇପାରିଲେ କୃଷକ ଉତ୍ପାଦକ ସଂଗଠନ ସ୍ତରରେ ଶସ୍ୟ ଭଣ୍ଡାର ସୁବିଧା ବୃଦ୍ଧି ହୋଇପାରିବ: କୃଷକ ଉତ୍ପାଦକ ସଂଗଠନ ପକ୍ଷରୁ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟ ବାବଦରେ ପ୍ରଚଳିତ ବଜାର ମୂଲ୍ୟର ପ୍ରାୟ 75-80 ପ୍ରତିଶତ ଅଗ୍ରୀମ ଆକାରରେ ଦିଆଯାଇପାରିବ । କିନ୍ତୁ ସେମାନଙ୍କ ଉତ୍ପାଦିତ ଶସ୍ୟ ରଖି ସେ ବାବଦରେ କୃଷକମାନଙ୍କୁ ଅଗ୍ରୀମ ଅର୍ଥ ଦେବା ପାଇଁ କୃଷକ ଉତ୍ପାଦନ ସଂଗଠନ ପାଖରେ ବହୁ ପରିମାଣର କାମଚଳା ପୁଞ୍ଜି ରହିବାର ଆବଶ୍ୟକତା ଦେଖାଦେବ । କୃଷକମାନଙ୍କୁ ଫସଲ ଋଣ ପ୍ରଦାନ ଅନୁରୂପ, 4ରୁ 7 ପ୍ରତିଶତ ସୁଧହାରରେ ନାବାର୍ଡ ପକ୍ଷରୁ କୃଷକ ଉତ୍ପାଦକ ସଂଗଠନକୁ କାମଚଳା ପୁଞ୍ଜି ଯୋଗାଇ ଦିଆ ନଗଲେ, କେବଳ ଶସ୍ୟ ଭଣ୍ଡାର ଗଠନ କୃଷକମାନଙ୍କ ପାଇଁ ସହାୟକ
ସାବ୍ୟସ୍ତ ହେବନାହିଁ । ସଂପ୍ରତି, ଅଧିକାଂଶ କୃଷକ ଉତ୍ପାଦକ ସଂଗଠନ କାମଚଳା ପୁଞ୍ଜି ନିମନ୍ତେ ସେମାନଙ୍କର ଅଧିକାଂଶ ଭାଗ ଋଣ ଆବଶ୍ୟକତା ମାଇକ୍ରୋ ଫାଇନାନ୍ସ ସଂସ୍ଥା ପାଖରୁ ପୂରଣ କରୁଛନ୍ତି ଏବଂ ଏଥିରେ ସୁଧହାର ବାର୍ଷିକ 18ରୁ 22 ପ୍ରତିଶତ ଯାଏ ରହିଛି । ଅମଳ ସମୟ ତୁଳନାରେ ଅନ୍ୟ ସମୟରେ ଉତ୍ପାଦିତ ଶସ୍ୟର ମୂଲ୍ୟ ବହୁ ଅଧିକ ନହେଲେ, ଏହି ସୁଧହାରରେ ଶସ୍ୟ ଗଚ୍ଛିତ କରି ରଖିବା ଆର୍ଥିକ ଦୃଷ୍ଟିରୁ ସମ୍ଭବ ନୁହେଁ । ( ଦୁଗ୍ଧଜାତ ସାମଗ୍ରୀ, ପନିପରିବା, ଶସ୍ୟ ଓ ଡାଲିଜାତୀୟ ସାମଗ୍ରୀ ଓ ଆଚାର, ଫଳରସ, ସସ୍ ଇତ୍ୟାଦି ସମେତ ବିଭିନ୍ନ ତେଜରାତି ସାମଗ୍ରୀକୁ କ୍ରେତାଙ୍କ ଘରେ ପହଞ୍ଚାଇବା ଲାଗି ନାଗପୁରର ଏକ କୃଷକ ଉତ୍ପାଦକ ସଂଗଠନ ପକ୍ଷରୁ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରାଳୟ ସହାୟତାରେ, ‘ସିଧାସଳଖ କ୍ଷେତରୁ ଟେବୁଲକୁ’ ଯୋଜନାରେ ବେଦକୃଷି ଡଟ୍ କମ୍ନାମକ ଅନ୍ଲାଇନ୍ ସେବା ଅଗଷ୍ଟ 17 ତାରିଖ ଦିନ ଆରମ୍ଭ କରାଯାଇଛି ।
ଏହି ମଞ୍ଚ ଜରିଆରେ କୃଷକ ଉତ୍ପାଦକ ସଂଗଠନସିଧାସଳଖ କୃଷକମାନଙ୍କୁ ଗ୍ରାହକମାନଙ୍କ ସହିତ ସଂଯୋଗ କରିବ । ପଞ୍ଜୀକୃତ ଗ୍ରାହକମାନେ ଅଗ୍ରୀମ ଗୋଟିଏ ବର୍ଷ ପାଇଁ ସେମାନଙ୍କ ଅର୍ଡର ମୁତାବକ ସାମଗ୍ରୀ ପାଇବା ପାଇଁ ସମୟ ସ୍ଥିର କରିପାରିବେ । ଉପଲବ୍ଧ ସର୍ବୋତ୍ତମ ଜୈବିକ କୃଷି ପଦ୍ଧତି ସଂପର୍କରେ ପରାମର୍ଶ ଦେଇ ସେମାନେ ଅନ୍ୟ ଚାଷୀମାନଙ୍କୁ ବି ସାହାଯ୍ୟ କରିପାରିବେ । ଅଧିକନ୍ତୁ, ଗ୍ରାହକମାନେ ମଧ୍ୟ ପୋର୍ଟାଲରେ ପ୍ରଦର୍ଶିତ ସାମଗ୍ରୀ ପାଖରେ କେଉଁ କୃଷକମାନଙ୍କଠାରୁ ସାମଗ୍ରୀ କିଣୁଛନ୍ତି ଏବଂ ଉତ୍ପାଦିତ ସାମଗ୍ରୀ ସଂପର୍କିତ ବିସ୍ତୃତ ବିବରଣୀ ପାଇପାରିବେ । କୃଷକ ଉତ୍ପାଦକ ସଂଗଠନ ପକ୍ଷରୁ ମଧ୍ୟ କମ୍ପୋଷ୍ଟ ଖତ, ଜୈବିକ ସାର, କୀଟ ନିୟନ୍ତ୍ରଣ ପଦ୍ଧତି ଇତ୍ୟାଦି ସଂପର୍କିତ ବିବରଣୀ ପ୍ରଦାନ କରାଯିବ । ସୁଲଭ ଉପାୟରେ କୃଷିଜାତ ସାମଗ୍ରୀର ଅପଚୟ ରୋକିବା ପାଇଁ ସେଗୁଡ଼ିକୁ ଶୁଷ୍କ କରିବା ଏବଂ ପ୍ରକ୍ରିୟାକରଣ ପାଇଁ ଏହି ସଂଗଠନ ସୌରଚାଳିତ ଡ୍ରାୟର ବା ଶୁଖାଇବା ଯନ୍ତ୍ର ମଧ୍ୟ ପ୍ରଦାନ କରିବ ।
ଖର୍ଚ୍ଚ ହ୍ରାସ, ଉତ୍ପାଦିତ ସାମଗ୍ରୀର ଗୁଣବତ୍ତା ବୃଦ୍ଧି ପାଇଁ ପରିବେଶ ଏବଂ କୃଷି ପ୍ରଣାଳୀ ସଂପର୍କିତ ଉତ୍ତମ ଜ୍ଞାନକୌଶଳ ଜରିଆରେ କୃଷକମାନଙ୍କ କଲ୍ୟାଣ ସାଧନ ନିମନ୍ତେ ବିଜ୍ଞାନ ଓ ଅର୍ଥନୀତିକୁ ଏକତ୍ର କରିବାର ଏକ ଉଦାହରଣ ହେଉଛି କୃଷକ ଉତ୍ପାଦକ ସଂଗଠନ ।) ବୁଝାମଣା ଭିତ୍ତିରେ ପଣ୍ୟାଗାର ପ୍ରାପ୍ତି ପଦ୍ଧତିର ଉପଯୋଗ ଏବଂ କୃଷକମାନଙ୍କ ପାଇଁ ବଜାରରେ ନିହିତ ବିପଦ ଆଶଙ୍କାକୁ ପ୍ରତିହତ କରି କୃଷିଜାତ ସାମଗ୍ରୀର ଭବିଷ୍ୟତ ବିକ୍ରି ପରିସର ବୃଦ୍ଧି ଦିଗରେ କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ପ୍ରଶିକ୍ଷିତ କରାଇବା ପାଇଁ ନାବାର୍ଡ ଏକ ବାଧ୍ୟତାମୂଳକ କାର୍ଯ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ କରିବା ଉଚିତ । ଦ୍ବିତୀୟରେ, ଭାରତୀୟ ଖାଦ୍ୟ ନିଗମ (FCI), ଭାରତର ଜାତୀୟ କୃଷି ସମବାୟ ବିପଣନ ମହାସଂଘ (NAFED), ରାଜ୍ୟ ବାଣିଜ୍ୟ ନିଗମ (STC) ଭଳି ସାମଗ୍ରୀ ବଜାର ସହ ସଂଶ୍ଲିଷ୍ଟ ସରକାରୀ ସଂସ୍ଥା ମଧ୍ୟ କୃଷିଜାତ ସାମଗ୍ରୀର ଭବିଷ୍ୟତ ବଜାରରେ
ସେମାନଙ୍କ ଅଂଶଗ୍ରହଣର ମାତ୍ରା ବୃଦ୍ଧି କରିବା ଉଚିତ । ଏହିପରି ଭାବରେ ହିଁ ଚୀନ୍ ତା’ର ଭବିଷ୍ୟତ କୃଷି ବଜାରକୁ ବଢ଼ାଇ ପାରିଛି । ତୃତୀୟରେ, କୃଷିଜାତ ସାମଗ୍ରୀର ସାମୂହିକ ବିକାଶ ନିମନ୍ତେ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ଏବଂ ବାଣିଜ୍ୟିକ ସଂସ୍ଥାକୁ ଋଣ ଦେଉଥିବା ବ୍ୟାଙ୍କ ମଧ୍ୟ ଏକ ପ୍ରକାର ‘ପୁନଃ ବୀମା ପ୍ରଦାନକାରୀ’ ଭାବରେ କୃଷିଜାତ ସାମଗ୍ରୀର ଭବିଷ୍ୟତ ବଜାରରେ ଅଂଶଗ୍ରହଣ କରିବା ଉଚିତ । ଶେଷରେ, ସରକାରଙ୍କ ନୀତି ମଧ୍ୟ ଅଧିକ ସ୍ଥିର ଏବଂ ବଜାର ଉପଯୋଗୀ ହେବା ଆବଶ୍ୟକ । ଅତୀତରେ, ଏହା ଖୁବ୍ କଟକଣାଯୁକ୍ତ ଏବଂ ଅନିଶ୍ଚିତ ହୋଇଥିବା ଦେଖାଯାଇଛି । ଅନେକ ସମୟରେ କୃଷିଜାତ ସାମଗ୍ରୀର ଦରବୃଦ୍ଧି ଫଳରେ ଭବିଷ୍ୟତର କୃଷି ବଜାର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଅଧିକାଂଶ ଭାରତୀୟ ନୀତିପ୍ରଣେତା, ଭବିଷ୍ୟତର କୃଷି ବଜାରକୁ ପୂର୍ବାନୁମାନ ସାପେକ୍ଷ ବୋଲି ଧରି ନିଅନ୍ତି । କୌଣସି ପ୍ରକାର ଅପ୍ରାକୃତିକ ଦରବୃଦ୍ଧି ବା ଦରହ୍ରାସ ପାଇଁ ଏହି ବଜାରକୁ ଦାୟୀ କରାଯାଏ । ଦୁଃଖର କଥା ଯେ, ଆମର ନୀତି ପ୍ରଣେତାମାନେ ଏହାକୁ ଦରଦାମ ନିରୂପଣର ଗୁରୁତ୍ବପୂର୍ଣ୍ଣ ସାଧନ ବୋଲ ହୃଦୟଙ୍ଗମ କରନ୍ତି ନାହିଁ ।
ତାହା ସହିତ ଦରଦାମ କ୍ଷେତ୍ରରେ ସେମାନଙ୍କ ନୀତି ଅନ୍ଧାରରେ ତୀର ଚଳାଇଲା ଭଳି ଏବଂ ଅନେକ ଥର ସେମାନଙ୍କ ତୀର ନିଜ ପାଦରେ ହିଁ ବାଜିଥାଏ । ମୂଳକଥା ହେଉଛି ଯେ, ଭାରତ କେବଳ ସ୍ଥାନ ଦୃଷ୍ଟିରୁ କୃଷି-ବଜାରଗୁଡ଼ିକୁ ସମନ୍ବିତ କରିବା (ଗୋଟିଏ ଦେଶ, ଗୋଟିଏ ବଜାର) ଆବଶ୍ୟକ ନୁହେଁ, ବରଂ ସେଗୁଡ଼ିକୁ ଲୌକିକ ଦୃଷ୍ଟିରୁ ମଧ୍ୟ ସମନ୍ବିତ କରିବା ସହିତ ବର୍ତ୍ତମାନ ଏବଂ ଭବିଷ୍ୟତର ବଜାରକୁ ଏକତ୍ର କରିବା ଆବଶ୍ୟକ । ତା’ହେଲେ ହିଁ ଭାରତୀୟ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଭଲ ଦର ପାଇପାରିବେ ଏବଂ ବଜାର ସହ ସଂଲଗ୍ନ ବିପଦ ଆଶଙ୍କାକୁ ଏଡ଼ାଇ ଯାଇପାରିବେ । ଏବେ ଏହା ବୁଝି ହେଲାଣି ଯେ, କୃଷକମାନଙ୍କର ଗୋଷ୍ଠୀ ଗଠନ କରି ଏବଂ ଏହି ଗୋଷ୍ଠୀଗୁଡ଼ିକୁ ଏକ ସମନ୍ବିତ ମୂଲ୍ୟ ଶୃଙ୍ଖଳକୁ କାର୍ଯ୍ୟକ୍ଷମ କରୁଥିବା ଶୃଙ୍ଖଳ ସହିତ ସଂଲଗ୍ନ କରାଇ ଏବଂ କୃଷିଜାତ ସାମଗ୍ରୀକୁ ଏକାଠି କରିବା ଦ୍ବାରା କୃଷି ଉତ୍ପାଦ ଏବଂ ଆର୍ଥିକ ବଜାର କ୍ଷେତ୍ରରେ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରାଯାଇପାରିବ ।
ଆଜି ଯାଏ ବିଭିନ୍ନ ସଂସ୍ଥା ପକ୍ଷରୁ ଦେଶର 7,000 କୃଷକ ଉତ୍ପାଦକ ସଂଗଠନର ଉନ୍ନତିସାଧନ କରାଯାଇଛି । କୃଷି ଓ ତତ୍ସଂଲଗ୍ନ କ୍ଷେତ୍ରରେ ସମଷ୍ଟିଗତ ବ୍ୟବସ୍ଥାର ସ୍ଥାୟିତ୍ବ ନିର୍ଦ୍ଧାରଣ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ନୀତିରେ 10,000 କୃଷକ ଉତ୍ପାଦକ ସଂଗଠନର ପରିଚାଳନା ନିମନ୍ତେ ନିର୍ଦ୍ଦେଶାବଳୀ ଜାରି ହୋଇସାରିଛି ଏବଂ ଏହି ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଏବଂ ଅଧିକ ସଂଖ୍ୟକ ସ୍ଥାୟୀ ଗୋଷ୍ଠୀ ଗଠନ ସମୟରେ ମଧ୍ୟ କେତେକ ବିଧିବ୍ୟବସ୍ଥା ଅନୁସରଣ କରିବା ଆବଶ୍ୟକ । ଏହି ଯୋଜନାର ସବୁଠାରୁ ଭଲ ଦିଗ ହେଲା ଯେ, କ୍ଷୁଦ୍ର ଚାଷୀ କୃଷି- ବ୍ୟବସାୟ ସଂଗଠନ (SFAC) ଦ୍ବାରା ପୂର୍ବରୁ ସ୍ଥିରୀକୃତ ସମାନୁପାତିକ ଋଣ ମଞ୍ଜୁର ପାଣ୍ଠିର ଅଭିବୃଦ୍ଧି ବ୍ୟତୀତ, ନାବାର୍ଡ ଏବଂ ଜାତୀୟ ସମବାୟ ଉନ୍ନୟନ ନିଗମ (NCDC) ଦ୍ବାରା ଋଣ ଗ୍ୟାରେଣ୍ଟି ପାଣ୍ଠି ଗଠନ । ଏହି ଯୋଜନା ବଳରେ କୃଷକ ଉତ୍ପାଦକ ସଂଗଠନ ପକ୍ଷରୁ ବଜାର ଏବଂ କୃଷି ସମ୍ବନ୍ଧୀୟ ଭିତ୍ତିଭୂମିର ବିକାଶ ନିମନ୍ତେ କୃଷି-ବଜାର ଭିତ୍ତିଭୂମି ପାଣ୍ଠି (AMIF)ରୁ ବିଭିନ୍ନରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୃଷକ ଉତ୍ପାଦକ ସଂଗଠନ ଗଢ଼ିବା ପାଇଁ ସହାୟତା ଉପଲବ୍ଧ ହେବ । କୃଷକମାନଙ୍କ ଶୋଷଣ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ । ଆମ ଦେଶରେ ଚାଷୀମାନଙ୍କୁ ଆର୍ଥିକ ଦରଦାମ ସଂପର୍କରେ ସଠିକ ସୂଚନା ପ୍ରଦାନ କରାଯିବା ନିହାତି ଆବଶ୍ୟକ । ଏଠାରେ କୃଷି ସଂପର୍କିତ 3ଟି ଅତ୍ୟାଧୁନିକ ଜ୍ଞାନକୌଶଳ ସଂପର୍କରେ ଆଲୋଚନା କରିବା ଦରକାର:
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) : ଭଲ ଫସଲ ଅମଳ ପାଇଁ ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ମଧ୍ୟ ପ୍ରଦେଶର ଚାଷୀମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଯାନ୍ତ୍ରିକ ବୁଦ୍ଧିମତ୍ତାର ଉପଯୋଗ କରିବା ଆରମ୍ଭ କଲେଣି । ମୃତ୍ତିକାର ଅବସ୍ଥା ତଦାରଖ କରିବା ସହିତ ଅମଳ କରିବା ଭଳି ଅନ୍ୟାନ୍ୟ କୃଷିକାର୍ଯ୍ୟ କ୍ଷେତ୍ରରେ ନିୟୋଜିତ ହେବାକୁ କୃଷି ରୋବୋଟ ତିଆରି ହେଲାଣି । ଯାନ୍ତ୍ରିକ ଶିକ୍ଷା ପଦ୍ଧତି ଦ୍ବାରା ପାଣିପାଗ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ପରିବେଶ ସଂପର୍କିତ ପୂର୍ବାନୁମାନ ନିରୂପଣ କରାଯାଇପାରୁଛି । ଅଟୋପାଇଲଟ୍ ଟ୍ରାକ୍ଟର: ଯେମିତି କି ଏହାର ନାଁରୁ ଜଣାଯାଏ, ଏହା ଏକ ସ୍ବୟଂକ୍ରିୟ କୃଷି ବାହନ ଏବଂ ଏହା ଧୀର ଗତିରେ ଚାଲିବା ସହିତ ଅଧିକ ଦକ୍ଷତାର ସହିତ ବିଭିନ୍ନ କୃଷି ସଂପର୍କିତ କାର୍ଯ୍ୟ ସଂପାଦନ କରିଥାଏ । ଜିପିଏସ୍ ଜ୍ଞାନକୌଶଳ ଭିତ୍ତିରେ ସଂଚାଳିତ ଏହି ଟ୍ରାକ୍ଟରଗୁଡ଼ିକ ସ୍ବୟଂକ୍ରିୟ ଭାବରେ ସେମାନଙ୍କ ସ୍ଥାନ ନିରୂପଣ କରିବା ସହିତ ଗତି ନିୟନ୍ତ୍ରଣ କରନ୍ତି ଏବଂ ବାଧାବିଘ୍ନକୁ ଏଡ଼ାଇ ଯାଇ ହଳ କରିବା ଭଳି ବିଭିନ୍ନ କୃଷିକାର୍ଯ୍ୟ ସଂପାଦନ କରନ୍ତି ।
କୃଷକ ଉତ୍ପାଦକ ସଂଗଠନ ଉନ୍ନତ ଜ୍ଞାନକୌଶଳର ଉପଯୋଗ କରିବା ଉଚିତ । (କ୍ଷୁଦ୍ର ଚାଷୀଙ୍କ ଡାଏରୀ ନିମନ୍ତେ ଡିଜିଟାଲ ଜ୍ଞାନକୌଶଳ-ଅମୂଲର ସଫଳତା) ଅମୂଲ ଡାଏରୀ (ଦେଶର ବୃହତ୍ତମ କୃଷକ ଉତ୍ପାଦକ ସଂଗଠନ) ପକ୍ଷରୁ ଗୋରୁଗାଈଙ୍କ କୃତ୍ରିମ ଗର୍ଭସଂଚାର ପ୍ରକ୍ରିୟାର ଡିଜିଟାଇଜେସନ୍ କାର୍ଯ୍ୟକାରୀ କରାଯାଇଛି । ପ୍ରାରମ୍ଭିକ ସ୍ତରରେ କାଇରା ଜିଲ୍ଲା ଦୁଗ୍ଧ ଉତ୍ପାଦକ ସମବାୟ ସଂଘ (ଅମୂଲ ଡାଏରୀ)ରେ ସଫଳତାର ସହ କାର୍ଯ୍ୟକାରୀ ହେବା ପରେ ଏହି ଅଞ୍ଚଳରେ ଅମୂଲ ଡାଏରୀର ସମସ୍ତ 1200 ଗ୍ରାମ୍ୟସ୍ତରୀୟ ଦୁଗ୍ଧ ଉତ୍ପାଦକ ସମିତିକୁ ଡିଜିଟାଲାଇଜେସନ୍ ପ୍ରକ୍ରିୟା ପରିସରଭୁକ୍ତ କରାଯାଇଛି । ଏହି ଜ୍ଞାନକୌଶଳ ବଳରେ ଗୃହପାଳିତ ପଶୁର ମାଲିକ ଏବଂ ସମବାୟ ସଂସ୍ଥାକୁ ମୋବାଇଲ ଫୋନ ଜରିଆରେ ସଠିକ ସମୟରେ କୃତ୍ରିମ ଗର୍ଭସଂଚାର ସଂପର୍କିତ ସୁଚନା ମିଳିଥାଏ । ନିଜ ଗୃହପାଳିତ ପଶୁର ଏହି କୃତ୍ରିମ ଗର୍ଭସଂଚାର ପାଇଁ ସଂଘର ସଦସ୍ୟ ଦୁଗ୍ଧ ଉତ୍ପାଦକଙ୍କୁ ଅମୂଲ କଲ୍ ସେଣ୍ଟରରେ ପଞ୍ଜୀକରଣ କରାଇବା ଆବଶ୍ୟକ ହୋଇଥାଏ । ଦୁଗ୍ଧ ଉତ୍ପାଦନ ସମିତି ପକ୍ଷରୁ ନିଯୁକ୍ତିପ୍ରାପ୍ତ କୃତ୍ରିମ ଗର୍ଭଧାରଣ ସଂପର୍କିତ ଜଣେ ବିଶେଷଜ୍ଞ ଏବଂ ସଂପୃକ୍ତଦୁଗ୍ଧ ଉତ୍ପାଦକ ପ୍ରଥମେ ଏହି ମେସେଜ୍ ପାଇଥାଆନ୍ତି ଏବଂ ସେହିଠାରୁ ହିଁ କାର୍ଯ୍ୟଧାରାର ଶୃଙ୍ଖଳ କ୍ରିୟାଶୀଳ ହୋଇଥାଏ ।
ସଂପୃକ୍ତ ଟେକ୍ନିସିଆନ୍ ଗୃହପାଳିତ ପଶୁ ପାଖକୁ ଯାଆନ୍ତି ଏବଂ କୃତ୍ରିମ ଗର୍ଭସଂଚାର ପ୍ରକ୍ରିୟା ଶେଷ ହେବା ପରେ ଏ ସଂପର୍କିତ ସଦ୍ୟତମ ସୂଚନା ମୋବାଇଲରେ ରଖାଯାଏ ଏବଂ ଏହି ମେସେଜ୍ ଅମୂଲ କଲ୍ ସେଣ୍ଟର ଏବଂ ଦୁଗ୍ଧ ଉତ୍ପାଦକଙ୍କ ପାଖରେ ପହଞ୍ଚେ । ଡିଜିଟାଲ ପଦ୍ଧତିରେ ଗୃହପାଳିତ ପଶୁଟିର ଗର୍ଭଧାରଣ ସଂପର୍କିତ ତଥ୍ୟ ନିରୂପଣ କରାଯାଏ ଏବଂ ନଅ ମାସ ପରେ ବାଛୁରୀ ସଂପର୍କିତ ସୂଚନା, ଅର୍ଥାତ୍ ବାଛୁରୀର ଲିଙ୍ଗ ଏବଂ ଜନ୍ମ ତାରିଖ ମୋବାଇଲ ଆପ୍ଲିକେସନ୍ରେ ପଞ୍ଜୀକୃତ ହୁଏ । ଏହି ପଦ୍ଧତିର ଉପଯୋଗ ଯୋଗୁଁ ଅମୂଲ କଲ୍ ସେଣ୍ଟରର ସଫ୍ଟୱେୟାର ସିଷ୍ଟମରେ ସବୁ ତଥ୍ୟ ରହୁଥିବାରୁ ଦୁଗ୍ଧ ଉତ୍ପାଦକଙ୍କ ପାଇଁ ଏ ସଂପର୍କିତ ତଥ୍ୟ ରଖିବା ଆବଶ୍ୟକ ହୁଏନାହିଁ । କୃତ୍ରିମ ଗର୍ଭସଂଚାର ସଂପର୍କିତ ତଥ୍ୟର ଡିଜିଟାଇଜେସନ ଯୋଗୁଁ ଦୁଗ୍ଧ ଉତ୍ପାଦକଙ୍କୁ ତୁରନ୍ତ ସେବା ଉପଲବ୍ଧ ହୁଏ ଏବଂ ମୋବାଇଲର ସଫ୍ଟୱେୟାର ସିଷ୍ଟମ୍ରେ କ୍ଷୀର ଦେଉଥିବା ଗୃହପାଳିତ ପଶୁଙ୍କ ସଂପର୍କିତ ତଥ୍ୟ ରଖାଉଥିବାରୁ ଏହାର ବିଶ୍ଲେଷଣ କରାଯାଇପାରେ ।
ପରିତାଲା ପୁରୁଷୋତ୍ତମ