ମାନବିକତା ଏବେ “SARS-Cov-2” ନାମକ ପ୍ରାଣନାଶକ ଭୂତାଣୁ ବଳୟରେ ବନ୍ଦୀ । ବିଶ୍ବର ପ୍ରାୟ ସବୁ ଭାଷାରେ, ଏହି ଭୂତାଣୁ ତୁଳନାରେ ଏହା ଦ୍ବାରା ଜାତ ରୋଗ କୋଭିଡ୍-19 (COVID-19) ଅଧିକ କୁଖ୍ୟାତି ହାସଲ କରିବାରେ ଲାଗିଛି । ଅର୍ଥନୀତି ରସାତଳଗାମୀ ହେଉଥିବା ସମୟରେ ରାସ୍ତାଘାଟରେ ଏବଂ ଗଣମାଧ୍ୟମ ଜରିଆରେ ମାନସିକ ବିକୃତି କାୟାବିସ୍ତାର କରୁଛି। ବର୍ତ୍ତମାନର ଏହି କୋରୋନା ଭାଇରସ୍ ଆଶଙ୍କା ସମୟରେ ଛିଙ୍କିବା ଏବଂ କାଶିବା ଏକ ନିନ୍ଦନୀୟ କାର୍ଯ୍ୟରେ ପରିଣତ ହୋଇଛି । ସାରା ବିଶ୍ବରେ ଦେଖାଦେଇଥିବା ଏହି ସର୍ବବ୍ୟାପୀ ମହାମାରୀକୁ ନିୟନ୍ତ୍ରଣାଧୀନ କରିବା ସକାଶେ ଅନ୍ୟ ସବୁ ସରକାର ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି, ଭାରତ ସରକାର ମଧ୍ୟ କଠିନ ପ୍ରୟାସ ଚଳାଇଛନ୍ତି । ହେଲେ ଆମକୁ ବିପଦ ଆଶଙ୍କା ଘେରି ରହିଛି । ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦେଶ ଚୀନ୍ ଏହାର ଶିକାର ହୋଇସାରିଛି, ଇରାନ୍କୁ ଏହା ଛାରଖାର କରିବାରେ ଲାଗିଛି, ଏବଂ ହୁଏତ ଦିନ କେଇଟା ଭିତରେ, ଏହା ସାର୍କ ଦେଶ ସମୂହ ଏବଂ ଭାରତରେ ପୂର୍ଣ୍ଣ ମାତ୍ରାରେ ଧ୍ବଂସଲୀଳା ଭିଆଇବ ।
ଦୁର୍ଦ୍ଦିନ ଉପନୀତ ହେବା ପୂର୍ବରୁ ହିଁ ମାସ୍କ, ସାବୁନ, ବିଶୋଧକ ଏବଂ ଏମିତି କେତେ କ’ଣ ନୂଆ ନୂଆ ସାମଗ୍ରୀର କଳାବଜାର ଆରମ୍ଭ ହୋଇଗଲାଣି । ସ୍ପଷ୍ଟତଃ, ଏହି ଭୂତାଣୁ ଜନିତ ହଇଚଇ ଆଡ଼କୁ ସାରା ବିଶ୍ବ ଆକର୍ଷିତ ହେଉଥିବା ବେଳେ ଲୋକେ ଘରେ ଜିନିଷପତ୍ର ମହଜୁଦ କରିବାରେ ଲାଗିଛନ୍ତି । ଏବେ ଭାରତକୁ ଏବଂ ସାରା ବିଶ୍ବକୁ ଗ୍ରାସ କରିଛି କୋଭିଡ୍-19ର ଭୟ । କରୋନା ଭାଇରସ୍ ତୁଳନାରେ ଏହି ଭୟ ହିଁ ସାରା ବିଶ୍ବ ପ୍ରତି ଅଧିକ ବିପଦର ଆଶଙ୍କା ବହନ କରୁଛି । ଅତି ଶୀଘ୍ର, ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ପ୍ରଭୃତି କଳାବଜାରୀଙ୍କ ଗୁପ୍ତ ଗୋଦାମରେ ରହିଯିବ ଏବଂ ମୃତ୍ୟୁସଂଖ୍ୟା ସହିତ ନୈରାଶ୍ୟର ସ୍ତର ବଢ଼ିବା ସ୍ଥିତିରେ କୃଷି କ୍ଷେତ୍ର ଏବଂ ବିହନକୁ ବି କରୋନା ସଂକଟ ଗ୍ରାସ କରିଥିବା ଭଳି ବ୍ୟବହାର କରାଯିବ।
କୃଷି ଆମ ଜୀବନଧାରଣର ମେରୁଦଣ୍ଡ ସଦୃଶ ଏବଂ ଆଜି ଆମର ଅଧିକାଂଶ କୃଷି କାର୍ଯ୍ୟ ଉତ୍ତମ ଗୁଣମାନର ବିହନ ଏବଂ ବିଶ୍ବ ସ୍ତରରେ ସଂଗଠିତ ବିହନ କ୍ଷେତ୍ର ଉପରେ ନିର୍ଭର କରେ । ମାନବ ସମ୍ବଳ କିମ୍ବା କୃଷି କ୍ଷେତ୍ର ପାଇଁ ଶ୍ରମିକ ଏବଂ ବିହନ, ସାର, ଇତ୍ୟାଦି ସହିତ କୃଷିଜାତ ଉତ୍ପାଦର ଅବାଧ ଗତି ଉପରେ ଆମର ଖାଦ୍ୟଦ୍ରବ୍ୟ ଉତ୍ପାଦନ ନିର୍ଭର କରେ। ଏବେ ଦୁଇଟି ଯାକ ଉପରେ କଟକଣା ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକା ତା’ର ସୀମାକୁ ବନ୍ଦ କରିଦେଇଛି ଏବଂ ତା’ ପଛକୁ ପଛ ୟୁରୋପୀୟ ସଂଘ ଏବଂ ସାରା ବିଶ୍ବ ଭିସା ଖାରଜ କରିବାରେ ଏବଂ ଲୋକଙ୍କ ଯାତାୟାତ ଉପରେ ପ୍ରତିବନ୍ଧ ଜାରି କରିବାରେ ଲାଗିଛନ୍ତି । ଏମିତି କି ଦେଶ ଭିତରେ ବି ଲୋକେ ବାହାରକୁ ଯିବାକୁ ଭୟ କରୁଛନ୍ତି ଏବଂ ବିଶେଷତଃ ଲୋକ ଗହଳି ସ୍ଥାନକୁ ଏଡ଼ାଇ ଯାଉଛନ୍ତି । ଭିଏତନାମରୁ ଇଟାଲୀ ଯାଏ, ସବୁଠି ସ୍କୁଲ୍ ବନ୍ଦ ରହିଛି ଏବଂ ରାସ୍ତାଘାଟ ନିର୍ଜନ ହୋଇଯାଇଛି । ଆଗକୁ କୃଷି କ୍ଷେତ୍ରରେ କାମ କରିବାକୁ ଲୋକଙ୍କ ଅଭାବ ଦେଖାଦେବ ବୋଲି ବର୍ତ୍ତମାନ ପରିସ୍ଥିତିରୁ ସୂଚନା ମିଳୁଛି । ଚଳିତ ଋତୁରେ କୃଷି କ୍ଷେତ୍ରରେ ଶ୍ରମିକଙ୍କ ମଜୁରି ବଢ଼ିବ ଏବଂ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଦର ବୃଦ୍ଧି ଆଶଙ୍କା ଦେଖାଦେବ। କୁକୁଡ଼ା ପାଳନ କ୍ଷେତ୍ରରେ ଏହି ଆଶଙ୍କା ଆହୁରି ଅଧିକ ହେବ, କାରଣ, ଦିଲ୍ଲୀରେ ଏବେ କୁକୁଡ଼ା ମାଂସ ଦର ଦ୍ରୁତ ହାରରେ କମିବାରେ ଲାଗିଛି । ଆଶଙ୍କିତ ମନୋଭାବ ବୃଦ୍ଧି ପାଇବା ସହିତ କୃଷି ଶ୍ରମିକମାନେ କୁକୁଡ଼ା ଫାର୍ମରେ କାମ କରିବାକୁ ଅଧିକ ଅନିଚ୍ଛା ପ୍ରକାଶ କରିବେ ।
ବିଶ୍ବ ଉତ୍ପାଦ ଯୋଗାଣ ଶୃଙ୍ଖଳ କ୍ଷେତ୍ର ଉପରେ ବିଶ୍ବର ବିହନ କ୍ଷେତ୍ର ଅତି ମାତ୍ରାରେ ନିର୍ଭରଶୀଳ ଏବଂ ବିହନ କ୍ଷେତ୍ରରେ କୌଣସି ଦେଶ ଆତ୍ମନିର୍ଭରଶୀଳ ନୁହେଁ । ବିଭିନ୍ନ ବନ୍ଦର ସହିତ ବିହନ ଜାହାଜ ଚଳାଚଳ ବନ୍ଦ ହୋଇଯିବା ଯୋଗୁଁ ଏ ବର୍ଷ ଶେଷ ଭାଗକୁ କୃଷି ଉତ୍ପାଦ ହାର ପ୍ରଭାବିତ ହେବ । ସାରା ବିଶ୍ବରେ, ବିଷୁବ ରେଖାର ଉତ୍ତରରେ ମକା, ସୂର୍ଯ୍ୟମୂଖୀ, ସୋୟାବିନ୍, ଧଳା ସୋରିଷ, ବସନ୍ତ ଋୁତୁର ଗହମ ଏବଂ ବାର୍ଲି, ଖୋଲା ଜମିରେ ପନିପରିବା ପ୍ରଭୃତିର ଚାରା ରୋପଣ ଏବଂ ଦକ୍ଷିଣରେ ରବି ଫସଲ ସକାଶେ ମାର୍ଚ୍ଚ ଏବଂ ଏପ୍ରିଲ ମାସ ଗୁରୁତ୍ବପୂର୍ଣ୍ଣ । ଭାରତରେ ମଧ୍ୟ, ଗ୍ରୀଷ୍ମକାଳୀନ ବା ଜାୟଦ ଋତୁର ଫସଲ ଲାଗି ଏହି ସମୟରେ ବିହନ ବୁଣାଯାଏ । ଯଦି ବିହନ ନ ମିଳିବା କିମ୍ବା ବିଳମ୍ବରେ ପହଞ୍ଚିବା କାରଣରୁ ଫସଲର ଏହି ନିର୍ଦ୍ଧାରିତ ବେଳକାଳକୁ ଚାଷୀମାନେ ହରାଇ ବସନ୍ତି କିମ୍ବା ଏଥିରେ ଡେରି କରନ୍ତି, ତେବେ ହୁଏତ ଖାଦ୍ୟ ଓ ଗୋଖାଦ୍ୟର ଗୁରୁତର ଅଭାବ ପରିଲକ୍ଷିତ ହେବ ଏବଂ ଏ ବର୍ଷ ଶେଷ ଭାଗରେ ଖାଦ୍ୟ ସାମଗ୍ରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ।